ନିଜ ପୁଷ୍ୟାଭିଷେକ ସଂପର୍କରେ କିଛି ଜାଣି ନ ଥିଲେ ଅଚ୍ୟୁତ !

ଭୁବନେଶ୍ୱର (ତାପସ ରଂଜନ ବେହେରା): ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଜଗତର ନାଥ। ସେ ବିଶ୍ୱନିୟନ୍ତା। ଯଦି ଓଡ଼ିଶା କଥା କୁହାଯାଏ, ସେ ହେଉଛନ୍ତି ଉତ୍କଳବାସୀଙ୍କ ମଉଡ଼ମଣି। ଓଡ଼ିଆ ଜାତିର ପରିଚୟ ଏବଂ ଗର୍ବଗୌରବ। ଶ୍ରୀକ୍ଷେତ୍ରରେ ବିଜେ କରିଥିବା କାଳିଆ ଠାକୁରଙ୍କ ପ୍ରଧାନ ସେବକ ହେଉଛନ୍ତି ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ। ସେ ଦୃଷ୍ଟିରୁ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ। ଗଣତନ୍ତ୍ର ଆସିବା ପରେ ରାଜତନ୍ତ୍ର ଉଠିଯାଇଛି ସତ,  କିନ୍ତୁ […]

achiuta-1

achiuta-1

Rakesh Mallick
  • Published: Wednesday, 10 January 2018
  • Updated: 10 January 2018, 08:04 PM IST

Sports

Latest News

ଭୁବନେଶ୍ୱର (ତାପସ ରଂଜନ ବେହେରା): ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଜଗତର ନାଥ। ସେ ବିଶ୍ୱନିୟନ୍ତା। ଯଦି ଓଡ଼ିଶା କଥା କୁହାଯାଏ, ସେ ହେଉଛନ୍ତି ଉତ୍କଳବାସୀଙ୍କ ମଉଡ଼ମଣି। ଓଡ଼ିଆ ଜାତିର ପରିଚୟ ଏବଂ ଗର୍ବଗୌରବ। ଶ୍ରୀକ୍ଷେତ୍ରରେ ବିଜେ କରିଥିବା କାଳିଆ ଠାକୁରଙ୍କ ପ୍ରଧାନ ସେବକ ହେଉଛନ୍ତି ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ।

ସେ ଦୃଷ୍ଟିରୁ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ। ଗଣତନ୍ତ୍ର ଆସିବା ପରେ ରାଜତନ୍ତ୍ର ଉଠିଯାଇଛି ସତ,  କିନ୍ତୁ ପୁରୀ ଗଜପତିଙ୍କ ଗାରିମା ଅକ୍ଷୁଣ୍ଣ ରହିଛି। ଯେହେତୁ ସେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା, ସେଥିପାଇଁ ଗଜପତି ସବୁ ଓଡ଼ିଆଙ୍କ ହୃଦୟର ସିଂହାସନରେ ରାଜା ଭାବେ ଅଭିଷିକ୍ତ। ଏ କଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ। କାହିଁ କେଉଁ କାଳରୁ ଗଜପତି ମହାରାଜାଙ୍କ ପ୍ରତି ସେହି ସମ୍ମାନ, ସେହି ବିଶ୍ୱାସ ଅତୁଟ ରହିଛି। ଏହା ଚିରଦିନ ପାଇଁ ରହିବ ମଧ୍ୟ। ଯେତେଦିନ ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ରରେ ବିଜେ କରିଥିବେ, ସେତେଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଗଜପତି ପରମ୍ପରା ଉଜ୍ଜୀବୀତ ହୋଇ ରହିଥିବ। ଅର୍ଥାତ ସେ ହିଁ ଏ ରାଜ୍ୟରେ ଏକମାତ୍ର ରାଜା। ଗଜପତି ଆସନକୁ ଅନ୍ୟ କେହି ନେଇପାରିବେ ନାହିଁ। କିମ୍ବା ସମାନ୍ତରାଳ ଭାବେ ଦ୍ୱିତୀୟ କେହି ଗଜପତି ଭାବେ ରାଜା ହୋଇପାରିବେ ନାହିଁ। ଯଦି କେହି ଟଙ୍କା, ଧନ ସମ୍ପତ୍ତି, ପ୍ରତିପତ୍ତିର ଆତ୍ମବଡ଼ିମା ଦେଖାଇ ଦ୍ୱିତୀୟ ଗଜପତି ହେବାକୁ ହୀନ ପ୍ରୟାସ କରନ୍ତି, ତାହା ତାଙ୍କର ଧୃଷ୍ଟତାର ପରିଚୟ ବୋଲି ଧରି ନିଆଯିବ। ସେ ଯେତେ ବଡ଼ ଜ୍ଞାନୀଗୁଣି ହେଉ ନା କାହିଁକି  ଗଜପତି ହେବାର ସ୍ୱପ୍ନ କେବଳ ଅଜ୍ଞତାର ପରିଚୟ ହିଁ ଦେବ। ଯାହାକୁ ରାଜ୍ୟବାସୀ କେବେ ଗ୍ରହଣ କରିବେ ନାହିଁ କି ପ୍ରଭୁ ଜଗନ୍ନାଥ ମଧ୍ୟ କ୍ଷମା ଦେବେନାହିଁ।

[caption id="attachment_199664" align="aligncenter" width="723"]ସ୍ପଷ୍ଟୀକରଣର ନକଲ ସ୍ପଷ୍ଟୀକରଣର ନକଲ[/caption]

ଏହାର ସଦ୍ୟତମ ଉଦାହରଣ କିଟ୍ ବିଶ୍ୱବିଦ୍ୟାଳର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ସେ ରାଜା ନ ହୋଇ ମଧ୍ୟ ସର୍ବସାଧାରଣରେ ରାଜା ଭଳି ଆଚରଣ ପ୍ରଦର୍ଶନ କଲେ। ଏଠାରେ କହି ରଖୁଛୁ ଯେ, ଗତ ପୁଷ୍ୟା ନକ୍ଷତ୍ର ତିଥିରେ ପୁରୀରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଭିଷେକ ନୀତି ହୋଇଥିଲା। ଗଜପତି ମହାରାଜା ଦିବ୍ୟସିଂହଦେବ ଏବଂ ମହାରାଣୀ ଲୀଳାବତୀ ଦେବୀଙ୍କ ଶ୍ରୀନଅରରେ ପୁଷ୍ୟାଭିଷେକ ସମ୍ପନ୍ନ ହୋଇଥିଲା। ଅଭିମନ୍ତ୍ରିତ ଜଳରେ ମହାରାଜାଙ୍କର ଅଭିଷେକ କରାଯାଇଥିଲା। ଗଜପତି ମହାରାଜ ଗାଦିକୁ ବିଜେ କରିଥିଲେ। ଷୋଳ ଶାସନ ବ୍ରାହ୍ମଣ ଓ ପଣ୍ଡିତମାନେ ଗଜପତିଙ୍କୁ ଶ୍ରୀଫଳ ଏବଂ ପଇତା ପ୍ରଦାନ ପୂର୍ବକ ଆଶୀର୍ବାଦ ଦେଇଥିଲେ। ବିଜେ କାହାଳୀ, ତେଲିଙ୍ଗି ବାଜା ଓ ଝାଞ୍ଜ ଆଦି ପାରମ୍ପରିକ ବାଦ୍ୟରେ ଶ୍ରୀନଅର କମ୍ପି ଉଠିଥିଲା। ଗଜପତିଙ୍କ ଏହି ପୁଷ୍ୟାଭିଷେକ ହେଉଛି ପୁରୀ ଶ୍ରୀନଅରର ପରମ୍ପରା। କିନ୍ତୁ ସେଦିନ ସମାନ୍ତରାଳ ଭାବେ ଗଜପତିଙ୍କ ଭଳି ଡକ୍ଟର ଅଚ୍ୟୁତ ସାମନ୍ତ ସେହିଭଳି ଆଡ଼ମ୍ବରପୂର୍ଣ୍ଣ ଭାବ ପୁଷ୍ୟାଭିଷେକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଗଜପତି ରାଜାଙ୍କ ଭଳି ମୁଣ୍ଡରେ ପଗଡ଼ି, ହାତରେ ରାଜ-ତରବାରୀ ଧରି ଅଚ୍ୟୁତ ଚାଲି ଚାଲି ଆସୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ସାରା ରାଜ୍ୟରେ ଝଡ଼ ସୃଷ୍ଟି ହୋଇଥିଲ। ଯାହାକୁ ପରମ୍ପରା ବିରୋଧୀ ବୋଲି ଦର୍ଶାଇ ତୀବ୍ର ପ୍ରତିବାଦ କରିଥିଲା ଶ୍ରୀଜଗନ୍ନାଥ ସେନା ଓ ଶ୍ରୀକ୍ଷେତ୍ର ସ୍ୱାଭିମାନ ମଞ୍ଚ। ଅଚ୍ୟୁତ ସାମନ୍ତ ଏଭଳି ଆଚରଣ ଲାଗି ତୁରନ୍ତ କ୍ଷମା ମାଗିବା ଦାବିରେ ପୁରୀ ସିଂହଦ୍ୱାର ଆଗରେ ବିକ୍ଷୋଭ କରାଯିବା ସହ ତାଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିଲା।

ଅସନ୍ତୋଷ ଓ ଚାପ ଆଗରେ ଶେଷରେ ମୁଣ୍ଡ ନଇଁବାକୁ ବାଧ୍ୟ ହୋଇଥିଲେ ଅଚ୍ୟୁତ। ଏଥିପାଇଁ ସେ ଭୁଲ ମାଗିଥିଲେ। କିନ୍ତୁ କ୍ଷମା ମାଗିବାକୁ ଯାଇ ସେ ଯେଉଁ ସ୍ପଷ୍ଟୀକରଣ ଦେଇଛନ୍ତି, ତାହା ଆହୁରି ବିଚିତ୍ର ଆଉ ବିଭ୍ରାନ୍ତିକର। ଏହି ସ୍ପଷ୍ଟୀକରଣ ଗତ ୬ ତାରିଖରେ ଦିଆଯାଇଥିଲା। କିଟ୍‌ର ଲୋକସଂପର୍କ ନିର୍ଦ୍ଦେଶିକା ଶ୍ରଦ୍ଧାଞ୍ଜଳି ନାୟକଙ୍କ ଲେଟର୍‌ପ୍ୟାଡ୍‌ରେ ଗଣମାଧ୍ୟମକୁ ଦିଆଯାଇଥିବା ଏହି କ୍ଷମାପ୍ରାର୍ଥନାଟି ବି ବିଚିତ୍ର ଢଙ୍ଗରେ ଲେଖାଯାଇଛି। ଏଥିରେ କୈଫତ ଦେବାକୁ ଯାଇ ଅଚ୍ୟୁତ କହିଛନ୍ତି, ଗତକାଲି ସନ୍ଧ୍ୟାରେ ଶ୍ରୀବାଣୀ କ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ହୋଇଥିବା ପୁଷାଭିଷେକ ସମ୍ପର୍କିତ ବିବାଦୀୟ ଘଟଣା ମୋ ନଜରକୁ ଆସିଥିଲା। ଏଥିପାଇଁ ମୁଁ ମର୍ମାହତ ଓ ଦୁଃଖିତ। ଶ୍ରୀବାଣୀ କ୍ଷେତ୍ର ମନ୍ଦିର ପ୍ରଶାସକଙ୍କ ତ୍ରୁଟି ପାଇଁ ଏଭଳି ରୀତି ପାଳନ କରାଯାଇଥିଲା। ଏହାର ପୁନରାବୃତ୍ତି କେବେ ହେବନାହିଁ। ଏଥିପାଇଁ ବ୍ୟକ୍ତିଗତ ଭାବେ ମୁଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରୁଛି।

ଶ୍ରୀ ସାମନ୍ତଙ୍କ ଏହି ସଫେଇ ଦର୍ଶାଉଛି, ସତେ ଯେମିତି ସବୁକିଛି ତାଙ୍କ ଅଗୋଚରରେ ଘଟିଗଲା। ଆଉ ସେଥିପାଇଁ ମନ୍ଦିର ପ୍ରଶାସନ ଦାୟୀ। ଏହି ଉତ୍ତର ଯେତିକି ବିସ୍ମୟକର ସେତିକି ପିଲାଳିଆମୀ। ଏହା କେବେବି ବିଶ୍ୱାସଯୋଗ୍ୟ ନୁହେଁ ଯେ, ସେ ଜାଣି ନାହାଁନ୍ତି, ମନ୍ଦିର କର୍ତୃପକ୍ଷ ଏପରି ଏକ ଆୟୋଜନ କରିଦେଲେ, ଯେଉଁଥିରେ ସେ ନିଜେ ହିଁ ହିରୋ। ଅଚ୍ୟୁତ ନିଜ ପରିଚାଳନାଗତ ଦକ୍ଷତା ଦ୍ୱାରା ସାରା ବିଶ୍ୱରେ ପତିଆରା ସୃଷ୍ଟି କରିପାରିଛନ୍ତି। ନିୟମିତ ବ୍ୟବଧାନରେ ଦେଶ ବିଦେଶର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ଡାକି ସମ୍ମାନ ଓ ସମ୍ବର୍ଦ୍ଧନା ଦେଉଛନ୍ତି। ତେଣୁ ତାଙ୍କ ନିଜ ଅଭିଷେକ ବିଷୟରେ ସେ କିପରି ଜାଣିପାରିଲେ ନାହିଁ, ତାହା ଆଶ୍ଚର୍ଯ୍ୟକର ନୁହେଁ କି?

ସେପରିସ୍ଥଳେ ତାଙ୍କର ଏଭଳି ହାଲୁକା ମନ୍ତବ୍ୟ ଆଦୌ ହଜମ କରିହେଉନି। କାରଣ ଶ୍ରୀବାଣୀ କ୍ଷେତ୍ର ବା କିସ୍‌ ଜଗନ୍ନାଥ ମନ୍ଦିର କେଉଁ ଗ୍ରାମରେ କିମ୍ବା ଅନ୍ୟ କେଉଁ ସର୍ବସାଧାରଣରେ ପ୍ରତିଷ୍ଠା ହୋଇନାହିଁ।  କିମ୍ବା ଏହି ଦେବାଳୟ  ସରକାରଙ୍କ ଦେବୋତ୍ତର ଅଧୀନ ପରିଚଳାତ ନୁହଁ। ଯେଉଁଠି ମନ୍ଦିର ପରିଚାଳନା ପାଇଁ ପ୍ରଶାସନ କିମ୍ବା ସରକାରଙ୍କ ସିଧାସଳଖ ହସ୍ତକ୍ଷେପ ଥାଏ। କିନ୍ତୁ ଏ ମନ୍ଦିରଟି କିଟ୍‌ ପରିସରରେ ରହିଛି। ଆଉ କିଟ୍‌ର ସର୍ବେସର୍ବା ହେଉଛନ୍ତି ଅଚ୍ୟୁତ୍‌ ସାମନ୍ତ। ଯାହାଙ୍କ ବିନା ନିର୍ଦ୍ଦେଶରେ ସେଠି ପତ୍ର ବି ହଲେ ନାହିଁ। ସେ ଦୃଷ୍ଟିରୁ ବିଚାର କଲେ ସେଦିନ ଯେଉଁ ଭବ୍ୟ ଆୟୋଜନ ହେଲା ତାହା ଅଚ୍ୟୁତଙ୍କ ଅଜାଣତରେ କେବେବି ହୋଇ ନଥିବ। କାରଣ ସେଦିନ କାର୍ଯ୍ୟକ୍ରମରେ ମୁଖ୍ୟ ଚରିତ୍ର ଥିଲେ ସ୍ୱୟଂ ଅଚ୍ୟୁତ। ତାଙ୍କର ହିଁ ପୁଷ୍ୟାଭିଷେକ ହେଉଥିଲା। ଯେତେବେଳେ ଏକ ଭବ୍ୟ ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନ ହେଉଥିଲା, ଅଚ୍ୟୁତଙ୍କ ବେକରେ ଫୁଲମାଳ ପଡ଼ୁଥିଲା, ମୁଣ୍ଡରେ ପଗଡ଼ି ବନ୍ଧା ଯାଉଥିଲା, ଘଣ୍ଟା କାହାଳୀ ବାଜୁଥିଲା, ସେତେବେଳେ ଅଚ୍ୟୁତ କଣ କିଛି ବି ଜାଣି ନଥିଲେ? ଅନ୍ତତଃ ଏତିକି ତ ପଚାରି ପାରିଥାନ୍ତେ, ଏପରି ଆୟୋଜନ ଓ ସାଜସଜା କଣ ପାଇଁ। ମୋ ମୁଣ୍ଡରେ କାହିଁକି ପଗଡ଼ି ବାନ୍ଧୁଛ? ତେଣୁ ସେ ନିଶ୍ଚିତ ସବୁ ଜାଣିଥିଲେ। ଯଦି ଜାଣିଥିଲେ, ତେବେ ଏସବୁକୁ ସେ ଅଟକାଇ ପାରିଥାନ୍ତେ। ପଣ୍ଡା ପଢିହାରୀ ଏବଂ ମନ୍ଦିର ପ୍ରଶାସକଙ୍କୁ ପ୍ରଶ୍ନ ମଧ୍ୟ କରିପାରିଥାନ୍ତେ। କିନ୍ତୁ ତାହା ନକରି ପରେ ଯେତେବଳେ ବିବାଦ ଉପୁଜିଲା, ଅତି ହାସ୍ୟାସ୍ପଦ ଭାବେ ସ୍ପଷ୍ଟୀକରଣ ରଖିଲେ।

ତେବେ ବାସ୍ତବ ଘଟଣାକୁ ଅନୁଧ୍ୟାନ କଲେ ଅଚ୍ୟୁତଙ୍କ ମନ୍ଦ ଉଦେଶ୍ୟ ବାରି ହେଉଛି।  ବିଭିନ୍ନ କ୍ଷେତ୍ରରେ ପ୍ରତିପତ୍ତି ଏବଂ ପ୍ରତିଷ୍ଠା ଅର୍ଜନ କରିବା ପରେ ବୋଧହୁଏ  ସଫଳତାର ଚରମ ସୀମାକୁ ଛୁଇଁବା ପାଇଁ  ତାଙ୍କ ମନରେ ରାଜା ହେବାର ନିଶା ସବାର ହୋଇଥିଲା। କୁହାଯାଉଛି ଅଚ୍ୟୁତଙ୍କ ଏହି ପୁଷ୍ୟାଭିଷେକ ନୂଆ ନୁହେଁ। ଗତ ଚାରିବର୍ଷ ହେଲା କିଟ୍ ମନ୍ଦିରରେ ଏମିତି ପରମ୍ପରା ଚାଲି ଆସୁଛି। ତେଣୁ ଯଦି ନିଜକୁ ମହାନ କରିବାକୁ ଅଚ୍ୟୁତ ପୁଷ୍ୟାଭିଷେକକୁ ଏକ ନୂଆ ଉପାୟ ବୋଲି ବିଚାର କରୁଛନ୍ତି, ତେବେ ସେ ବୋଧହୁଏ ଭୁଲ୍ ବାଟରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos