ବଜେଟରେ କୃଷି ପାଇଁ ଅଧିକ ବ୍ୟୟ ବରାଦ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ବଜେଟରେ କୃଷି ପାଇଁ ଅଧିକ ବ୍ୟୟ ବରାଦ କରାଯିବ। ତା’ସହିତ ଜଳସେଚନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଏଥିପାଇଁ ଆଜି ଯୋଜନା ଓ ସମନ୍ୱୟ ବିଭାଗ, କୃଷି ଓ କୃଷକ ସଶକ୍ତୀକରଣ ଏବଂ ଅନ୍ୟ ସଂପୃକ୍ତ ବିଭାଗଗୁଡ଼ିକୁ କୃଷି ବଜେଟର ଅଟକଳ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଛି କୃଷି କ୍ୟାବିନେଟ୍ କମିଟି। ସଚିବାଳୟରେ କୃଷି କ୍ୟାବିନେଟ୍ କମିଟିର ପ୍ରଥମ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ,“କୃଷି ବଜେଟରେ ଜଳସେଚନ ଉପରେ ଗୁରୁତ୍ୱ […]

cmnaveen

cmnaveen

Rakesh Mallick
  • Published: Thursday, 03 March 2016
  • Updated: 03 March 2016, 04:23 PM IST

Sports

Latest News

cmnaveenଭୁବନେଶ୍ୱର: ଆଗାମୀ ବଜେଟରେ କୃଷି ପାଇଁ ଅଧିକ ବ୍ୟୟ ବରାଦ କରାଯିବ। ତା’ସହିତ ଜଳସେଚନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଏଥିପାଇଁ ଆଜି ଯୋଜନା ଓ ସମନ୍ୱୟ ବିଭାଗ, କୃଷି ଓ କୃଷକ ସଶକ୍ତୀକରଣ ଏବଂ ଅନ୍ୟ ସଂପୃକ୍ତ ବିଭାଗଗୁଡ଼ିକୁ କୃଷି ବଜେଟର ଅଟକଳ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଛି କୃଷି କ୍ୟାବିନେଟ୍ କମିଟି।

ସଚିବାଳୟରେ କୃଷି କ୍ୟାବିନେଟ୍ କମିଟିର ପ୍ରଥମ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ,“କୃଷି ବଜେଟରେ ଜଳସେଚନ ଉପରେ ଗୁରୁତ୍ୱ ଦିଆଯିବ। ଜଳସେଚିତ ଜମିର ପରିମାଣ ବୃଦ୍ଧି କରାଯିବ। ବିଶେଷ କରି ରାଜ୍ୟରେ କେତେ ଜମି ପାଇଁ ଜଳସେଚନ କ୍ଷମତା ରହିଛି ଓ ଏଥିରୁ କେତେ କାର୍ଯ୍ୟକାରୀ କରାଯାଇଛି, ତାହା ଉପରେ ଫୋକସ୍ ରହିବ। ଏହା ସହିତ ବଜେଟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା ଚାଷୀଙ୍କୁ ସହାୟତା ପ୍ରଦାନ କରିବା ଦିଗରେ ବିଶେଷ ଧ୍ୟାନ ଦିଆଯିବ। ସେମାନଙ୍କୁ ଋଣ ପ୍ରଦାନ କରିବା ଓ ଠିକ୍ ସମୟରେ କୃଷି ସାମଗ୍ରୀ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯିବ। ଅତ୍ୟାଧୁନିକ କୃଷି ଜ୍ଞାନକୌଶଳ ଓ ଉପକରଣ ବ୍ୟବହାର କରି କୃଷି ଉତ୍ପାଦନ ବଢ଼ାଇବା ଉପରେ ସରକାର ଜୋର ଦେବେ। ମାଛ ଚାଷ ଓ ପଶୁ ପାଳନର ବିକାଶ ଦିଗରେ ଗୁରୁତ୍ୱ ଦିଆଯିବ।”

ମୁଖ୍ୟମନ୍ତ୍ରୀ କହିଥିଲେ,“କୃଷି ଉତ୍ପାଦର ବିକ୍ରିବଟା ଉପରେ ଜୋର ଦିଆଯିବ। ଅମଳ ହେଉଥିବା ଫସଲର ସଂରକ୍ଷଣ ଦିଗରେ ଦୃଷ୍ଟି ଦିଆଯିବ।”

ଏହି ସବୁ ପଦକ୍ଷେପ ଦ୍ୱାରା ଚାଷୀ ପରିବାରଗୁଡ଼ିକର ଆୟ ବଢ଼ାଇବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ କୃଷି ଓ ଏହା ସହିତ ଜଡ଼ିତ ସମସ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ସରକାର ଦ୍ୱାରା ଗଠନ କରାଯାଇଥିବା କୃଷି କ୍ୟାବିନେଟ୍ କମିଟିକୁ ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ କୃଷି ଓ ଏହା ସହିତ ଜଡ଼ିତ କ୍ଷେତ୍ରଗୁଡ଼ିକ ସଂପର୍କରେ ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କୃଷି କ୍ୟାବିନେଟ୍ କମିଟି ଗଠନ କରାଯାଇଛି।

ରାଜ୍ୟରେ ପ୍ରଥମ କରି ଗଠିତ କୃଷି କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅର୍ଥ,କୃଷି, ସମବାୟ ମନ୍ତ୍ରୀଙ୍କ ସହିତ ମୋଟ ୧୧ ଜଣ ମନ୍ତ୍ରୀ ଉପସ୍ଥିତ ରହିଥିଲେ।

ଅନ୍ୟପକ୍ଷରେ କୃଷି କ୍ୟାବିନେଟ୍ କମିଟି ରାଜ୍ୟ ସରକାରଙ୍କର ଏକ ଭେଳିକି ବୋଲି କହିଛନ୍ତି ବିରୋଧୀ। କୃଷି ଓ କୃଷକର ବିକାଶ କରିବାରେ ସରକାର ବିଫଳ ହୋଇଛନ୍ତି। ସରକାର ପୂର୍ବରୁ କୃଷି କମିଶନ, କୃଷି ବଜେଟ୍ ଓ କୃଷି ନୀତି କରିଥିଲେ ସୁଦ୍ଧା ଏହାର କାର୍ଯ୍ୟକାରିତା ହୋଇପାରିଲା ନାହିଁ। ତେଣୁ କୃଷି କ୍ୟାବିନେଟରୁ କୌଣସି ଲାଭ ହେବ ନାହିଁ ବୋଲି ଉଭୟ କଂଗ୍ରେସ ଓ ବିଜେପି ମତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos