ପତ୍ନୀଙ୍କୁ ହତ୍ୟା ଧମକ ଅଭିଯୋଗ: ଏୟାର ଓଡ଼ିଶା ନିର୍ଦ୍ଦେଶକ ତ୍ରିଦିବ ରାଉତ ଗିରଫ

ଭୁବନେଶ୍ୱର: ଏୟାର ଓଡିଶାର ନିର୍ଦ୍ଦେଶକ ତ୍ରିଦିବ ରାଉତଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ପତ୍ନୀକୁ ହତ୍ୟା ଧମକ ଅଭିଯୋଗରେ ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରୁ ଗିରଫ କରାଯାଇଛି। ସୋମବାର ଏ ନେଇ ତ୍ରିଦେବଙ୍କ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ତାଙ୍କ ୨ୟ ପତ୍ନୀ ରାଜଲକ୍ଷ୍ମୀ।

ପୂର୍ବରୁ ତାଙ୍କ ପତ୍ନୀ କରିଥିବା ଯୌତୁକ ନିର୍ଯାତନା ଅଭିଯୋଗ ମାମଲା ଥାନାରୁ ହଟାଇବା ପାଇଁ ତ୍ରିଦିବ ତାଙ୍କ ଉପରେ ଚାପ ପକାଉଥିଲେ। ପତ୍ନୀଙ୍କ ପଛରେ କିଛି ଗୁପ୍ତଚର ଲଗାଉଥିବା, ସେ ପତ୍ନୀ କେଉଁଠି କି ଯାଉଛନ୍ତି, ତାଙ୍କର ସମସ୍ତ କାର୍ଯ୍ୟ ଉପରେ ଲକ୍ଷ୍ୟ ରଖୁଥିବା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ତାଙ୍କୁ ଖୋଜୁଥିବା ବେଳେ ଆଜି ଏୟାର ଓଡ଼ିଶାର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି।

ତାଙ୍କ ବିରୋଧରେ ମୋଟ ୫ଟି ମାମଲା ରହିଛି। ପ୍ରଥମ ଓ ଦ୍ୱିତୀୟ ପତ୍ନୀ ଏହି ମାମଲା ଦାୟର କରିଛନ୍ତି। ଉଭୟ ପତ୍ନୀ ତ୍ରିଦିବଙ୍କ ବିରୋଧରେ ଜାଲିଆତି, ହତ୍ୟା ଧମକ ଓ ଯୌତୁକ ନିର୍ଯାତନା ଭଳି ମାମଲା କରିଛନ୍ତି। ଏ ନେଇ ପଚରାଯିବାରେ ଏହା ତାଙ୍କର ବ୍ୟକ୍ତିଗତ ବ୍ୟାପାର ବୋଲି ତ୍ରିଦେବ କହିଛନ୍ତି।

ତେବେ ସନ୍ଧ୍ୟାରେ ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟରୁ ତ୍ରିଦିବଙ୍କୁ ଜାମିନ୍ ମିଳିଛି।

ଏୟାର ଓଡ଼ିଶାର ସିଏମଡି ରାଧାକାନ୍ତ ପାଣି କହିଛନ୍ତି ତ୍ରିଦିବ ଏୟାର ଓଡ଼ିଶା ସହ ଜଡ଼ିତ ନୁହନ୍ତି। କିଛି ପିଲାଙ୍କ ସହ ତାଙ୍କର ପରିଚୟ ଥିବାରୁ ସେ ଏଠାକୁ ଯିବା ଆସିବା କରୁଥିଲେ।