ଭୁବନେଶ୍ୱରରୁ ୪ ସହରକୁ ଆରମ୍ଭ ହେଲା ଏୟାର ଓଡ଼ିଶା ବିମାନ ସେବା

ଭୁବନେଶ୍ୱର: ଆଜିଠୁ ରାଜ୍ୟର ୪ଟି ପ୍ରମୁଖ ସହରକୁ ଏୟାର ଓଡ଼ିଶା ବିମାନ ସେବା ଆରମ୍ଭ ହୋଇଛି। ସହରଗୁଡିକ ହେଲା ସମ୍ୱଲପୁର, ଝାରସୁଗୁଡ଼ା, ଜୟପୁର ଓ ରାଉରକେଲା। ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିଛନ୍ତି।

ଉଦଘାଟନ ପରେ ଏୟାର ଓଡିଶାର ୯ ସିଟ୍ ବିଶିଷ୍ଟ ଏହି ବିମାନ ଭୁବନେଶ୍ୱରରୁ ସମ୍ୱଲପୁର ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ସମ୍ୱଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ଏୟାର ଓଡିଶାର ସିଏମଡି ଓ ଷ୍ଟେଟ ବ୍ୟାଙ୍କ ସିଜିଏମଙ୍କ ସମେତ ୭ ଜଣ ଭୁବନେଶ୍ୱରରୁ ସମ୍ୱଲପୁର ଯାତ୍ରା କରିଥିଲେ। ଅପରାହ୍ନ ପ୍ରାୟ ସାଢେ ଗୋଟାଏରେ ଜମାଦାରପାଲି ଏୟାରଷ୍ଟ୍ରିପରେ ବିମାନଟି ଅବତରଣ କରିଥିଲା। ପ୍ରଥମ ପର୍ଯ୍ୟାୟରେ ସପ୍ତାହକୁ ୬ ଦିନ ବିମାନ ଚଳାଚଳ କରିବ। ପରେ ଯାତ୍ରୀମାନଙ୍କ ଚାହିଦାକୁ ଦେଖି ସବୁଦିନ ଚଳାଇବାକୁ ଏୟାର ଓଡିଶାର ଯୋଜନା ରହିଛି।

ସେହିପରି ଆସନ୍ତା ଗୁରୁବାରଠାରୁ ଅନ୍ୟ ସହରକୁ ବିମାନ ସେବା ଉପଲବ୍ଧ ହେବ। ଏଥିପାଇଁ  ଟିକେଟ ମୂଲ୍ୟ ଅଢେ଼ଇ ହଜାରରୁ ଆରମ୍ଭ କରି ଚାରି ହଜାର ଟଙ୍କା ରହିଛି। ସମ୍ୱଲପୁରରେ ଏୟାର ଓଡିଶା ବିମାନ ସେବା ନେଇ ଯାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।