ବିଜେପି ପାଳିଲା ବିଜୟୋତ୍ସବ

ଭୁବନେଶ୍ୱର: ଆଜି ରାଜ୍ୟର ସବୁ ଜିଲ୍ଲା କାର୍ଯ୍ୟାଳୟରେ ବିଜେପି ପଞ୍ଚାୟତ ନିର୍ବାଚନର ବିଜୟ ଉତ୍ସବ ପାଳନ କରିଛି। ଭୁବନେଶ୍ୱରରେ ଦଳର ରାଜ୍ୟ ମୁଖ୍ୟାଳୟରେ ମଧ୍ୟ ବିଜୟ ଉତ୍ସବ ପାଳନ କରାଯାଇଛି। ଏଥିରେ ଖୋଦ୍ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂହ ସାମିଲ ହୋଇଥିଲେ। ବସନ୍ତ ପଣ୍ଡା ନିଜେ ବାଜା ବଜାଉ ଥିବା ଦେଖିବାକୁ ମିଳିଥିଲା। ନିଜ ଜିଲ୍ଲା ନୂଆପଡ଼ାରେ  ବିଜେପି କିଛି କିମିଆ କରି ନ ଥିଲେ ମଧ୍ୟ ଦଳ ସଭାପତି ଭାବେ ସାମୂହିକ ଫଳାଫଳ ନେଇ ସେ ଖୁସି ବୋଲି କହିଛନ୍ତି ବସନ୍ତ। ଏହା ସହିତ ସେ ଏଥିପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ୨ ଘଣ୍ଟା ଧରି ଦଳର ସମସ୍ତ ଜିଲ୍ଲା କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛି। ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ଓ ମହାରାଷ୍ଟ୍ର ପୌର ନିର୍ବାଚନରେ ଦଳର ବିପୁଳ ସଫଳତା ପାଇଁ ଏହି ବିଜୟ ଉତ୍ସବ ପାଳନ କରାଯାଇଛି।