୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ

ଭୁବନେଶ୍ୱର: ୭ ଦଫା ଦାବିରେ ବୁଧବାରଠାରୁ କଳାବ୍ୟାଜ୍ ପିନ୍ଧି ଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଏହା ପୂର୍ବରୁ ଗତକାଲି ସେମାନେ ଭୁବନେଶ୍ୱରର ଲୋୟର ପିଏମ୍‌ଜିରେ ଧାରଣା ଦେଇଥିଲେ। ସଂଘର ଜିଦ୍‌କୁ ଦେଖି ରାଜ୍ୟ ସରକାର ଏସ୍‌ମା ଲାଗୁ ପାଇଁ ଚେନାବନୀ ଦେଇଛନ୍ତି।

ବାର୍ଷିକ ୧୫ ପ୍ରତିଶତ ଇନ୍‌କ୍ରିମେଣ୍ଟ୍ ବ୍ୟବସ୍ଥା ପ୍ରଚଳନ, କର୍ମଚାରୀଙ୍କ ପାଇଁ ବିଶ୍ରାମଗୃହ, ୩୦ କିଲୋମିଟରରୁ ଅଧିକ ଦୂରକୁ ଯାତ୍ରାବେଳେ ଖାଦ୍ୟ ବ୍ୟବସ୍ଥା ଆଦି ୭ ଦଫା ଦାବି ନେଇ ବିଭିନ୍ନ ପ୍ରକାରେ ଆନ୍ଦୋଳନ ଚଳାଇ ଆସିଥିବା୧୦୮ ଆମ୍ବୁଲାନ୍ସ କର୍ମଚାରୀ ପୂର୍ବ ଚେତାବନୀ ମୁତାବକ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ଉପୁଜିବାକୁ ଥିବା ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ବୁଧବାର ଏକ ବୈଠକ କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ମୁଖ୍ୟ ଶାସନ ସଚିବ ଭିଡିଓକନଫରେନ୍ସ ଯୋଗେ ପ୍ରତି ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହିତ ଆଲୋଚନା କରିଥିଲେ। ଆବଶ୍ୟକ ପଡ଼ିଲେ ଏସ୍‌ମା ଲାଗୁ କରାଯିବ ବୋଲି ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଥିଲେ।

କର୍ମଚାରୀଙ୍କ ଆନ୍ଦୋଳନ ପରେ ସ୍ଥିତିର ମୁକାବିଲା ପାଇଁ ନ୍ୟାସନାଲ ହେଲଥ ଓ ସର୍ଭିସ ପ୍ରୋଭାଇଡ଼ର ସଂସ୍ଥା ଚିକିତ୍ସା ହେଲଥ୍‌ ସର୍ଭିସ ଅଣ୍ଟା ଭିଡିଛି। ଫାର୍ମାସିଷ୍ଟ, ପୋଲିସ ଓ ଆନ୍ଦୋଳନରେ ସାମିଲ ନ ଥିବା ଅନ୍ୟ କର୍ମଚାରୀଙ୍କ ସହାୟତାରେ କିଛି ସ୍ଥାନରେ ଆମ୍ବୁଲାନ୍ସ ସେବା ଜାରି ରଖାଯାଇଛି। ଆନ୍ଦୋଳନରୁ ନ ଓହ୍ଲାଇଲେ ଏସ୍‌ମା ଲାଗୁ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଚେତାବନୀ ଦେଇଛନ୍ତି।