ଆଜିଠୁ ବି-ଟେକ୍‌ ପାଠ୍ୟକ୍ରମ ପାଇଁ କାଉନ୍‌ସେଲିଂ

ଭୁବନେଶ୍ୱର: ଆଜିଠୁ ବି-ଟେକ୍‌ ପାଠ୍ୟକ୍ରମ ପାଇଁ କାଉନ୍‌ସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିନ ୧୨ଟାରୁ ଓଜେଇଇ ୱେବସାଇଟ୍‌ରେ ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ୍‌ ଏବଂ ଚଏସ୍‌  ଫିଲିଂ କରୁଛନ୍ତି। ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ମେନରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଏହି କାଉନସେଲିଂ ପ୍ରକ୍ରିୟାରେ ସାମିଲ ହୋଇପାରିବେ। ରାଜ୍ୟରେ ଥିବା ଘରୋଇ ଏବଂ ସରକାରୀ ଇଜିନିୟରିଂ କଲେଜରେ ଥିବା ସିଟ୍‌ରେ ଆଡମିଶନ ପାଇଁ ଓଜେଇଇ କର୍ତ୍ତୃପକ୍ଷ କାଉନସେଲିଂ କରିବେ। ଜେଇଇ ମେନ୍‌ର ଷ୍ଟେଟ ରାଙ୍କ ଅନୁସାରେ ଛାତ୍ରଛାତ୍ରୀଙ୍କୁ କାଉନସେଲିଂ ପ୍ରକ୍ରିୟାରେ ଭାଗ ନେବାକୁ ପଡ଼ିବ। ଏବର୍ଷ  ଓଡ଼ିଶାରୁ ପ୍ରାୟ ୪୫ ହଜାର ଛାତ୍ରଛାତ୍ରୀ ଜେଇଇ ମେନ ପରୀକ୍ଷା ଦେଇଥିଲେ। ରେଜିଷ୍ଟ୍ରେସନ ଏବଂ ଚଏସ୍‌ ଫିଲିଂ ପରେ ମନୋନୀତ ନୋଡାଲ ସେଣ୍ଟରକୁ ଯାଇ ଛାତ୍ରଛାତ୍ରୀ ଡକ୍ୟୁମେଣ୍ଟ ଭେରିଫିକେସନ ପ୍ରକ୍ରିୟାରେ ସାମିଲ ହୋଇପାରିବେ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।