ଜିରାଫ ‘ଜୟ’ର ମୃତ୍ୟୁ

ଭୁବନେଶ୍ୱର:କଲିକତାର ଆଲିପୁର ଚିଡ଼ିଆଖାନାରୁ ନନ୍ଦନକାନନ ଆସିଥିବା  ଜିରାଫ୍ ‘ଜୟ’ର ସୋମବାର ମୃତ୍ୟୁ ଘଟିଛି। ଗତ ୨୪ ତାରିଖରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଥିଲା ‘ଜୟ’। ପରିବେଶ ଓ ଜଙ୍ଗଲମନ୍ତ୍ରୀ ବିକ୍ରମକେଶରୀ ଆରୁଖ ପିସିସିଏଫ୍ ୱାଇଲଡ୍ ଲାଇଫ୍‌କୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଆଜି ସକାଳ ୮ଟା ୧୫ରେ ହଠାତ୍ ‘ଜୟ’ ତଳେ ପଡ଼ି ଯାଇଥିଲା। ତୁରନ୍ତ ଚିକିତ୍ସା ସତ୍ତ୍ୱେ ଦିନ ୧୦ଟା ୫୦ରେ  ତା’ର ମୃତ୍ୟୁ ହୋଇଯାଇଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ‘ଜୟ’ ହୃଦଘାତରେ ପ୍ରାଣ ହରାଇଛି। ସେ ଜଣ୍ଡିସ୍ ଓ ରକ୍ତହୀନତାର ଶିକାର ହୋଇଥିଲା। ତା’ର ଶବବ୍ୟବଚ୍ଛେଦ ହୋଇସାରିଥିବା ସୂଚନା ଅଛି। ତେବେ ଏହାର ରିପୋର୍ଟ ସଂପର୍କରେ କୌଣସି ସୂଚନା ମିଳିନାହିଁ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆସିଷ୍ଟାଣ୍ଟ୍ ଡିରେକ୍ଟର କମଳ ଲୋଚନ ପୁରୋହିତଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍ ‘ ଜୟ’କୁ ଏକ ସ୍ୱତନ୍ତ୍ର ପଞ୍ଜୁରୀରେ ରଖି ନନ୍ଦନକାନନ ଆଣିଥିଲେ। ‘ଜୟ’  ବଦଳରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଗୋଟିଏ ଧଳାବାଘ ସମେତ ୪ଟି ବାଘ ଆଲିପୁର ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା।

ପୂର୍ବରୁ ପାଟନା ଚିଡ଼ିଆଖାନାରୁ ମାଈ ଜିରାଫ୍ ‘ଖୁସି’କୁ ଅଣାଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିଲା। ଅଣ୍ଡିରା ଜିରାଫ୍ ‘ଜୟ’ ଆସିବା ପରେ ନନ୍ଦନକାନନରେ ଜିରାଫ୍ ବଂଶ ବୃଦ୍ଧି କରାଯିବାକୁ ଯୋଜନା ରଖାଯାଇଥିଲା। ତେବେ ଜୟର ମୃତ୍ୟୁ ପରେ ଏହି ଯୋଜନା ପୁଣି ଥରେ ବିଫଳ ହୋଇଯାଇଛି।

ନନ୍ଦନକାନନରେ ଜିରାଫ୍ ବଂଶ ବୃଦ୍ଧି ଲାଗି ୨୦୦୬ରେ ଆଲିପୁରରୁ ଏକ ଅଣ୍ଡିରା ଜିରାଫ ଅଣାଯାଇଥିଲା। ହେଲେ ଜିରାଫ୍‌ଟି ଆସିବା ସମୟରେ ବାଟରେ ବିଦ୍ୟୁତ୍‌ ତାର ଲାଗି ଯିବାରୁ ତା’ର ମୃତ୍ୟୁ ଘଟିଥିଲା। ଏଥର ସେଭଳି ଅଘଟଣ ଏଡାଇବା ପାଇଁ ବେଶ୍ ସତର୍କତା ଅବଲମ୍ବନ କରାଯାଇଥିଲା। ହେଲେ ନନ୍ଦନକାନରେ ପହଞ୍ଚିବାର ୪ ଦିନ ପରେ  ‘ଜୟ’ର ମୃତ୍ୟୁ ପଶୁପ୍ରେମୀଙ୍କ ମଧ୍ୟରେ ନିରାଶା ଖେଳାଇ ଦେଇଛି।