ଆମ ପ୍ରକଳ୍ପକୁ କେହି ରୋକି ପାରିବେନି: ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ  ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏକ ପ୍ରକାର ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି, “ମହାନଦୀରୁ ଆମର ପାଣି ନେବାର ଅଧିକାର ଅଛି। ଆମ ହକ୍‌ ପାଇଁ ଆମେ ଯେତେବେଳେ ଆବଶ୍ୟକ ଜଳ ନେବୁ। ଆମ ଭାଗର ଏକ ଏକ ବୁନ୍ଦା ବ୍ୟବହାର କରିବୁ। ଆମ ପ୍ରକଳ୍ପକୁ କେହି ରୋକି ପାରିବେନି। ସିଡବ୍ଲୁସିର ଅନୁମତି ନେଇ ପ୍ରକଳ୍ପ କାମ କରାଯାଉଛି। ଓଡ଼ିଶା ସରକାରଙ୍କ ସହ କଥାବର୍ତ୍ତାରେ କିଛି ଅସୁବିଧା ନାହିଁ।”

ରମଣ ସିଂହଙ୍କ ଏଭଳି ପ୍ରତିକ୍ରିୟାରେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ରମଣ ସିଂହ ମନ୍ତବ୍ୟ ଦୁର୍ଭାଗ୍ୟଜନକ। ଯଦି ସବୁ ମୁଖ୍ୟମନ୍ତ୍ରୀ ଏପରି କଥା କହିବେ ତାହାହେଲେ ଦେଶ ବିଖଣ୍ଡିତ ହୋଇଯିବ।”

ଅନ୍ୟପକ୍ଷରେ ମହାନଦୀ ଜଳକୁ ନେଇ ଓଡ଼ିଶାର ସ୍ୱାର୍ଥ ସହ କୌଣସି ସାଲିସ ହେବ ନାହିଁ ବୋଲି ବିଜେପି ରାଜ୍ୟ  ବସନ୍ତ ପଣ୍ଡା କହିଛନ୍ତି। ସେ କହିଛନ୍ତି,“ଓଡ଼ିଶା ସରକାର ପ୍ରକଳ୍ପ ସମ୍ପର୍କରେ କୌଣସି ଆପତ୍ତି ଅଭିଯୋଗ ଆଣି ନ ଥିବା କେନ୍ଦ୍ର  ଜଳ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ସଂସଦରେ ସ୍ପଷ୍ଟ କରିବା ପରେ ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି ତାହା ଜଣାପଡୁଛି। ଜୁନ୍‌ ମାସରେ ସରକାର ବୈଠକ ଡାକିଥିଲେ ମଧ୍ୟ ରାଜ୍ୟ ସରକାର କାହିଁକି ଏକ ମାସ ସମୟ ମାଗିଲେ  ବୋଲି ପ୍ରଶ୍ନ କରିଛନ୍ତି।”

କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ ଗତକାଲି ଲୋକସଭାରେ କହିଥିଲେ, “ଓଡ଼ିଶା ଆମର ପ୍ରିୟ ରାଜ୍ୟ। ଓଡ଼ିଶା ସ୍ୱାର୍ଥ ବିରୋଧୀ କାର୍ଯ୍ୟ କେନ୍ଦ୍ର କେବେ କରିବନି।”

ସୂଚନାଯୋଗ୍ୟ, ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଆସନ୍ତା ୨୯ ତାରିଖରେ ବସିବ ଦୁଇ ରାଜ୍ୟର ବୈଠକ। କେନ୍ଦ୍ର ସରକାର ଏଇ ବୈଠକ ଡାକିଛନ୍ତି।