ଆମେରିକାରେ ଓଡ଼ିଆ ବାବା ସ୍ୱାମୀ ଗୋକୁଳାନନ୍ଦଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ଆମେରିକାରେ ରହୁଥିବା ଜଣେ ଓଡ଼ିଆ ବାବାଙ୍କ ନାଁରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ। ତାଙ୍କ ନାଁ ସ୍ୱାମୀ ଗୋକୁଳାନନ୍ଦ। ସ୍ପର୍ଶ ଚିକିତ୍ସା ନାଁରେ ସେ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ଏହି ଅଭିଯୋଗ ନେଇ ବାବାଙ୍କ ବିରୋଧରେ ଆମେରିକାର ଏକ କୋର୍ଟରେ ମାମଲା ବିଚାରାଧୀନ ରହିଛି। ଆସନ୍ତା ଫେବ୍ରୁଆରୀ ୨୯ରେ ମାମଲାର ଶୁଣାଣି କରାଯିବ। ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ବାବାଙ୍କୁ ସର୍ବାଧିକ ୧୯ ବର୍ଷ ଜେଲଦଣ୍ଡ ହୋଇପାରେ।

କାଲିଫର୍ଣ୍ଣିଆର ସାଣ୍ଟା କ୍ଲାରିଟାରେ ହରି ଓମ୍ ଇଣ୍ଡିଆ ମାର୍କେଟ ନାଁରେ ଏକ ଚିକିତ୍ସା କେନ୍ଦ୍ର ଖୋଲି ସ୍ୱାମୀ ଗୋକୁଳାନନ୍ଦ ସ୍ପର୍ଶ ଚିକିତ୍ସା କରୁଥିଲେ। ତେବେ ଚିକିତ୍ସା ନାଁରେ ବାବା ଏକାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ତାଙ୍କୁ ଗତ ମେ’ ୧୩ ତାରିଖରେ ଟୋରାନ୍ସ ପୋଲିସ ଗିରଫ କରିଥିଲା। ପରେ ଗତ ଜୁଲାଇରେ ୧ ଲକ୍ଷ ଡଲାର ବିନିମୟରେ ତାଙ୍କୁ ଜାମିନ ମିଳିଥିଲା। ଏହି ବାବାଙ୍କ ଘର ଖୋର୍ଦ୍ଧା ଜିଲ୍ଲାର କଳାପଥର ଅଞ୍ଚଳରେ ବୋଲି ସୋସିଆଲ ସାଇଟ ଫେସବୁକ ପେଜରୁ ଜଣାପଡ଼ିଛି। ଆମେରିକାର ବିଭିନ୍ନ ସମ୍ୱାଦପତ୍ରରେ ବି ଏନେଇ ଖବର ପ୍ରକାଶ ପାଇଛି। ତେବେ ଏ ନେଇ ଅଭିଯୁକ୍ତ ଗୋକୁଳାନନ୍ଦଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।