ଏଣିକି ଓଡ଼ିଆରେ ଲେଖାଯିବ ସରକାରୀ ନିର୍ଦ୍ଦେଶାବଳୀ, ବିଜ୍ଞାପନ ଓ ନାମଫଳକ

ଭୁବନେଶ୍ୱର: ଏଣିକି ସମସ୍ତ ସରକାରୀ ନିର୍ଦ୍ଦେଶାବଳୀ, ବିଜ୍ଞାପନ ଓ ନାମଫଳକ ଓଡିଆ ଭାଷାରେ ଲେଖାଯିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଓଡ଼ିଆ ଭାଷାରେ ଥିବା ଭଲ ବହିଗୁଡ଼ିକୁ ଡିଜିଟାଇଜ୍ କରାଯାଇ ସଂରକ୍ଷିତ ରଖାଯିବ। ଓଡିଆ ଭାଷାରେ ଉଚ୍ଚତର ଗବେଷଣା ଓ ଉଚ୍ଚ ଶିକ୍ଷାକୁ ଉତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର ବୃତ୍ତି ପ୍ରଦାନ କରାଯିବ ବୋଲି ସଚିବାଳୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଉପସ୍ଥିତ ଥିଲେ।  ଓଡିଆ ମୁକ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ବୈଠକରେ ମଧ୍ୟ ନିଷ୍ପତ୍ତି ହୋଇଛି। ଆଜି ସଚିବାଳୟରେ ଓଡିଆ ଭାଷାକୁ ବ୍ୟାପକ କରିବା ଲାଗି ଓଡ଼ିଆ ଭାଷା ଡଟ୍ ଗଭ୍ ଡଟ୍ ଇନ୍ ନାମରେ ଏକ ୱେବସାଇଟ୍ ଖୋଲାଯାଇଛି । ରାଜ୍ୟର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ୟୁନିଭର୍ସିଟିରେ ଖାଲିଥିବା ଓଡ଼ିଶା ଶିକ୍ଷକ ଓ ଅଧ୍ୟାପକ ପଦବୀ ପୂରଣ ପାଇଁ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।