୪୩.୭ ଡିଗ୍ରୀ ସହ ଅନୁଗୋଳ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: କିଛିଦିନ ହେବ ରାଜ୍ୟରେ ଲାଗି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରକୋପରୁ ଆଜି ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ଗୁଳୁଗୁଳି ଓ ଝାଞ୍ଜିପବନ ଲାଗି ରହିଛି। ଗତ ୩ ଦିନ ହେଲା ରାଜ୍ୟରେ ସର୍ବାଧିକ ଉତ୍ତପ୍ତ ସହର ଥିବା ସୋନପୁରର ତାପମାତ୍ରରେ ହ୍ରାସ ପାଇ ୪୦.୮ ଡିଗ୍ରୀକୁ ଖସି ଆସିଥିଲା। ଅନ୍ୟପକ୍ଷରେ ୪୩.୭ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ଅନୁଗୋଳ ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଥିଲା। ପାରଦୀପର ତାପମାତ୍ରା ୪୩.୬ ଡିଗ୍ରୀ ରହିଥିଲା। ସେହିପରି ରାଜ୍ୟରେ ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।

ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩.୫ ଡିଗ୍ରୀ ଥିବା ବେଳେ କଟକର ତାପମାତ୍ରା ୪୨ ଡିଗ୍ରୀ ରହିଥିଲା।

ତାଲଚେର ଓ ଭବାନୀପାଟଣାର ତାପମାତ୍ରା ୪୩.୫ ଡିଗ୍ରୀ ଥିବା ବେଳେ ଚାନ୍ଦବାଲି ୪୨.୮, ହୀରାକୁଦ ୪୨.୭, ସମ୍ବଲପୁର ୪୨.୬, ଝାରସୁଗୁଡା ୪୨.୫, ବାଲେଶ୍ୱର, ସୁନ୍ଦରଗଡ଼ ଓ ଟିଟିଲାଗଡ଼ ୪୨, କେନ୍ଦୁଝରଗଡ଼ ୪୧.୩ ଓ ଫୁଲବାଣୀ ୪୦.୨ ଡିଗ୍ରୀ ରହିଥିଲା।

ପାରଦୀପ, ଗୋପାଳପୁର, ପୁରୀ, କୋରାପୁଟ ଓ ଡାରିଙ୍ଗବାଡ଼ିରେ ତାପମାତ୍ରା ୪୦ ଡିଗ୍ରୀ ତଳକୁ ରହିଛି।

ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧୨୪ଟି ଅଂଶୁଘାତ ଅଭିଯୋଗ ଆସିଛି। ଏଥିରୁ ୫୪ଟିର ତଦନ୍ତ କରାଯାଇଛି। ତଦନ୍ତରୁ ୧୦ ଜଣ ଅଂଶୁଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି ବୋଲି ଏସ୍‌ଆରସି କହିଛନ୍ତି।