ଅନୁଗୋଳ, କଳାହାଣ୍ଡିରେ ଦୁଇ ଜଣ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ଅନୁଗୋଳ/କଳାହାଣ୍ଡି : ଆଜି ରାଜ୍ୟର ଅନୁଗୋଳ ଓ କଳାହାଣ୍ଡି ଜିଲ୍ଲାରେ ପୁଣି ଦୁଇଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ଫସଲହାନି ଯୋଗୁଁ ଦୁଇ ଚାଷୀ ଆତ୍ମହତ୍ୟା କରିଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଚାଷୀ ଦ୍ୱୟ ହେଲେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା କଇଥସାହିର ସହଦେବ ଦେହୁରୀ ଏବଂ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରିଗୁଡା ଗାଁର ବଳଦେବ ମାଝି।

ସହଦେବ ୧ ଏକର ଜମିରେ ଧାନ ଚାଷ କରିଥିଲେ। ଏଥିପାଇଁ ସେ ସମବାୟ ବ୍ୟାଙ୍କରୁ ୧୬ ହଜାର ଟଙ୍କା ଋଣ କରିଥିଲେ। ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ତାଙ୍କ ଫସଲ ଉଜୁଡି ଯାଇଥିଲା। ଏହାକୁ ନେଇ ସେ କିଛିଦିନ ହେବ ଚିନ୍ତିତ ଥିଲେ। ମାନସିକ ଭାରସ୍ୟାମ ହରାଇ ଗତକାଲି ରାତିରେ ଘରେ ଥିବା ମ୍ୟାଲେରିଆ ବଟିକାକୁ ମାତ୍ରାଧିକ ଖାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରିଗୁଡା ଗାଁର ବଳଦେବ ମାଝି ଫସଲହାନି ଚିନ୍ତାରେ ଗତକାଲି ରାତିରେ ବିଷ ବିଇ ଦେଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ବଳଦେବ ପ୍ରାୟ ୫ ଏକର ଜମିରେ ଧାନ ଚାଷ କରିଥିଲେ। ବର୍ଷା ଅଭାବରୁ ଧାନ ଚାଷ ବ୍ୟାପକମାତ୍ରାରେ ନଷ୍ଟ ହୋଇଥିଲା। ଚାଷ ପାଇଁ ସେ ପ୍ରାୟ ୩୦ ହଜାର ଟଙ୍କା ଋଣ କରିଥିଲେ। ଧାନ ଜଳିଯିବା ସାଙ୍ଗକୁ ଋଣବୋଝ ନେଇ ଅନେକ ଦିନ ହେଲା ସେ ଚିନ୍ତିତ ଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ବଳଦେବ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ। ସେଥିପାଇଁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି।