ଅନୁଗୋଳ: ଟାଟା ଏସି ଉପରେ ମାଡ଼ିଗଲା ଟ୍ରକ୍, ୩ ମହିଳାଙ୍କ ସମେତ ୧୦ ମୃତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଚାଇଁପାଳ ନିକଟରେ ଏକ ଟାଟା ଏସି ଉପରେ କୋଇଲା ବୋଝେଇ ଟ୍ରକ୍ ମାଡ଼ି ଯିବାରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ, ୩ଜଣ ମହିଳା ଓ ଜଣେ ବାଳକ ରହିଛନ୍ତି। ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣଙ୍କର ଅନୁଗୋଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି। ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ୍ ଓ ପାଲଲହଡ଼ା ବିଧାୟକ ମହେଶ ସାହୁ ଘଟଣାସ୍ଥଳରେ ପହଞ୍ଚିଛି ଲୋକଙ୍କୁ ବୁଝାଶୁଝା କରିଥିଲେ।

ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ବିକ୍ଷୋଭକାରୀମାନେ ଦାବି କରିଥିଲେ। ତା’ସହିତ ଦିନ ବେଳେ ଚାଇଁପାଳ ଦେଇ ଯାଇଥିବା ଜାତୀୟ ରାଜପଥକୁ ନୋ ଏଣ୍ଟ୍ରି ଜୋନ୍ ଘୋଷଣା କରିବା ସହିତ ଏହାକୁ ୪ ଲେନ୍ କରିବାକୁ ସେମାନେ ଦାବି କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୩ଟା ବେଳେ କୋଇଲା ବୋଝେଇ ଟ୍ରକଟି ତାଳଚେରରୁ ବଅଁରପାଳ ଅଭିମୁଖେ ଯାଉଥିବା ବେଳେ ଚାଇଁପାଳଠାରେ ଉକ୍ତ ଟାଟା ଏସି ଉପରେ ଚଢ଼ି ଯାଇଥିଲା।