ଏନ୍‌ସେଫାଲାଇଟିସ୍‌ ମୃତ୍ୟୁ ସଂଖ୍ୟା ୭୯ ଛୁଇଁଲା

ମାଲକାନଗିରି: ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆଜି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଜିଲ୍ଲାରେ ଏହି ରୋଗରେ ମୃତ ଶିଶୁଙ୍କ ସଂଖ୍ୟା ୭୯ ଛୁଇଁଛି।

ଆଜି ସକାଳେ ଦୁଇଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ମୃତ ଶିଶୁ ଦ୍ୱୟ ମଧ୍ୟରୁ ଗୋଟିଏ ଝିଅ ଓ ଗୋଟିଏ ପୁଅ। ମୃତକ ଦୁଇ ଜଣ ହେଲେ କାଲିମେଳା ବ୍ଲକ୍‌ର ଲତା ଭଣ୍ଡାରୀ ଓ ପୁଷ୍ପଗୁଡ଼ାର କୁନା ମାଡକାମୀ। ରାତିରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ଜଣଙ୍କ ଖଇରପୁଟ ବ୍ଲକ ରାଶବେଡା ଗାଁର ସନା କିର୍ସାନୀ।

ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ସଚେତନତା ସତ୍ତ୍ୱେ ଗୋଟିଏ ପରେ ଗୋଟିଏ ନିଷ୍ପାପ ଶିଶୁଙ୍କ ଜୀବନ ଚାଲିଯାଉଛି।

ଗତକାଲି ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଦୁଇଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ସେହିପରି  ଗତକାଲି ରାତିରେ ଛତିଶଗଡ଼ ଜିଲ୍ଲା ଆମପରାର ଜଣେ ଏନ୍‌ସେଫାଲାଇଟିସ୍‌ ରୋଗୀଙ୍କ ମାଲକାନଗିରିରେ ମୃତ୍ୟୁ ଘଟିଥିଲା।