ଏପ୍ରିଲ ୧ରୁ ଭିମସାର ଜୁନିୟର ଡାକ୍ତର ସଂଘ ପୁଣି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ

ସମ୍ବଲପୁର: ୯ ଦଫା ଦାବି ନେଇ ଏପ୍ରିଲ ୧ ତାରିଖରୁ ଭିମସାର ଜୁନିୟର ଡାକ୍ତର ସଂଘ ପୁଣି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ। ତେବେ ଆନ୍ଦୋଳନର ରୂପରେଖ କ’ଣ ରହିବ ସେ ନେଇ ଚଳିତମାସ ୩୧ ତାରିଖ ଜେଡିଏ ଜେନେରାଲ ବଡି ମିଟିଂରେ ନିଷ୍ପତ୍ତି ନିଆଯିବ ବୋଲି ଜେଡିଏ ସଭାପତି ଡାକ୍ତର ଶଙ୍କର ରାମଚନ୍ଦାନୀ କହିଛନ୍ତି।

ଗତକଲି ଆରଡିସି-ଜେଡିଏ ଓ ଭିମସାର କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଇଥିବା ବୈଠକରେ ଭିମସାରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ଓ ଜେଡିଏର ପ୍ରସ୍ତାବିତ ଆନ୍ଦୋଳନକୁ ନେଇ ଆଲୋଚନା ହୋଇଥିଲା। ଆରଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ବିଫଳ ହେବା ପରେ ଜେଡିଏ ଏହା ସ୍ପଷ୍ଟ କରିଛି।

ଉତ୍ତରାଞ୍ଚଳ ଆରଡିସି ଏନବିଏସ ରାଜପୁତ କହିଛନ୍ତି, “ଭିମସାରରେ ଏବେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାମର ଅଗ୍ରଗତି ସନ୍ତୋଷଜନକ ରହିଛି। ଆସନ୍ତା ଏପ୍ରିଲ ୧୫ ତାରିଖ ସୁଦ୍ଧା ଏମଆରଆଇ ଓ ସିଟି ସ୍କାନ ମେସିନର ସ୍ଥାପନ କାମ ଶେଷ ହେବ। ଅନ୍ୟ କାମ ମଧ୍ୟ ପର୍ଯ୍ୟାୟ କ୍ରମେ ସରିବ। ତେବେ ଜେଡିଏ ଆଲୋଚନାକୁ ନେଇ ସନ୍ତୁଷ୍ଟ ନାହିଁ।”

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ବଲୱନ୍ତ ସିଂ, ଭିମସାର ନିର୍ଦ୍ଦେଶକ ସୁନାମାଳି ବାଗ, ହସ୍ପିଟାଲର ଅଧୀକ୍ଷକ, ମେଡିକାଲ କଲେଜ ଅଧ୍ୟକ୍ଷ, ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟମାନେ ଯୋଗଦେଇଥିଲେ।