ପାଞ୍ଚ ଜଣ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଆସନ୍ତାକାଲିଠୁ ଆରମ୍ଭ ହେବ କୁଶେଇ ନଦୀ ସେତୁ କାମ

kuseiକେନ୍ଦୁଝର:“ଆନନ୍ଦପୁର ବେଲବାହାଳିଠାରେ କୁଶେଇ ନଦୀ ଉପରେ ସେତୁ କାମ ଆସନ୍ତାକାଲିଠାରୁ ଆରମ୍ଭ ହେବ। ସେତୁ ନିର୍ମାଣ ସ୍ଥଳରେ ୫ ଜଣ ମାଜିଷ୍ଟ୍ରେଟ୍‌ ଉପସ୍ଥିତ ରହିବେ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସେତୁ ଅଞ୍ଚଳରେ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ” ବୋଲି କେନ୍ଦୁଝର ଜିଲ୍ଲାପାଳ ଏନ. ତିରୁମାଲା ମହାନ୍ତି କହିଛନ୍ତି।

ଆଜିଠାରୁ ଆରମ୍ଭ ହେବାକୁ ଥିବା ସେତୁ କାମକୁ ସ୍ଥଗିତ ରଖାଯାଇଥିଲା। ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ଆଲୋଚନା ପରେ କାମ ଆରମ୍ଭ ନେଇ ଦିନ ଧାର୍ଯ୍ୟ ହେବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ କହିଥିଲେ।

ସେତୁ ନିର୍ମାଣକୁ ନେଇ ପୂର୍ବରୁ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେତୁ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବା ସହ ଫୋର୍ସ ମୁତୟନ ହୋଇଛନ୍ତି।

ସେତୁ ପ୍ରସ୍ତାବିତ ସ୍ଥାନକୁ ନେଇ ଗତବର୍ଷ ଜୁଲାଇ ୭ ତାରିଖରେ ଏଠାରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ସ୍ଥାନୀୟ ଲୋକଙ୍କୁ ନେଇ ଏକ ପ୍ରତିନିଧି ଦଳ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କାରୀଙ୍କୁ ଭେଟିଥିଲେ। ଏହାପରେ ସେତୁ ସ୍ଥାନ ପରିବର୍ତ୍ତନ ନେଇ ଉଦ୍ୟମ କରାଯାଇଥିଲା। ଏନ୍‌ଏଚ୍‌ଆଇ ଦ୍ୱାରା ନିର୍ଦ୍ଧାରିତ ସ୍ଥାନ ହିଁ ସେତୁ ନିର୍ମାଣ ପାଇଁ ଉପଯୁକ୍ତ ବୋଲି ଖଡ଼ଗପୁର ଆଇଆଇଟି ବିଶେଷଜ୍ଞ ଟିମ୍‌ କହିଥିଲେ। ବିଶେଷଜ୍ଞ ଟିମ୍‌ଙ୍କ ମତ ପରେ ପ୍ରସ୍ତାବିତ ସ୍ଥାନରେ ସେତୁ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି।