ଆସନ୍ତାକାଲି ବିଜେପି, କଂଗ୍ରେସର କନ୍ଧମାଳ ବନ୍ଦ ଡାକରା, ତେଜୁଛି ରାଜନୀତି

ଭୁବନେଶ୍ୱର: କନ୍ଧମାଳରେ ମାଓବାଦୀ-ସୁରକ୍ଷା କର୍ମୀ ଗୁଳି ବିନିମୟ ବେଳେ ୬ ଜଣ ନିରୀହ ଲୋକଙ୍କ ମୃତ୍ୟୁ ଘଟିବାକୁ ନେଇ ରାଜନୀତି ଜୋର ଧରିଛି। ନିରୀହ ଆଦିବାସୀଙ୍କ ହତ୍ୟା ପ୍ରତିବାଦରେ ଆସନ୍ତାକାଲି କଂଗ୍ରେସ ଓ ବିଜେପି କନ୍ଧମାଳ ବନ୍ଦ ଡାକରା ଦେଇଛନ୍ତି। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ କଂଗ୍ରେସର ଏକ ଟିମ୍‌ ଗୁଳିକାଣ୍ଡ ସ୍ଥଳ କୁର୍ତମଗଡ଼ ପରିଦର୍ଶନ କରିଛନ୍ତି। ଏହାସହ ଏହି ଟିମ୍‌ ମୃତକଙ୍କ ପରିବାର ଲୋକଙ୍କୁ ଭେଟିଛି। ଆଜି ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନରେ ପୂର୍ବତନ କଂଗ୍ରେସ […]

kandhamala

kandhamala

Rakesh Mallick
  • Published: Sunday, 10 July 2016
  • Updated: 11 July 2016, 08:33 AM IST

Sports

Latest News

kandhamalaଭୁବନେଶ୍ୱର: କନ୍ଧମାଳରେ ମାଓବାଦୀ-ସୁରକ୍ଷା କର୍ମୀ ଗୁଳି ବିନିମୟ ବେଳେ ୬ ଜଣ ନିରୀହ ଲୋକଙ୍କ ମୃତ୍ୟୁ ଘଟିବାକୁ ନେଇ ରାଜନୀତି ଜୋର ଧରିଛି। ନିରୀହ ଆଦିବାସୀଙ୍କ ହତ୍ୟା ପ୍ରତିବାଦରେ ଆସନ୍ତାକାଲି କଂଗ୍ରେସ ଓ ବିଜେପି କନ୍ଧମାଳ ବନ୍ଦ ଡାକରା ଦେଇଛନ୍ତି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ କଂଗ୍ରେସର ଏକ ଟିମ୍‌ ଗୁଳିକାଣ୍ଡ ସ୍ଥଳ କୁର୍ତମଗଡ଼ ପରିଦର୍ଶନ କରିଛନ୍ତି। ଏହାସହ ଏହି ଟିମ୍‌ ମୃତକଙ୍କ ପରିବାର ଲୋକଙ୍କୁ ଭେଟିଛି। ଆଜି ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନରେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝି ସାମିଲ ହୋଇଥିଲେ।

ଦଳ ପକ୍ଷରୁ ଏହି ଘଟଣା ପାଇଁ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ନିରୀହ ଲୋକଙ୍କୁ ଏପରି ହତ୍ୟା କରାଯିବା ପ୍ରତିବାଦରେ ଆସନ୍ତାକାଲି କନ୍ଧମାଳ ବନ୍ଦ କରାଯିବ ବୋଲି ପିସିସି ସଭାପତି ପ୍ରସାଦ କହିଛନ୍ତି। ସେ କହିଛନ୍ତି, “ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ। କୁହାଯାଉଛି ମାଓବାଦୀଙ୍କ ସହ ଗୁଳି ବିନିମୟ ବେଳେ ଏପରି ଘଟିଲା। ମୃତକଙ୍କ ମଧ୍ୟରେ ଜଣେ ଦେଢ଼ ବର୍ଷର ପିଲା ଅଛି, ସେ କ‘ଣ ମାଓବାଦୀ ଥିଲା। ମାଓବାଦୀଙ୍କୁ ଦମନ କରିବାକୁ ଏସ୍‌ଓଜିଙ୍କୁ ମୁତୟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଏହାକୁ ବୁଝନ୍ତି। ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଓ ଅପରେସନ ଆଇଜି ସିଧାସଳଖ ଏହି ଦାୟିତ୍ୱ ବୁଝୁଛନ୍ତି। ଏମାନଙ୍କ ନିର୍ଦ୍ଦେଶରେ ମାଓ ଅପରେସନ ପରିଚାଳିତ ହୋଇଥାଏ। ବର୍ଷକ ମଧ୍ୟରେ ଏହା ୪ର୍ଥ ଘଟଣା। ଏହାକୁ ଭୁଲ ବୋଲି କହିହେବ ନାହିଁ।”

ପ୍ରଦୀପ ମାଝି କହିଛନ୍ତି, “ଜଙ୍ଗଲ ହେଉଛି ଆମ ଘର। ଆମ ଘର ଭିତରେ ପଶି ଆମକୁ ହତ୍ୟା କରିଛନ୍ତି। ଥରେ ନୁହେଁ କି ଦୁଇ ଥର ନୁହେଁ ବାରମ୍ବାର ଏପରି ଘଟୁଛି। ଏହାକୁ ଭୁଲ କୁହାଯାଇ ପାରିବ ନାହିଁ। ଜାଣିଣୁଣି ଏପରି କରାଯାଉଛି, ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟୀ। ତାଙ୍କ ନିର୍ଦ୍ଦେଶରେ ଏହି କାଣ୍ଡି ଘଟିଛି।”

ସେ କହିଛନ୍ତି, “ନବୀନ ବାବୁ ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଜଣେ ଆଦିବାସୀ ହେଉ କି ଦଳିତ, ଆମ ମୁଣ୍ଡର ମୂଲ୍ୟ କ’ଣ ୫ ଲକ୍ଷ ଟଙ୍କା? ୫ ଲକ୍ଷ ଟଙ୍କା ଦେଇ ଆମକୁ ପ୍ରତିଦିନ ଏମିତି ମାରି ଚାଲିଥିବ। ଆଦିବାସୀ ଓ ଦଳୀତ ସମାଜ ଏହାକୁ ସହ୍ୟ କରିବେ ନାହିଁ। ଏହି ଘଟଣାର ଉଚିତ୍‌ ଜବାବ ଦେବୁ।”

ସେ ଆହୁରି କହିଛନ୍ତି, “ମାଓବାଦୀମାନେ ଏହି ନିରୀହ ଲୋକଙ୍କୁ ମାରିଥିବା କହି ଘଟଣାକୁ ଦବେଇ ଦେବାକୁ ଚେଷ୍ଟା କରାଯାଉଥିଲା। ଶୁକ୍ରବାର ରାତି ୮ଟାରେ ଏମାନଙ୍କ ଉପରକୁ ଗୁଳି ମାଡ ହୋଇଥିଲା। ଘଟଣା ସ୍ଥଳରେ ଏମାନଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଥିଲେ। ଶନିବାର ଦିନ ଦୁଇଟାରେ ଆହତମାନଙ୍କୁ ମେଡିକାଲ ନିଆଯାଇଥିଲା। ପ୍ରଶାସନ ପାଖରେ ଆମ୍ବୁଲାନ୍ସର ଅଭାବ ଥିଲା ନା ଲୋକ ଅଭାବ ଥିଲା ୧୬ ଘଣ୍ଟା ପରେ ଆହତଙ୍କୁ ମେଡିକାଲ ନିଆଗଲା। ଆହତଙ୍କୁ ମେଡିକାଲ ନ ନେଇ ମରିବାକୁ ଛାଡି ଦିଆଯାଇଥିଲା।”

ସେ କହିଛନ୍ତି, “ଆଦିବାସୀ ଓ ଦଳିତଙ୍କୁ ଭୟଭୀତ କରି ରଖିବାକୁ ଏହା ଏକ ଷଡଯନ୍ତ୍ର। ମାଆ, ଭଉଣୀମାନେ ଜଙ୍ଗଲକୁ ପତ୍ର, କାଠ ଆଣିବାକୁ ଯାଇପାରୁ ନାହାନ୍ତି, ଭୋକ ଉପାସରେ ରହୁଛନ୍ତି। ଏପରି ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ। ଆବଶ୍ୟକ ପଡିଲେ ଆଦିବାସୀ ସମାଜ ଅସ୍ତ୍ର ଉଠାଇବ ଓ ଅସ୍ତ୍ରର ଜବାବ ଅସ୍ତ୍ରରେ ଦିଆଯିବ।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ଓଡ଼ିଶା ସରକାର ଆଦିବାସୀ ବିରୋଧୀ ସରକାର। ସେ କଳିଙ୍ଗନଗର ହେଉ କି ଅନ୍ୟ ଜାଗା, ବିଭିନ୍ନ କାରଣ ନେଇ ଆଦିବାସୀଙ୍କୁ ହତ୍ୟା କରାଯାଉଛି। ଏହା ଏକ ଦୁର୍ଘଟଣା ବୋଲି କୁହାଯାଉଛି। ଏହାର ମାନେ ମାଓବାଦୀ ଅଞ୍ଚଳରେ ରାସ୍ତାରେ ଗଲାବେଳେ ଏପରି ଗୁଳିମାଡ଼ ଖାଇବାକୁ ପଡିବ। ଉଦ୍ଦେଶ୍ୟମୂଳକ ଭାବେ ହତ୍ୟା କରାଯାଇ ନ ଥିଲେ ମଧ୍ୟ ଯଦି ଏପରି ଘଟିବାର ସମ୍ଭାବନା ଥିଲା ତାହା ହେଲେ ମଧ୍ୟ ଅପରାଧ।”

କେବଳ କଂଗ୍ରେସ ନୁହେଁ ବିଜେପି ମଧ୍ୟ ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ନବୀନ ସରକାରକୁ ଦାୟୀ କରିଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍‌ ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି, “ଏହା ଆଦିବାସୀ ବିରୋଧୀ ମାନସିକତାର ପରିଚୟ। ଆଦିବାସୀଙ୍କୁ ଦବାଇବାକୁ ଏପରି କରାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ସିଧାସଳଖ ଦାୟୀ, ବିଜେଡିର ଏହା ଏକ ଚକ୍ରାନ୍ତ। ଘଟଣାର ତଦନ୍ତ ପାଇଁ ଜାତୀୟ ଏସ୍‌ଟି କମିଶନଙ୍କ ଅଧ୍ୟକ୍ଷତାରେ ଏକ ଟିମ୍‌ ଶୀଘ୍ର କନ୍ଧମାଳ ଆସିବ।”

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି, “ବିଚାର ବିଭାଗୀୟ ତଦନ୍ତ ଘୋଷଣା କେବଳ କୁମ୍ଭୀର କାନ୍ଦଣା। ନିଜ ଆଡୁ ଏସ୍‌ଆଇଟି ଗଠନ କରି ହାଇକୋର୍ଟଙ୍କ ତଦାରଖରେ ଜଣେ ସିଟିଂ ଜଜ୍‌ଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯାଉ। ଏହା ସାମାନ୍ୟ ଘଟଣା ନୁହେଁ, ଗରିବ ଲୋକଙ୍କ ପ୍ରତି ସରକାରଙ୍କ ମନୋଭାର ପରିଚୟ।”

ସେ କହିଛନ୍ତି, “କିଛି ଟଙ୍କା ଓ ଚାକିରି ଦେଇଦେବା ଗୌଣ। ଗୋଟେ ବ୍ୟବସ୍ଥା ଯେତେବେଳେ ଭୁଷୁଡି ପଡ଼େ ଏପରି ଘଟଣା ଘଟେ ଓ ଏପରି ମନ୍ତବ୍ୟ ଦିଆଯାଏ। ଜଣେ ବି ପୋଲିସ ଦେହରେ ଗୁଳି ବାଜି ନାହିଁ। ମାଓବାଦୀଙ୍କର କିଛି କ୍ଷତି ହୋଇନାହିଁ। କେଉଁ ପରିସ୍ଥିତିରେ ଏମାନଙ୍କ ମୃତ୍ୟୁ ଘଟିଲା। ଏହାକୁ ନେଇ ରାଜନୀତି କରା ନ ଯାଉ। ଓଡ଼ିଶାର ଆଦିବାସୀ ସମାଜ ପ୍ରତି ଅନ୍ୟାୟ ହୋଇଛି।”

ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି,“ କନ୍ଧମାଳ ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ୨୦୦୫ ମସିହା ପରେ କଳିଙ୍ଗନଗର ଘଟଣାର ପୁନରାବୃତ୍ତି ହୋଇଛି। ପୋଲିସ୍ ଗୁଳିରେ ଯେଉଁମାନେ ଶିକାର ହେଲେ ସେଥିରେ ସବୁଠୁ ଦୁଃଖଦ ଘଟଣା ହେଉଛି ୨ ବର୍ଷର ଶିଶୁର ମୃତ୍ୟୁ ଘଟିଛି, ଯାହା ଭାରତ ବର୍ଷର କୌଣସି ରାଜ୍ୟରେ ହୋଇ ନ ଥିଲା। ପୋଲିସ୍‌ ଯେତେବେଳେ ମାଓବାଦୀମାନଙ୍କୁ ଦମନ କରିବାକୁ ଯାଉଛି ସେତେବେଳେ ସାଧାରଣ ଲୋକଙ୍କ ଉପରକୁ ଗୁଳି କରା ଗଲା କିପରି? ଏହା ହେଉଛି ମୁଖ୍ୟ ପ୍ରସଙ୍ଗ। ପୋଲିସ୍ ମାଓବାଦୀଙ୍କ ଉପରକୁ ଗୁଳି ଚଳାଇବା ସମୟରେ ଯଦି ଅଟୋ ଆସିଗଲା, ଅଟୋ ଉପରକୁ କାହିଁକି ଗୁଳି ଚଳାଇବ? ତରବରିଆ ଭାବେ ସରକାର ତଦନ୍ତ କମିଶନ ଓ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।  କେହି ଦାବି ନ କରିବା ପୂର୍ବରୁ ସହାୟତା ରାଶି ଘୋଷଣା କରିଦେଲେ ସେଥିରୁ ପ୍ରମାଣିତ ହୋଇଯାଉଛି ଯେ ସରକାର ଦୋଷୀ। ଦୋଷୀ ଯେଭଳି ଆଗ ନିଜକୁ ପୋଲିସ୍ ଆଗରେ ଆତ୍ମସମର୍ପଣ କରି ଦିଏ, ସେହିଭଳି ସରକାର ମଧ୍ୟ ସାଧାରଣ ଲୋକଙ୍କ ପାଖରେ ଆତ୍ମସମର୍ପଣ କରି ଦେଇଛନ୍ତି।  ୫ କି ୬ ନୁହଁ ପୋଲିସ୍‌ ଗୁଳିରେ ଅଧିକ ଲୋକ ଶିକାର ହୋଇଛନ୍ତି ।”

ସେ କହିଛନ୍ତି, “ସରକାର କେବଳ ତଦନ୍ତ କମିଶନ ଓ ସହାୟତା ରାଶି ଘୋଷଣା କରି ଖସି ଯିବାକୁ ଉଦ୍ୟମ କରୁଛନ୍ତି। ଏସ୍‌ପି ଓ ଆଇଜି ଯେଉଁ ବିବୃତି ରଖିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ। ଉଭୟଙ୍କୁ ତୁରନ୍ତ ସେଠାରୁ ହଟାଇବା ଆବଶ୍ୟକ। ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ଦରକାର। ଯେହେତୁ ସେମାନେ ୬ ଜଣ ଆଦିବାସୀଙ୍କ ହତ୍ୟାରେ ସଂପୃକ୍ତ ସେମାନଙ୍କ ନାଁରେ ହତ୍ୟା ମକଦ୍ଦମା ରୁଜୁ ହେବା ଦରକାର, ନ ହେଲେ ପୁଣି କଳିଙ୍ଗନଗର ଭଳି ସାରା ଓଡ଼ିଶାରେ ଆଦିବାସୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବ।”

ବିରୋଧୀଙ୍କ ଏପରି ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି। ଏହା ଏକ ଆକସ୍ମିକ ଓ ଦୁଃଖଦାୟକ ଘଟଣା, ଏହାକୁ ନେଇ ରାଜନୀତି କରା ନ ଯାଉ ବୋଲି ଦଳ କହିଛି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ”ଘଟଣା ଆକସ୍ମିକ ଘଟିଛି। କ’ଣ ପାଇଁ ଏହି ଘଟଣା ଘଟିଲା ତାହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟକୁ ଆମକୁ ଅପେକ୍ଷା କରାଯିବା ଉଚିତ। ଏଥିପାଇଁ ଯିଏ ଦୋଷୀ ତାଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ସବୁ ଘଟଣାକୁ ରାଜନୈତିକ ରଙ୍ଗ ବୋଳିବା ଜନସାଧାରଣଙ୍କ ସ୍ୱାର୍ଥ ସପକ୍ଷରେ ନୁହେଁ। ଏପରି କରାଯିବା ଦୁର୍ଗାଗ୍ୟଜନକ।”

ସିପିଏମ୍‌ ସମ୍ପାଦକ ଅଳିକିଶୋର ପଟ୍ଟନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଯାଇ ଆହତମାନଙ୍କୁ ଭେଟିଛନ୍ତି। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ ସହ ଗୁଳି ଚଳାଇଥିବା ସୁରକ୍ଷା ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ସେ ଦାବି କରିଛନ୍ତି।

କନ୍ଧମାଳରେ ୬ ଆଦିବାସୀଙ୍କୁ ହତ୍ୟା କରାଯିବା ସାରା ଦେଶରେ ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କ ପାଖରେ ଆଜି ସକାଳ ପର୍ଯ୍ୟନ୍ତ ଏ ନେଇ କିଛି ଖବର ନ ଥିଲା। ଆଜି ସକଳେ ସେ କହିଥିଲେ, “ମୁଁ ଓଡ଼ିଶାରେ ନ ଥିଲି, ଆଜି ଆସିଲି। ଘଟଣା ସମ୍ପର୍କରେ ମୋ ପାଖରେ କିଛି ଖବର ନାହିଁ। ଆଦିବାସୀମାନଙ୍କ ମୃତ୍ୟୁ କିପରି ଘଟିଲା ବିଭାଗୀୟ ଅଧିକାରୀଙ୍କଠାରୁ ବୁଝିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos