ଏଟି ଲିଙ୍କ୍‌: ଆଇନଜୀବୀ ଦେବାଶିଷଙ୍କ କାର ଜବତ କଲା ସିବିଆଇ

atଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ଖୋଳତାଡ଼ ଜାରି ରହିଛି। ଆଇନଜୀବୀ ଦେବାଶିଷ ପଣ୍ଡା ଏଟିଠାରୁ ନେଇଥିବା ୧୦ ଲକ୍ଷ ଟଙ୍କାର କାରକୁ ଆଜି ସିବିଆଇ ଜବତ କରିଛି। ସିବିଆଇ ଏସ୍‌ପି ନେତୃତ୍ୱରେ ଏକ ଟିମ୍‌ ଜେଲକୁ ଯାଇ ପୁଣି ପ୍ରଦୀପଙ୍କୁ ଜେରା କରିଛି।

୧୦ ଲକ୍ଷରୁ ଅଧିକ ଟଙ୍କାର ଓଆର-୦୨ବିଟି-୦୫୫୫ ନମ୍ବର ବିଶିଷ୍ଟ ଟୟୋଟା ଇନୋଭାକୁ ଦେବାଶିଷ ଏଟିଠାରୁ ନେଇଥିଲେ। ଏଟି ମାମଲା ପଦାକୁ ଆସିବା ପରଠାରୁ କାରଟିକୁ ଲୁଚାଇ ରଖାଯାଇଥିବା ବେଳେ ସିବିଆଇ ଏହାକୁ ଜବତ କରିଛି। ଦେବାଶିଷଙ୍କ ବିରୋଧରେ ଏହା ଏକ ପ୍ରମାଣ ବୋଲି ସିବିଆଇ କହିଛି। ଏହାସହ ଏଟି ସହ ତାଙ୍କ ଅର୍ଥ କାରବାର ନେଇ ମଧ୍ୟ ଖୋଳତାଡ଼ ଜାରି ରହିଛି।

ଆଜି ଝାରପଡ଼ା ଜେଲରେ ସିବିଆଇ ଟିମ୍‌ ପ୍ରଦୀପ ସେଠୀଙ୍କୁ ପୁଣି ଜେରା କରିଛି। ପ୍ରଥମ ଜେରା ପରେ ଦେବାଶିଷ ଏବଂ ପୂର୍ବତନ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ ଗିରଫ ହୋଇଥିଲେ। ଆଜିର ଜେରା ପରେ ପୁଣି କିଏ ଗିରଫ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଏହି ତାଲିକାରେ ନେତା, ମନ୍ତ୍ରୀ ଓ ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ଥିବା ଚର୍ଚ୍ଚା ହେଉଛି। ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ମୁଣ୍ଡ ଉପରେ ମଧ୍ୟ ସିବିଆଇ ଖଣ୍ଡା ଝୁଲୁଛି। ତାଙ୍କ ପଜେରୋ ଗାଡ଼ିକୁ ନେଇ ସିବିଆଇ ଖୋଳତାଡ ଜାରି ରଖିଛି।

ଦେବାଶିଷଙ୍କ ଗିରଫଦାରୀକୁ ଭୁବନେଶ୍ୱର ବାର ଆସୋସିଏସନ ବିରୋଧ କରିଛି। ଆସନ୍ତାକାଲି ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି।