ବସ୍‌ ମାଲିକଙ୍କ ଗିରଫ ପ୍ରତିବାଦରେ କଳାବ୍ୟାଜ୍‌ ପିନ୍ଧିଲେ ବସ୍‌ ମାଲିକ ଓ କର୍ମଚାରୀ

ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ମାଣିତ୍ରୀ ପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସ୍‌ର ମାଲିକ ଋଷଭ ତ୍ରିପାଠୀଙ୍କ ଗିରଫଦାରୀକୁ ଆଜି ଜୋରଦାର ବିରୋଧ କରିଛି ବସ୍ ମାଲିକ ସଂଘ। କଟକରେ ଆଜି ସଂଘର ସଦସ୍ୟମାନେ କଳାବ୍ୟାଜ୍ ପିନ୍ଧିବା ସହିତ ବସ୍‌ରେ କଳା ପତାକା ଲଗାଇ ପ୍ରତିବାଦ ଜଣାଇଥିଲେ। ବସ୍ ମାଲିକ ସଂଘର ଏକ ପ୍ରତିନିଧି ଦଳ ଆଜି ପରିବହନ ମନ୍ତ୍ରୀ ରମେଶ ମାଝିଙ୍କୁ ମଧ୍ୟ ଭେଟିଥିଲା ଓ ଗିରଫଦାରୀକୁ ବିରୋଧ କରିଥିଲା।

ଋଷଭଙ୍କ ଗିରଫଦାରୀ ବେଆଇନ ଓ ଆକ୍ରୋଶମୂଳକ ବୋଲି ବସ୍ ମାଲିକ ସଂଘ ଅଭିଯୋଗ କରିଛି। ତାଙ୍କ ବିରୁଦ୍ଧରେ ଲଗାଯାଇଥିବା ମାମଲା ତୁରନ୍ତ ପ୍ରତ୍ୟାହାର କରି ନେବା ପାଇଁ ସଂଘ ଦାବି କରିଛି। ସରକାରୀ ବସ୍ ଦୁର୍ଘଟଣାଗ୍ରସ୍ତ ହେଲେ ଓଏସ୍‌ଆର୍‌ଟିସି ସିଏମ୍‌ଡିଙ୍କୁ ଗିରଫ କରାଯିବ କି ବୋଲି ସଂଘ ପ୍ରଶ୍ନ କରିଛି।

ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି,“ ଗିରଫ ହୋଇଥିବା ମହାରାଜା ବସ୍‌ମାଲିକଙ୍କୁ ତୁରନ୍ତ ଜେଲରୁ ଛାଡ଼ିବା ସହ ତାଙ୍କ ନାଁରେ ଥିବା ମାମଲା ପ୍ରତ୍ୟାହାର କରିବାକୁ ପରିବହନ ମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛୁ। ମିଛ ମାମଲାରେ ବସ୍‌ମାଲିକଙ୍କୁ ଗିରଫ କରାଯାଇଥିବାରୁ ପ୍ରତିବାଦ କରାଯାଇଛି। ଏହି ମାମଲା ରୁଜୁ କରିଥିବା ଆଇଆଇସିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ଦାବି କରିଛୁ।”
ସେ କହିଛନ୍ତି,“ଆମ ଦାବି ପୂରଣ କରା ନ ଗଲେ ଆସନ୍ତା ୨୯ ତାରିଖରେ ୨୪ ଘଣ୍ଟିଆ ବସ୍‌ଧର୍ମଘଟ ଡାକରା ଦିଆଯାଇଛି। ୬ ତାରିଖ ସୁଦ୍ଧା ବସ୍‌ମାଲିକଙ୍କ ବିରୋଧରେ ରହିଥିବା ମାମଲା ପ୍ରତ୍ୟାହର କରା ନ ଗଲେ ୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ୍‌ ଧର୍ମଘଟ ଡାକରା ଦିଆଯିବ।”

ଅନ୍ୟପକ୍ଷରେ ବସ୍ ମାଲିକ ଗିରଫ ଘଟଣାରେ ରାଜ୍ୟ ଗୃହ ବିଭାଗ କୋର୍ଟକୁ ବଲ୍ ଫିଙ୍ଗିଛନ୍ତି ପରିବହନ ମନ୍ତ୍ରୀ। ସେ କହିଛନ୍ତି,“ମୋଟର ଭେଇକିଲ୍ ଆକ୍ଟ ଅନୁସାରେ ବସ୍ ମାଲିକଙ୍କୁ ଗିରଫ କରାଯାଇନାହିଁ। ତେଣୁ ଏନେଇ ଗୃହ ବିଭାଗ ଯାହା କିଛି ପଦକ୍ଷେପ ନେଇପାରିବ।”

ବସ୍‌ମାଲିକମାନେ ଦେଇ ଥିବା ଆନ୍ଦୋଳନ ଡାକରାକୁ ଟ୍ରକ୍‌ମାଲିକ ସଂଘ ସମର୍ଥନ ଜଣାଇଛି।

ଗତ ୯ ତାରିଖରେ ମହାରାଜ ନାମକ ଏକ ବସ୍ ଆଠମଲ୍ଲିକର ମାଣିତ୍ରୀ ପୋଲ ଉପରକୁ ଖସି ପଡ଼ିବା ଫଳରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା।