ବାଧା ଦେଲା ପୋଲିସ୍, ନବୀନ ନିବାସ ଘେରି ପାରିଲେନି ଗଣଶିକ୍ଷକ

ganasikhyakaଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ସମେତ ବିଭିନ୍ନ ଦାବି ନେଇ ଗଣଶିକ୍ଷକଙ୍କ ଆନ୍ଦୋଳନ ତୀବ୍ର ହୋଇଛି। ଦାବି ପୂରଣ ନେଇ ଆଜି ନବୀନ ନିବାସ ଘେରିବାକୁ ଉଦ୍ୟମ କରି ଥିଲେ ଗଣଶିକ୍ଷକ। କିନ୍ତୁ ସଫଳ ହୋଇ ନ ଥିଲେ। ସେମାନଙ୍କୁ ଶିଶୁ ଭବନ ନିକଟରେ ଅଟକାଇ ଦେଇଥିଲେ ପୋଲିସ୍। ଫଳରେ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଶିଶୁ ଭବନ ଛକରେ ଧାରଣା ଦେଇଥିଲେ। ପରେ ପୋଲିସ୍ ସେମାନଙ୍କୁ ଗିରଫ କରି ଥିଲା।

ନବୀନ ନିବାସ ଘେରିବା ପାଇଁ ଗଣଶିକ୍ଷକ ଶୋଭାଯାତ୍ରାରେ ଲୋୟର ପିଏମଜିରୁ ଶିଶୁଭବନ ଦେଇ ଯାଉଥିବା ବେଳେ ସେମାନଙ୍କୁ ରୋକା ଯାଇଥିଲା।

ଜଣେ ଆନ୍ଦୋଳନକାରୀ ଗଣଶିକ୍ଷକ କହିଛନ୍ତି ଯେ ନିୟମ ଅନୁଯାୟୀ ୬ ବର୍ଷ ପରେ ସରକାର ସେମାନଙ୍କ ଚାକିରିକୁ ସ୍ଥାୟୀ କରିବା କଥା। କିନ୍ତୁ ୮ ବର୍ଷ ବିତି ଯାଇଥିଲେ ବି ସରକାର ଏଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି। ତେଣୁ ଆଜି ୨୨ ହଜାର ଗଣଶିକ୍ଷକ ନବୀନ ନିବାସ ଘେରାଉ କରିବାକୁ ଆସିଛନ୍ତି।

ଅନ୍ୟ ଜଣେ ଗଣଶିକ୍ଷକ କହିଛନ୍ତି ଯେ ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଆମେ ଏଇଠି ବସି ରହିବୁ।

ସେହିପରି ବଲାଙ୍ଗିରରୁ ଆସିଥିବା ଆଉ ଜଣେ ଗଣଶିକ୍ଷକ କହିଛନ୍ତି, ସରକାର ଖାଲି ପ୍ରତିଶ୍ରୁତି ଦେଉଛନ୍ତି। ୩ ମାସ ପରେ କରି ଦେବୁ, ୨୦ ଦିନ ପରେ ହୋଇଯିବ ବୋଲି ସରକାର ଖାଲି ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ଗଣଶିକ୍ଷକମାନଙ୍କ ଚାକିରି ସ୍ଥାୟୀ କରୁ ନାହାନ୍ତି। ଗଣଣିକ୍ଷା ମନ୍ତ୍ରୀ କହିଛନ୍ତି ମନ୍ତ୍ରୀସ୍ତରୀୟ ସବ୍ କମିଟି ଏସଂପର୍କିତ ଚୂଡ଼ାନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛି। ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ତେବେ କେବେ ସୁଦ୍ଧା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ, ତାହା କହି ନାହାନ୍ତି ମନ୍ତ୍ରୀ। ତେଣୁ ଆମର ବିଶ୍ୱାସ ହେଉ ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଆମ ଦାବି ସଂପର୍କରେ ଅବଗତ କରିବା ପାଇଁ ଆମେ ନବୀନ ନିବାସ ଆଡକୁ ଯାଉଥିଲୁ। ପୋଲିସ୍ ଆମକୁ ଅଟକାଇଛି। କିନ୍ତୁ ଦାବି ପୂରଣ ନ ହେଲା ଯାଏଁ ଆନ୍ଦୋଳନ ଜାରି ରହିବ।

ଅନ୍ୟପକ୍ଷରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି, ଆରଟିଇ ଆକ୍ଟ ଅନୁଯାୟୀ ଗଣଶିକ୍ଷକମାନଙ୍କୁ ନିୟମିତ କରାଯାଇ ପାରିବ ନାହିଁ। କାରଣ ସେମାନେ ନିୟମିତ ନିଯୁକ୍ତି ପ୍ରକ୍ରିୟାରେ ଆସି ନାହାନ୍ତି। ସେଥିପାଇଁ ସରକାର ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଚିନ୍ତା କରୁଛନ୍ତି। ୨୦୧୩ ରିଜୋଲ୍ୟୁସନକୁ କୋହଳ କରିବାକୁ ଚେଷ୍ଟା କରାଯାଉଛି। ସେମାନଙ୍କ ପାଇଁ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଛି। କିନ୍ତୁ ଗଣଶିକ୍ଷକମାନେ ଖାଲି ବ୍ୟସ୍ତ ହୋଇଯାଉଛନ୍ତି।

ଗଣଶିକ୍ଷକଙ୍କ ସମସ୍ୟାର ସମାଧାନ ନେଇ ମନ୍ତ୍ରୀସ୍ତରୀୟ ସବ୍ କମିଟି ଦେଇଥିବା ରିପୋର୍ଟରେ ଗଣଶିକ୍ଷକ ମହାସଂଘ ଅସନ୍ତୋଷ ପ୍ରକାଶ କରିଛି। ଦାବି ମୁତାବକ ରିପୋର୍ଟ ପ୍ରସ୍ତୁତ ହୋଇ ନ ଥିବା ମହାସଂଘ ଆଶଙ୍କା କରିଛି। ଏହାକୁ ନେଇ ଗତକାଲି ହଜାର ହଜାର ଗଣଶିକ୍ଷକ ଲୋୟର ପିଏମଜିରେ ଧାରଣା ଦେଇଥିଲେ। ସ୍ଥାୟୀ ନିଯୁକ୍ତି ସମେତ ବିଭିନ୍ନ ଦାବି ନେଇ ଗଣଶିକ୍ଷକମାନେ ଗତ ଡିସେମ୍ୱର ୨୨ ତାରିଖରୁ ଆନ୍ଦୋଳନ ଚଳାଇଛନ୍ତି।