ନେତା ଦଳ ଛାଡିବେ ବୋଲି ଗତ ସପ୍ତାହରୁ ସତର୍କ କରାଇଥିଲି: ବୈଜୟନ୍ତ

ଭୁବନେଶ୍ୱର: ଦୁଇ ଦିନରେ ବିଜେଡିରୁ ଦୁଇ ଜଣ ନେତା ସେମାନଙ୍କ ଶତାଧିକ ସମର୍ଥକଙ୍କ ସହ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଏହାକୁ ନେଇ କେନ୍ଦ୍ରାପଡ଼ା ସାଂସଦ ପ୍ରତିକ୍ରିୟା ରଖିଛନ୍ତି। ଟ୍ୱିଟ୍‌ ଜରିଆରେ ବୈଜୟନ୍ତ ନିଜ ମତ ରଖିବା ସହ ଏପରି ସ୍ଥିତି ନେଇ ଗତ ସପ୍ତାହରୁ ସତର୍କ କରାଇ ଥିଲି ବୋଲି କହିଛନ୍ତି।

ଗତକାଲି ବଡଚଣା ଅଞ୍ଚଳର ଅମର ନାୟକ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ମିଶି ହୋଇଥିଲେ।  ଆଜି କୋରାପୁଟର ପୂର୍ବତନ ସାଂସଦ ତଥା ଦଳର ବରିଷ୍ଠ ନେତା ଜୟରାମ ପାଙ୍ଗି ଛାଡିବା ନେଇ ବୈଜୟନ୍ତ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ ଗତ ସପ୍ତାହରେ ଏନେଇ ଦଳକୁ ସତର୍କ କରାଇ ଦେଇଥିଲେ। ତେବେ ତାଙ୍କ ମତକୁ ବିରୋଧ କରାଯାଇଥିଲା।

ଆଜି ବୈଜୟନ୍ତଙ୍କ ଟ୍ୱିଟ୍‌ ଉପରେ ପ୍ରତାପ ଦେବ କହିଛନ୍ତି,“ଟ୍ୱିଟ୍‌ ଯୋଗେ ଯେଉଁ ପ୍ରଶ୍ନ ପଚାରିଛନ୍ତି, ବିଜେପିକୁ ପଚାରନ୍ତୁ। ଜୟରାମ ପାଙ୍ଗିଙ୍କ ବିରୋଧରେ ସିବିଆଇ ତଦନ୍ତ ଦାବି କରୁଥିଲେ, ଏବେ କେମିତି ନେଲେ ? ୩୦ ଜିଲ୍ଲାରୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ ଦେବା ସମ୍ଭବ ନୁହେଁ। ମନ୍ତ୍ରିମଣ୍ଡଳରେ ୨୧ ମନ୍ତ୍ରୀ ରହିବା, କିଛି ଜିଲ୍ଲା ବାଦ ପଡିବା ନିଶ୍ଚିତ। କାହାକୁ ମନ୍ତ୍ରୀ କରିବେ ତାହା ମୁଖ୍ୟମନ୍ତ୍ରୀଙ୍କ ପ୍ରେରୋଗେଟିଭ। ମୁଖ୍ୟମନ୍ତ୍ରୀଙ୍କ ଅଧିକାରକୁ ନେଇ ପ୍ରଶ୍ନ କରିବା ଠିକ ନୁହେଁ।”

ଷଡ଼ଯନ୍ତ୍ର ଯୋଗୁଁ କିଛି ପୁରୁଖା ନେତା ଦଳ ଛାଡିଥିଲେ। ସମାନ କାରଣକୁ ନେଇ ଆଉ କିଛି ନେତା ଦଳ ଛାଡିବେ ବୋଲି ବୈଜୟନ୍ତ ପୂର୍ବରୁ ଟ୍ୱିଟ୍‌ କରିଥିଲେ। ତେବେ ଷଡ଼ଯନ୍ତ୍ର ପ୍ରମାଣ ଥିଲେ ବୈଜୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଦିଅନ୍ତୁ ବୋଲି ଦଳୀୟ ମୁଖପାତ୍ର ପ୍ରତାପ ଦେବ କହିଥିଲେ।