ଚାନ୍ଦିପୁରରୁ ଉତ୍‌କ୍ଷେପଣ ହେଲା ଅଗ୍ନି-୫

ବାଲେଶ୍ୱର: ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୫ର ଶେଷ ଡେଭଲପ୍‌ମେଣ୍ଟାଲ୍‌ ପରୀକ୍ଷଣ ଆଜି କରାଯାଇଛି। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ଡକ୍ଟର ଏ.ପି.ଜେ ଅବଦୁଲ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ସକାଳ ୧୧ଟା ୫ରେ ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା।

ଅଗ୍ନି-୫ ଭୂପୃଷ୍ଠରୁ ଭୂପୃଷ୍ଠକୁ ୫୦୦୦ କିଲୋମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ। ସମଗ୍ର ଏସିଆ ମହାଦେଶ ସମେତ ଆଫ୍ରିକା ଓ ୟୁରୋପର କିଛି ଅଂଶକୁ ଟାର୍ଗେଟ କରିବା ପାଇଁ ଏହାର କ୍ଷମତା ରହିଛି।

ଅଗ୍ନି-୫ର ଲମ୍ବ ୧୭.୫ ମିଟର ହୋଇଥିବା ବେଳେ ମୋଟେଇ ୨ ମିଟର। ଏହା ୧,୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପାରମ୍ପାରିକ ଓ ପରମାଣୁ ଅସ୍ତ୍ର ବହନ କରିନେବାର କ୍ଷମତା ରଖେ।

ଅଗ୍ନି-୫ର ପ୍ରଥମ ପରୀକ୍ଷଣ ୨୦୧୨ ଏପ୍ରିଲ୍ ୧୯ ତାରିଖରେ କରାଯାଇଥିଲା। ଏହାର ଦ୍ୱିତୀୟ ପରୀକ୍ଷଣ ୨୦୧୩ ସେପ୍ଟେମ୍ବର ୧୫ ତାରିଖରେ କରାଯାଇଥିବା ବେଳେ ୨୦୧୫ ଜାନୁଆରୀ ୩୧ ତାରିଖରେ କରାଯାଇଥିଲା ତୃତୀୟ ପରୀକ୍ଷଣ। ସବୁତକ ପରୀକ୍ଷଣ ଚାନ୍ଦିପୁରରେ ହିଁ କରାଯାଇଥିଲା।