ସିପେଟ୍‌ର ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ୬ ଆହତ

ବାଲେଶ୍ୱର: ବାଲେଶ୍ୱର ଶିଳ୍ପାଞ୍ଚଳରେ ଆଜି ଅପରାହ୍ନ ପ୍ରାୟ ଅଢ଼େଇଟା ବେଳେ ହଠାତ୍‌ ସିପେଟ୍‌ର ଏକ ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିବାରୁ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବାଲେଶ୍ୱର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ ୫ ଜଣ ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ବୋଲି ଜଣାପଡ଼ିଛି।

ଅଗ୍ନିଶମ, ଓଡ୍ରାଫ୍ ଓ ଏନ୍‌ଡିଆର୍‌ଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ।  ବାଲେଶ୍ୱର ଜିଲ୍ଲାପାଳ, ଏଡିଏମ୍ ଓ ଏସ୍‌ପି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ତଦାରଖ କରିଥିଲେ।

ବାଲେଶ୍ୱର ଏଡିଏମ୍ ମନ୍ମଥ ପାଣି କହିଛନ୍ତି,“ସର୍ଚ୍ଚ ଅପରେସନ୍ ଶେଷ ହୋଇଛି। ଭୁଶୁଡ଼ି ପଡ଼ିଥିବା କଂକ୍ରିଟ୍ ତଳେ ଆଉ କେହି ନାହାନ୍ତି। ଏହି ଘଟଣାର ତଦନ୍ତ କରିବା ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରାଯିବ। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୋଲିସ୍ ପକ୍ଷରୁ ଏନ୍‌ବିସିସି ନାଁରେ ଏତଲା ରୁଜୁ କରାଯିବ।”

ଭୁଶୁଡ଼ି ପଡ଼ିଥିବା କୋଠାଟି ସିପେଟ୍‌ର ହଷ୍ଟେଲ୍ ପାଇଁ ନିର୍ମାଣ ଚାଲିଥିଲା।