ଆସନ୍ତାକାଲି ବାଲିଗୁଡ଼ା ଓ ଚମ୍ପୁଆ ଏନଏସି ନିର୍ବାଚନ

କନ୍ଧମାଳ/କେନ୍ଦୁଝର: ଆସନ୍ତାକାଲି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଓ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏନ୍ଏସି ପାଇଁ ହେବ ମତଦାନ। ଦୁଇ ଏନ୍ଏସିରେ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୫ଟା ଯାଏଁ ଚାଲିବ।

୧୩ଟି ୱାର୍ଡ ବିଶିଷ୍ଟ ନବଗଠିତ ବାଲିଗୁଡ଼ା ଏନ୍ଏସିରେ ଭୋଟର ସଂଖ୍ୟା ରହିଛି ୧୨,୭୬୪। ସମସ୍ତ ୱାର୍ଡରେ ବିଜେଡ଼ି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଦେଇଛନ୍ତି। ଆସନ୍ତାକାଲି ଭୋଟଗ୍ରହଣ ପରେ ୨୧ ତାରିଖରେ ହେବ ଗଣତି। ନିର୍ବାଚନ ପାଇଁ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

ସେହିପରି ଚମ୍ପୁଆ ଏନ୍ଏସିରେ ମଧ୍ୟ ଆସନ୍ତାକାଲି ହେବ ମତଦାନ। କେନ୍ଦୁଝର ପୌରାଧ୍ୟକ୍ଷା ପଦ ହରାଇବା ପରେ ଏବେ ଚମ୍ପୁଆ ଏନ୍ଏସି ଜିତିବା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ତେଣୁ ମନ୍ତ୍ରୀଠାରୁ ବିଧାୟକ, ଏପରିକି ଷ୍ଟାର କ୍ୟାମ୍ପେନର ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦିନରାତି ଏକ୍ କରି ପ୍ରଚାର କରିଥିଲେ। ବିଜେପି ଓ ବିଜେଡି ସମସ୍ତ ୧୩ଟି ଯାକ ୱାର୍ଡରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ମାତ୍ର ୮ଟି ୱାର୍ଡରେ ନିର୍ବାଚନ ଲଢୁଛି। ଏଠି ମୋଟ ଭୋଟର ସଂଖ୍ୟା ରହିଛି ୯,୮୦୫। ଏଠି ବି ୨୧ ତାରିଖରେ ହେବ ଭୋଟ୍ ଗଣତି ହେବ।ଝାଡ଼ଖଣ୍ଡ ସୀମାକୁ ଲାଗିଥିବା ଚମ୍ପୁଆ ଏନ୍ଏସିର ମୋଟ ୧୩ ବୁଥ୍ ମଧ୍ୟରୁ ୭ଟି ଅତି ସମ୍ୱେଦନଶୀଳ ଓ ୬ଟି ସମ୍ୱେଦନଶୀଳ ଭାବେ ଚିହ୍ନଟ ହୋଇଛି। ଶାନ୍ତିଶୃଙ୍ଖଳାର ମତଦାନ ପାଇଁ ଏଠାରେ ପୋଲିସ୍ ସହ ସିଆରପିଏଫ୍ ମଧ୍ୟ ମୁତୟନ ହୋଇଛନ୍ତି।