ଚମ୍ପୁଆ ଓ ବାଲିଗୁଡ଼ା ଏନଏସି ନିର୍ବାଚନ ଶେଷ: ଇଭିଏମରେ ୮୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍

କେନ୍ଦୁଝର/କନ୍ଧମାଳ: ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି କନ୍ଧମାଳ ଜିଲ୍ଲାର ନବଗଠିତ ବାଲିଗୁଡ଼ା ଓ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଏନ୍ଏସି ନିର୍ବାଚନ। ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ ୫ଟାରେ ଶେଷ ହୋଇଥିଲା। ଆସନ୍ତା ୨୧ ତାରିଖରେ ଉଭୟ ଏନଏସିର ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ଏହି ଦୁଇଟି ଏନ୍ଏସିରେ ୧୩ଟି ଲେଖାଏଁ ୱାର୍ଡ ରହିଛି।

ବାଲିଗୁଡ଼ାରେ ମତଦାନ ପାଇଁ ମୋଟ୍ ୧୬ଟି ବୁଥ୍ କରାଯାଇଥିଲା। ଏଥିରେ ମୋଟ ୭୪ ପ୍ରତିଶତ ମତଦାନ ହୋଇଛି। ମୋଟ ୧୨ ହଜାର ୭୬୪ ଭୋଟରଙ୍କ ମଧ୍ୟରୁ ୯ହଜାର ୪୨୫ ମତ ସାବ୍ୟସ୍ତ କରିଛନ୍ତି। ସମସ୍ତ ୱାର୍ଡରେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଦେଇଛନ୍ତି। ମାଓ ପ୍ରଭାବିତ ବାଲିଗୁଡ଼ା ଅଞ୍ଚଳରେ ନିର୍ବାଚନକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ସେହିପରି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏନ୍ଏସିରେ ମଧ୍ୟ ଶାନ୍ତିଶୃଙ୍ଖଳା ସହ ମତଦାନ ଶେଷ ହୋଇଛି। ଏଠାରେ ୮୩.୩ ପ୍ରତିଶତ ମତଦାନ ହୋଇଛି। ଏନଏସିରେ ମୋଟ ୧୩ଟି ବୁଥ୍ କରାଯାଇଥିଲା। ସେଥିମଧ୍ୟରୁ ୭ଟିକୁ ଅତି ସମ୍ୱେଦନଶୀଳ ଓ ୬ଟିକୁ ସମ୍ୱେଦନଶୀଳ ଭାବେ ଚିହ୍ନଟ କରାଯାଇଥିଲା। ଶାନ୍ତିଶୃଙ୍ଖଳାର ମତଦାନ ପାଇଁ ଏଠାରେ ପୋଲିସ୍ ସହ ସିଆରପିଏଫ୍ ମଧ୍ୟ ମୁତୟନ କରାଯାଇଥିଲା।