ବନ୍ୟଜନ୍ତୁଙ୍କ ଧରିବା କୌଶଳ ଭିଡ଼ିଓ ସୋସିଆଲ୍‌ ମିଡିଆରୁ ଅପସାରଣ ପାଇଁ ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି ବନ୍ୟଜନ୍ତୁଙ୍କ ଧରିବା ଓ ଶିକାର କରିବାର ଭିଡିଓ। କେମିତି ଧରାପଡ଼ିବେ ଠେକୁଆ? କେମିତି କାବୁ ହେବେ ସାପ? କେମିତି ଫାସରେ ଫସିବେ ଚଢ଼େଇ? ଫାସ ତିଆରିଠୁ ନେଇ ଜନ୍ତା ବସାଇବା ଯାଏଁ ସବୁ ତଥ୍ୟ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ଏ ସବୁ ଭିଡିଓ ସୋସିଆଲ୍ ସାଇଟ୍‌ରୁ ଅପସାରଣ କରିବା ପାଇଁ ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ୍ ବ୍ୟୁରୋକୁ ଚିଠି ଲେଖିଛନ୍ତି ଖୋର୍ଦ୍ଧା ଜିଲ୍ଲା ଅନରାରୀ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡନ୍। ଏହି ଚିଠିରେ କିଛି ସୋସିଆଲ୍ ସାଇଟ୍‌ର ନାଁ ମଧ୍ୟ ଉଲ୍ଲେଖ ରହିଛି।

ଅନରାରୀ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡନ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି-“ବନ୍ୟଜନ୍ତୁଙ୍କୁ ଜନ୍ତା ବସାଇ ଧରିବା ଭାରି ସହଜ। ଏଥିପାଇଁ ଗୁଳି ଫୁଟାଇବା ଦରକାର ନାହିଁ। ଏପରି ସ୍ଥଳେ ବନ୍ୟଜନ୍ତୁଙ୍କୁ ଧରିବା କୌଶଳ ସୋସିଆଲ ମିଡ଼ିଆରେ ପ୍ରଚାର କରିବା ଦ୍ୱାରା ଲୋକେ ପଥଭ୍ରଷ୍ଟ ହେଉଛନ୍ତି। ତେଣୁ ଏହି ସବୁ ସୋସିଆଲ ସାଇଟ୍‌କୁ ବନ୍ଦ କରିବାକୁ ଆମେ ଦାବି କରୁଛୁ।”

ନିକଟରେ ଅଣ୍ଡିରା ଗୋଧିର ଯୌନାଙ୍ଗରୁ ତିଆରି ସାମଗ୍ରୀକୁ ଅନ୍‌ଲାଇନ୍‌ ଜରିଆରେ ବିକ୍ରି କରୁଥିବା ଏକ ରାକେଟ୍‌ ଭୁବନେଶ୍ୱରରୁ ଧରିଥିଲା କ୍ରାଇମ୍‌ବ୍ରାଞ୍ଚ ଓ ବନ ବିଭାଗର ମିଳିତ ଟିମ୍। ତେବେ ସୋସିଆଲ୍ ସାଇଟ୍‌ରେ ଘୁରୁବୁଲୁଥିବା ଜନ୍ତୁ ଧରା କୌଶଳ ସଂପର୍କିତ ଭିଡିଓକୁ ଗମ୍ଭୀରତାର ସହ ନେଇଛି ବନ୍ୟବିଭାଗ ଓ ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ।