ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ବାରିପଦା: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଚାନକ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପରିଦର୍ଶନରେ ଯାଇଥିଲେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମେଡ଼ିକାଲ କଲେଜର ସ୍ଥିତି ଅନୁଧ୍ୟାନ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଆଜି ଦିନ ୧୨ଟା ୪୦ ମିନିଟରେ ସହର ଉପକଣ୍ଠ ରଙ୍ଗମାଙ୍ଗିଆରେ ନିର୍ମାଣ ହେଉଥିବା ମେଡିକାଲ କଲେଜ ନିକଟରେ ପହଞ୍ଚି ଥିଲେ। ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ପରେ ସେ ମେଡିକାଲ କଲେଜ ବୁଲିବା ସହିତ ବିଭିନ୍ନ ଉନ୍ନୟନ କାମର ଅନୁଧ୍ୟାନ କରିଥିଲେ। ଏଥିସହ ସେ ନିର୍ମାଣ କାମର ଅଗ୍ରଗତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ବେଳେ ସହ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା, ମେଡିକାଲ କଲେଜ ଡିନ୍ କୃଷ୍ଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଚଳିତ ବର୍ଷଠାରୁ ବାରିପଦା ମେଡିକାଲ କଲେଜରେ ନାମ ଲେଖା ନେଇ ସମସ୍ୟା ଦେଖାଦେଇଥିଲେ। ଏ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ମାଣ୍ଡାଟେଡ୍ କମିଟିର ଦ୍ୱାରସ୍ଥ ହୋଇଥିଲେ। ପରେ କମିଟି ନାମ ଲେଖା ପାଇଁ ଅନୁମତି ଦେଇଥିଲେ।