ବସନ୍ତ ପଣ୍ଡା ରାଜ୍ୟ ବିଜେପିର ନୂଆ ସଭାପତି

basanta panda
ରାଜ୍ୟ ବିଜେପିର ନୂଆ ସଭାପତି ବସନ୍ତ ପଣ୍ଡା

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିଜେପି ବିଧାୟକ ଦଳ ନେତା ବସନ୍ତ ପଣ୍ଡା ହୋଇଛନ୍ତି ଦଳର ନୂଆ ରାଜ୍ୟ ସଭାପତି। ସେ ନିର୍ଦ୍ୱନ୍ଦ୍ୱରେ ଏହି ପଦବୀକୁ ନିର୍ବାଚିତ ହୋଇଛନ୍ତି। ଗୁରୁବାର ବିଜେପି ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି।

ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ ଗତକାଲି ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏହି ବିଜ୍ଞପ୍ତି ପ୍ରକାରେ ଆଜି ବସନ୍ତ ପଣ୍ଡା ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ବସନ୍ତ ପଣ୍ଡା ନିର୍ଦ୍ୱନ୍ଦ୍ୱରେ ସଭାପତି ପଦବୀକୁ ନିର୍ବାଚିତ ହେଲେ  ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ନିର୍ବାଚନ ଅଧିକାରୀ ରାଜକିଶୋର ଦାସ। ନିର୍ବାଚନ ପର୍ଯ୍ୟବେକ୍ଷକ ସରୋଜ ପାଣ୍ଡେଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଥିଲା।

ବିଧିବଦ୍ଧ ଘୋଷଣା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସନ୍ତ ପଣ୍ଡାକୁ ସମ୍ବର୍ଦ୍ଧିତ କରାଯାଇଛି। ସମ୍ବର୍ଦ୍ଧନା ଉତ୍ସବରେ ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂ, ନିର୍ବାଚନ ପର୍ଯ୍ୟବେକ୍ଷକ ସରୋଜ ପାଣ୍ଡେ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ, ସମୀର ଦେ, ମନମୋହନ ସାମଲ, ପୂର୍ବତନ ସାଂସଦ ରୁଦ୍ର ପାଣିଙ୍କ ସମେତ ଦଳର ଅନ୍ୟ ସମସ୍ତ ପ୍ରମୁଖ ନେତାଙ୍କ ସହିତ ସାଂଗଠନିକ ଜିଲ୍ଲାର ସଭାପତି ଓ କର୍ମୀମାନେ ଉପସ୍ଥିତ ରହିଥିଲେ।

ବସନ୍ତ ପଣ୍ଡା ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ସାଜିବେ ବୋଲି ଦୁଇ ଦିନ ହେଲାଣି ସ୍ପଷ୍ଟ ହୋଇଯାଇଥିଲା। ଦଳ ଭିତରେ ତାଙ୍କ ନାଁ ଉପରେ ସହମତି ପ୍ରକାଶ ପାଇଥିବା ଜଣାପଡ଼ିଥିଲା। ଗତକାଲି ଦଳର ଅନ୍ୟତମ ବରିଷ୍ଠ ନେତା ମନମୋହନ ସାମଲ ମଧ୍ୟ କହିଥିଲେ ଯେ ନିର୍ବାଚନ ଦରକାର ପଡ଼ିବ ନାହିଁ। ଜଣଙ୍କ ନାଁ ଉପରେ ସହମତି ହେବ। ସେ ହିଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବେ ଓ ସଭାପତି ହେବେ।

ବସନ୍ତ ପଣ୍ଡାଙ୍କ ରାଜନୈତିକ କ୍ୟାରିୟର

୨୦୦୦ ମସିହାରେ ନୂଆପଡ଼ା ଆସନରୁ ଜିତିଥିଲେ ବସନ୍ତ ପଣ୍ଡା। ୨୦୧୪ ନୂଆପଡ଼ାରୁ ନିର୍ବାଚିତ ହୋଇ ସେ ବିଧାନସଭାକୁ ଆସିଥିଲେ। ସେ ଜଣେ ସଙ୍ଗଠକ ଭାବେ ବେଶ୍ ଜଣାଶୁଣା। ପଶ୍ଚିମ ଓଡ଼ିଶାରେ ଦଳର ସଙ୍ଗଠନ ପାଇଁ ବେଶ୍ ଦକ୍ଷତାର ସହ  କାମ କରିଛନ୍ତି। ଆରଏସଏସ୍ ସହିତ ବି ତାଙ୍କର ବେଶ୍ ଭଲ ସମ୍ପର୍କ ରହିଛି। ସେ ବିଜେପି ବିଧାୟକ ଦଳର ନେତା ଥିଲେ।

ପଶ୍ଚିମ ଓଡ଼ିଶାରେ ବିଜେପିର ସ୍ଥିତି

୨୦୧୪ରେ ବିଜେପି ଜିତିଛି ୧୦ଟି ବିଧାନସଭା ଆସନ। କେବଳ ପଶ୍ଚିମ ଓଡ଼ିଶାରୁ ଅଛନ୍ତି ୮ ବିଧାୟକ। ସୁନ୍ଦରଗଡ଼, ଲୋକସଭା ଆସନ ବିଜେପି କବଜାରେ ରହିଛି। ୨୦୦୯ରେ ପଶ୍ଚିମ ଓଡ଼ିଶାରୁ ବିଜେପି ଜିତିଥିଲା ୪ଟି ଆସନ।

୨୧ ଜାତୀୟ ପରିଷଦ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ବସନ୍ତ ପଣ୍ଡା ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ବିଜେପି ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଆଜି ଦଳର ୨୧ ଜଣ ଜାତୀୟ ପରିଷଦ ସଦସ୍ୟ ମଧ୍ୟ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ରାଜ୍ୟର ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳରୁ ସେମାନେ ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ଼- ଶକୁନ୍ତଳା ମହାପାତ୍ର (ବରଗଡ଼), ମହେନ୍ଦ୍ର ମାଝି (ସୁନ୍ଦରଗଡ଼), ଦେବେନ୍ଦ୍ର ମହାପାତ୍ର (ସମ୍ବଲପୁର), ଭବାନୀ ଶଙ୍କର ନାଏକ (କେନ୍ଦୁଝର), ନବଚରଣ ମାଝି (ମୟୂରଭଞ୍ଜ), ଶାମ ପ୍ରସାଦ ବେହେରା (ବାଲେଶ୍ୱର), ଶରତ ଦାସ (ଭଦ୍ରକ), ବିନୋଦ ବିହାରୀ ଜେନା (ଯାଜପୁର), ପବିତ୍ର କୁମାର ବିଶ୍ୱାଳ (ଢେଙ୍କାନାଳ), ପାଣ୍ଡବ କୁମାର କୁମ୍ଭାର (ବଲାଙ୍ଗିର), ପର୍ଶୁରାମ ମାଝି (ନବରଙ୍ଗପୁର),  ଭବେନ୍ଦ୍ର ପଣ୍ଡା (କଳାହାଣ୍ଡି), ବିଜୟ ମହାପାତ୍ର (କଟକ), ରୁଦ୍ର ମାଧବ ରାୟ (କନ୍ଧମାଳ), ବୈଦନାଥ ଚାଟାର୍ଜୀ (କେନ୍ଦ୍ରାପଡ଼ା), ବାଇଧର ମଲ୍ଲିକ (ଜଗତସିଂହପୁର), ବିଶ୍ୱନାଥ ରଥ (ପୁରୀ), ରତିକାନ୍ତ ଦାଶ (ଭୁବନେଶ୍ୱର), ସୁରେଶ କୁମାର ପାଢ଼ୀ (ଆସ୍କା), କୁଞ୍ଜବିହାରୀ ପାଣିଗ୍ରାହୀ (ବ୍ରହ୍ମପୁର) ଓ କାଳିରାମ ମାଝି (କୋରାପୁଟ)।