ପପୁ କେଳେଙ୍କାରୀ: ନାବାଳିକାଙ୍କ ବାପାଙ୍କ ସତ୍ୟପାଠକୁ ନେଇ ପ୍ରଶ୍ନ ଉଠାଇଲା ସିଡବ୍ଲ୍ୟୁସି

papu1ଭୁବନେଶ୍ୱର: ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା ନୂଆ ମୋଡ ନେଇଛି। ପୀଡିତାଙ୍କ ବାପା କୋର୍ଟରେ ଆପୋଷ ସମାଧାନ ହୋଇଯାଇ ଥିବାରୁ ମାମଲା ଆଗକୁ ବଢାଇବାକୁ ଚାହୁଁ ନ ଥିବା ସତ୍ୟପାଠ ପପୁଙ୍କ ଦ୍ୱାରା କରାଯାଇଛି ଓ ଏହାର ତଦନ୍ତ କରାଯାଉ ବୋଲି ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି) ଦାବି କରିଛି।

ଆପୋଷ ସମାଧାନକୁ ନେଇ ନାବାଳିକାଙ୍କ ବାପା ଦାଖଲ କରିଥିବା ସତ୍ୟପାଠ ଉପରେ ସିଡବ୍ଲ୍ୟୁସି ପ୍ରଶ୍ନ ଉଠାଇଛି। ସମିତି ପକ୍ଷରୁ କୁହାଯାଇଛି “ପପୁଙ୍କ ପ୍ରରୋଚନାରେ ଏପରି ସତ୍ୟପାଠ ଦାଖଲ କରାଯାଇଛି। ପପୁଙ୍କ ଜାମିନ ଆବେଦନ ପ୍ରଭାବିତ କରିବା ପାଇଁ ଏହା ଉଦ୍ଦିଷ୍ଟ, ପୋଲିସ ଏହାର ଖୋଳତାଡ଼ କରୁ।”

ସିଡବ୍ଲ୍ୟୁସି ସଦସ୍ୟ ବେଣୁଧର ସେନାପତି କହିଛନ୍ତି, “ନାବାଳିକାଙ୍କ ବାପା ନିଜେ ପିଟିସନ ଦାଖଲ କରିନାହାନ୍ତି, ଜଣେ ଆଇନଜୀବୀ ଦାଖଲ କରିଛନ୍ତି। ଏହା ସନ୍ଦେହ ଘେରକୁ ଆସୁଛି। ଯେଉଁ ପିଟିସନ ଦିଆଯାଇଛି ସେଥିରେ ଆପୋଷ ସମାଧାନ ହୋଇଥିବା ଓ ପପୁଙ୍କୁ ଜାମିନ ଦେବାକୁ ଆବେଦନ କରାଯାଇଛି। ସେ ପିଲା ଆଖପାଖରେ ନ ରହି ସବୁବେଳେ ଅଭିଯୁକ୍ତଙ୍କ ଆଡକୁ ଢଳୁଛନ୍ତି। ତାଙ୍କୁ କେହି ଏପରି କରିବାକୁ ଚାପ ପକାଉଛି।”

ନାବାଳିକାଙ୍କ ବାପାଙ୍କ ଓକିଲ ରତ୍ନାକାର ନାୟକ କହିଛନ୍ତି, “ସିଡବ୍ଲ୍ୟୁସି ସଦସ୍ୟ ଗୋଟେ ପରେ ଗୋଟେ ମତ ପରିବର୍ତ୍ତନ କରୁଛନ୍ତି। ଯଦି ସିଡବ୍ଲ୍ୟୁସି ଭାବୁଛି, ଏଥିରେ କିଛି ଟଙ୍କା କାରବାର ହୋଇଛି ଓ ତାଙ୍କ ପାଖରେ ଯଦି କିଛି ପ୍ରମାଣ ଅଛି ତେବେ ପ୍ରମାଣ କରନ୍ତୁ।”

ମହିଳା ଥାନାର ନୋଟିସ୍‌ ପରେ ଆଜି ନାବାଳିକାଙ୍କ ବାପା ମହିଳା ଥାନାରେ ହାଜର ହୋଇଛନ୍ତି। ଯେଉଁ ନାବାଳିକା କୋର୍ଟରେ ହାଜର ହୋଇଥିଲେ ସେ ତାଙ୍କ ଝିଅ ନୁହେଁ ବୋଲି ନାବାଳିକାଙ୍କ ବାପା ବୟାନ ଦେଇଥିଲେ। ଏହାକୁ ନେଇ ଥାନା ତାଙ୍କୁ ପ୍ରଶ୍ନ କରିଥିବା ଜଣାପଡିଛି। ଦେଢବର୍ଷ ତଳେ ଝିଅ ସହ କ’ଣ ଘଟିଥିଲା ସେ ସମ୍ପର୍କରେ ଥାନା ଅଧିକାରୀଙ୍କ ଆଗରେ ନାବାଳିକାଙ୍କ ବାପା ପ୍ରକାଶ କରିଛନ୍ତି।