ଭୁବନେଶ୍ୱରରୁ ପଳାଇଥିବା ସନ୍ଦିଗ୍ଧ ଆତଙ୍କବାଦୀ ନୁହନ୍ତି

ଭୁବନେଶ୍ୱର: ଭୁବନେଶ୍ୱର ଆସି ହୋଟେଲ ବୁଝିବା ପରେ ସନ୍ଦିଗ୍ଧ ଭାବେ ପଳାଇଥିବା ୫ଜଣ ବିଦେଶୀ ଟେରରିଷ୍ଟ ନୁହନ୍ତି ଟ୍ୟୁରିଷ୍ଟ। ସେମାନେ ଟ୍ୟୁରିଷ୍ଟ ଭିସାରେ ଭାରତ ଆସିଛନ୍ତି। ଏମାନଙ୍କର କୌଣସି ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍ ନାହିଁ। ଇରାନ ଦୂତାବାସ ପକ୍ଷରୁ ଏହା ସ୍ପଷ୍ଟ ହେବା ବିଶାଖାପାଟଣା ଗ୍ରାମାଞ୍ଚଳ ଏସପି କୋୟା ପ୍ରବୀଣ ଓ କ୍ରାଇମବ୍ରାଞ୍ଚ ଏସପି ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଦେଖି ଏମାନେ ଡରି ଯିବା ସହ ହୋଟେଲ ଷ୍ଟାଫଙ୍କୁ ପରିଚୟ ନ ଦେଇ ପଳାଇ ଯାଇଥିବା ପୋଲିସ କହିଛି। କେବଳ ଗୋଟିଏ ହୋଟେଲ ନୁହେଁ, ଭୁବନେଶ୍ୱରରେ ୪ଟି ହୋଟେଲକୁ ସେମାନେ ରୁମ୍ ବୁଝିବାକୁ ଯାଇଥିଲେ।

୪୫ଦିନର ଟ୍ୟୁରିଷ୍ଟ ଭିସାରେ ଏମାନେ ଭାରତ ଆସିଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ଏମାନେ ରାଜସ୍ଥାନ, ଉତ୍ତରପ୍ରଦେଶ, ହରିୟାଣା ଓ ଆସାମ ଦେଇ ଓଡ଼ିଶା ଆସିଥିଲେ। ପରେ ବେଙ୍ଗାଲୁରୁ, ଆଜମେର ଓ ଗୋଆ ଯାଇଥାନ୍ତେ। ସେଠାରୁ ଦିଲ୍ଲୀ ଯାଇ ପୁଣି ଇରାନ ଫେରିବାକୁ ସ୍ଥିର କରିଥିଲେ। ତେବେ ଆଜି କି ଆସନ୍ତାକାଲି ଏମାନ ଇରାନ ଫେରିଯିବେ ବୋଲି ବିଶାଖଶପାଟଣା ଗ୍ରାମାଞ୍ଚଳ ଏସପି ପ୍ରବୀନ କହିଛନ୍ତି।

ସେହିପରି ବରଗଡ଼ରେ ଅଟକ ୩ ଇରାନ ନାଗରିକଙ୍କୁ ନେଇ ସୃଷ୍ଟି ହୋଇଥିବା ସନ୍ଦେହ ମଧ୍ୟ ଦୂର ହୋଇଛି। ଏମାନେ ଭିସା ଓ ପାସପୋର୍ଟ ଯାଞ୍ଚରୁ ଏମାନେ ପର୍ଯ୍ୟଟକ ବୋଲି ଜଣାପଡିବା ପରେ ପୋଲିସ ସେମାନଙ୍କୁ ଛାଡି ଦେଇଛି। ଏହି ୩ ଇରାନ ନାଗରିକ ସମ୍ବଲପୁରରୁ ବରଗଡ଼ ଆସୁଥିବା ବେଳେ ସେମାନଙ୍କ କାର ଖରାପ ହୋଇଯାଇଥିଲା। ଗାଡି ଠିକ କରିବା ଲାଗି ଏକ ଗ୍ୟାରେଜକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ।

ବିଶାଖାପାଟଣା ଗ୍ରାମାଞ୍ଚଳ ପୋଲିସ୍ ଦ୍ୱାରା ଅଟକ ହୋଇଥିବା ଏହି ୫ ସନ୍ଦିଗ୍ଧଙ୍କୁ ଆଇବି, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପୋଲିସ୍ ପକ୍ଷରୁ ପଚରାଉଚରା କରାଯାଇଥିଲା। ଇରାନର ତେହେରାନ ସହରରୁ ଆସିଥିବା ଏହି ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇ ଜଣ ଡିସେମ୍ବର ୨୮ ଆସିଥିଲେ ଓ ଅନ୍ୟ ତିନି ଜଣ ଜାନୁୟାରୀ ୧୩ରେ ଆସିଥିଲେ।

ଆନ୍ଧ୍ରପ୍ରଦେଶ ନାକାପାଲି ଚେକ୍ ପୋଷ୍ଟ୍ ନିକଟରୁ ସେମାନଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରିବା ପରେ ସେମାନେ ଓଡ଼ିଶାରୁ ଫେରାର ସନ୍ଦିଗ୍ଧ ବୋଲି ଜଣାପଡ଼ିଥିଲା। ଅଟକଙ୍କ ମଧ୍ୟରେ ୩ଜଣ ପୁରୁଷ ଓ ୨ ଜଣ ମହିଳା ଥିଲେ। ଦୁଇ ମହିଳା ହେଲେ ମୋହମ୍ମଦି ସଦର ଶିରିନ ଓ ଫରାହାନାଜ ଫୌଲାଦ ଘିଆସି। ସେହିପରି ୩ ପୁରୁଷ ହେଲେ ହମିଦ ମୀର ବାଘେରୀ, ଫାରୋଖଜାଦେ ଶାଖି ଓ  ଫାରୋଖଜାଦେ ରେଜା। ସେମାନଙ୍କ ପାଖରୁ ଇରାନୀ ପାର୍ସପୋର୍ଟ ଜବତ କରାଯାଇଛି। ଏହାସହ ସେମାନଙ୍କ ପାଖରୁ DL-6CJ-1520 ନମ୍ବରର ଏକ ଟୟୋଟା କାର ଜବତ କରାଯାଇଛି। ଉକ୍ତ ଗାଡିଟିକୁ ସେମାନେ ଦିଲ୍ଲୀର ଏକ ଟ୍ରାଭେଲ ଏଜେନ୍ସିରୁ ଭଡ଼ାରେ ଆଣିଥିବା କହିଥିଲେ। ତଦନ୍ତ ବେଳେ ଗାଡ଼ିର ମାଲିକ କରୋଲବାଗର ଜଣେ ଜୁଏଲରୀ ଦୋକାନର ମାଲିକ ବୋଲି ଜଣାପଡ଼ିଥିଲା।

ସୋମବାର ରାତି ପ୍ରାୟ ୯ଟା ବେଳେ ସନ୍ଦିଗ୍ଧ ଆତଙ୍କୀମାନେ ମାଷ୍ଟରକ୍ୟାଣ୍ଟିନ୍ ନିକଟସ୍ଥ ଏକ ହୋଟେଲକୁ ଫୋର୍ଡ ଆଇକନ୍ କାରରେ ଆସିଥିଲେ। ସେଥିରେ ଦିଲ୍ଲୀର ଏକ ନମ୍ବର ଲାଗିଥିଲା ଯାହାକି ଫେକ୍ ନମ୍ବର ଥିଲା ବୋଲି ଜଣାପଡ଼ିଛି। ଚାରି ସନ୍ଦିଗ୍ଧ ଆତଙ୍କୀଙ୍କ ମଧ୍ୟରୁ ଜଣେ ହୋଟେଲକୁ ଆସି ରୁମ୍ ବୁକ୍ କରିବା ପାଇଁ କଥାବାର୍ତ୍ତା ହୋଇଥିଲେ। ୪ ଜଣ ରହିବା ପାଇଁ ସେ ୨ଟି ରୁମ୍ ବୁକ୍ କରିବାକୁ ଚାହୁଁଥିଲେ। ପଇସାପତ୍ର ଛିଣ୍ଡିବା ପରେ ହୋଟେଲ କର୍ତ୍ତୃପକ୍ଷ ତାଙ୍କୁ ପରିଚୟପତ୍ର ମାଗିଥିଲେ। ତେବେ ସେ ଆଣୁଛି କହି ଚାଲି ଯାଇଥିଲେ। ସେ ଇରାକରୁ ଆସିଛନ୍ତି ବୋଲି ବି କହିଥିଲେ। ସେତେବେଳେ ସେଠାରେ ଖାରବେଳେ ନଗରର ୩ ପୋଲିସ୍ କର୍ମଚାରୀ ମଧ୍ୟ ଥିଲେ। ସେଠାରୁ ଚାରି ଜଣ ପଳାଇ ଯାଇଥିଲେ। ସୋମବାର ରାତିରୁ ସେମାନଙ୍କୁ ଠାବ କରିବାକୁ ତନାଘନା କରାଯାଇଥିଲା। ସେମାନେ ଗଞ୍ଜାମ ଜିଲ୍ଲାର ଗିରିଶୋଳା ଗେଟ୍ ଦେଇ ଆନ୍ଧ୍ରପ୍ରଦେଶ ପଳାଇଛନ୍ତି ବୋଲି ଜଣାପଡ଼ିବା ପରେ ଆନ୍ଧ୍ରପ୍ରଦେଶ ପୋଲିସ୍ ଓ ଗୁଇନ୍ଦା ସହିତ ଯୋଗାଯୋଗ କରିଥିଲା ଓଡ଼ିଶା କ୍ରାଇମବ୍ରାଞ୍ଚର ଏସଟିଏଫ୍।