ବ୍ରହ୍ମପୁର: ଗ୍ୟାସ୍ ଟ୍ୟାଙ୍କର ଓଲଟି ୩ ମୃତ

berhampur accidentବ୍ରହ୍ମପୁର: ବିଶାଖାପାଟଣାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଗ୍ୟାସ୍ ଟ୍ୟାଙ୍କର ଆଜି ଛତ୍ରପୁର କଲେଜ ଛକ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡ଼ିବାରୁ ଏହା ତଳେ ଚାପି ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ତେବେ ଗ୍ୟାସ୍ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହେଉଥିବାରୁ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅଘଟଣର ଆଶଙ୍କା କରି ଉକ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହକୁ ବନ୍ଦ କରି ଦିଆଯାଇଛି। ତା’ସହିତ ୧ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ନିଆଁ ଜାଲିବା ଉପରେ କଟକଣା ଜାରି କରାଯାଇଛି। ଘଟଣାସ୍ଥଳରେ ଗଞ୍ଜାମ ଜିଲ୍ଲାପାଳ, ଏସପି ଓ ଡିଆଇଜି ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି। ଗ୍ୟାସ୍ ଲିକକୁ ରୋକିବାକୁ ଜଟଣୀ ଓ ବିଶାଖାପାଟଣାରୁ ଦୁଇଟି  ବିଶେଷଜ୍ଞ ଟିମ୍ ଆସୁଛନ୍ତି।

ଘଟଣାଟି ଜାତୀୟ ରାଜପଥ ୧୬ ଉପରେ ଘଟିଛି। ତେଣୁ ଜାତୀୟ ରାଜପଥ ଉପରେ ଗାଡ଼ି ଚଳାଚଳକୁ ବନ୍ଦ କରି ଦିଆଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଛିଡ଼ା ହୋଇ ରହିଛି। ଘଟଣାସ୍ଥଳର ୧ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଗାଡ଼ି ଷ୍ଟାର୍ଟ ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଗଞ୍ଜାମ ଏସପି କହିଛନ୍ତି, ଦୁର୍ଘଟଣାଟି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଘଟିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଘର ରହିଛି। ଆଖପାଖରେ ବହୁତ ଦୋକାନବଜାର ମଧ୍ୟ ରହିଛି। ତେଣୁ ଗ୍ୟାସ୍ ଲିକ୍ ଯୋଗୁଁ ଯେପରି ଆଉ କିଛି ଅଘଟଣ ନ ଘଟିବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ସେଥିପାଇଁ ଘଟଣାସ୍ଥଳର ଏକ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ନିଆଁର ବ୍ୟବହାର ନ କରିବା ପାଇଁ ଲୋକଙ୍କୁ ଡାକବାଜି ଯନ୍ତ୍ର ସହାୟତାରେ ଅନୁରୋଧ କରାଯାଇଛି। ଘଟଣାସ୍ଥଳ ନିକଟରେ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କର ଉପରେ ପାଣି ପ୍ରୟୋଗ କରୁଛନ୍ତି।

ଏଚପି କମ୍ପାନୀର ଏକ ଟେକ୍ନିକାଲ୍ ଟିମ୍ ଛତ୍ରପୁରରେ ପହଞ୍ଚି ଗ୍ୟାସ ଲିକ୍ ବନ୍ଦ କରିବାକୁ ଚେଷ୍ଟା ଚଳାଇଛି।

ଏସପି ଆହୁରି ମଧ୍ୟ କହିଛନ୍ତି ଯେ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଦିନ ପ୍ରାୟ ୧୨ଟା ୧୫ ମିନିଟରେ ଏହି ଟ୍ୟାଙ୍କରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏକ ସ୍କୁଟରକୁ ବଂଚାଇବାକୁ ଯାଇ ଟ୍ୟାଙ୍କରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ୟାଙ୍କରଟି ରାସ୍ତା କଡ଼ରେ ଥିବା ଏକ ପାନଦୋକାନକୁ ମଧ୍ୟ ଧକ୍କା ଦେଇଥିଲା।