ଭୁବନେଶ୍ୱରେ ପୁଣି ଡବଲ ମର୍ଡର: ନୀଳକଣ୍ଠ ବସ୍ତିରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଡବଲ ମର୍ଡର। ଚନ୍ଦ୍ରଶେଖରପୁର ନୀଳକଣ୍ଠ ବସ୍ତିରେ ଏହି ହତ୍ୟାକାଣ୍ଡ ଘଟିଛି। ଗୋଟିଏ ଘରୁ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତଦେହ ମିଳିଛି। ମୃତକ ୨ଜଣ ଦିନ ମଜୁରିଆ ଭାବେ କାମ କରୁଥିଲେ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳା ଜଣଙ୍କ ହେଲେ ଦୁଲୁ ଟୁଡୁ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହ, ପୂର୍ବ ଶତ୍ରୁତା କିମ୍ବା ଅନ୍ୟ କୌଣସି କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

ନୀଳକଣ୍ଠ ବସ୍ତିରେ ଏକ ଘରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ କମିଶନରଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ଓ ଫରେନସିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କ ପରିଚୟ ମିଳିପାରିନାହିଁ। ଘଟଣା ପରଠାରୁ ଘର ମାଲିକ ଗୋପାଳ ବିଶ୍ରା ଫେରାର ଅଛନ୍ତି। ତାଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଆରମ୍ଭ କରିଛି। ମୃତକମାନେ ଘର ମାଲିକଙ୍କ ସମ୍ପର୍କୀୟ ବୋଲି ଅନୁମାନ କରାଯାଉଛି।

ପ୍ରାଥମିକ ତଦନ୍ତରୁ କୌଣସି ଶକ୍ତ ମାରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡୁଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି କମିଶନର କହିଛନ୍ତି।

ଗତ ନଭେମ୍ବର ୧୫ ତାରିଖରେ ଶୈଳଶ୍ରୀ ବିହାରରେ ଡାକ୍ତର ଦମ୍ପତିଙ୍କୁ ହତ୍ୟା କରାଯାଇଥିଲା। ଘଟଣା ଦିନ ଡାକ୍ତର ଦମ୍ପତି ମନ୍ଦିର ଯାଇଥିଲେ। ସେଠାରୁ ଘରକୁ ଫେରିବା ପରେ ସକାଳ ପ୍ରାୟ ସାଢେ଼ ୫ଟାରୁ ୬ଟା ମଧ୍ୟରେ ଏମାନଙ୍କୁ ହତ୍ୟା କରାଯାଇଥିଲା। ଲୁଟ୍ ଉଦ୍ଦେଶ୍ୟରେ ଘରର ଚାକରାଣୀ ସହଯୋଗୀଙ୍କ ସହ ମିଶି ଏହି ହତ୍ୟାକାଣ୍ଡ ଘଟାଇ ଥିଲେ। ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ୫ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାକୁ ସକ୍ଷମ ହୋଇଛି।