ଭୁବନେଶ୍ୱରରେ ଡାକ୍ତର ଦମ୍ପତିଙ୍କୁ ହତ୍ୟା

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଅଞ୍ଚଳରେ ଆଜି ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଛି। ମୃତ ଦମ୍ପତି ଅବସରପ୍ରାପ୍ତ ଡାକ୍ତର ବୋଲି ଜଣାପଡିଛି। ଶୈଳଶ୍ରୀବିହାର ଅଞ୍ଚଳର ଭିଆଇଏମ ୬୦୮ ଫ୍ଲାଟରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ଦମ୍ପତି ହେଲେ ଅବସରପ୍ରାପ୍ତ ଡାକ୍ତର ପ୍ରଫୁଲ୍ଲ ମିଶ୍ର ଏବଂ ସୁଷମା ମିଶ୍ର। ମୃତ ପ୍ରଫୁଲ୍ଲଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ରହିଛି। ସେହିପରି ସୁଷମାଙ୍କ ବେକରେ ଲୁଗା ଲାଗି ଥିବାରୁ ତାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ଡିସିପି ସତ୍ୟବ୍ରତ ଭୋଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ ଚଳାଇଛି। ଏହାସହ ଫରେନସିକ ଟିମ ଓ ଡଗ ସ୍କ୍ୱାର୍ଡ ପହଞ୍ଚି ଘଟଣାର ଯାଞ୍ଚ ଚଳାଇଛନ୍ତି। କାହିଁକି କେଉଁ ଉଦ୍ଦେଶ୍ୟରେ ଦମ୍ପତିଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡିନାହିଁ ।

ଆଜି ମୃତା ସୁଷମାଙ୍କ ଜନ୍ମଦିନ ଥିଲା। ଦମ୍ପତି ସକାଳେ ନିକଟସ୍ଥ ଜଗନ୍ନାଥ ମନ୍ଦିରକୁ ଯାଇଥିଲେ। ସେଠାରୁ ଫେରିବା ପରେ ଏହି ହତ୍ୟାକାଣ୍ଡ ଘଟିଥିଲା। ପ୍ରଫୁଲ୍ଲଙ୍କ ମୃତଦେହ ବେଡରୁମରୁ ମିଳିଥିବା ବେଳେ ସୁଷମାଙ୍କ ଶବ ଠାକୁର ଘରୁ ମିଳିଥିଲା। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ସମ୍ପର୍କରେ ପୋଲିସ କିଛି ସୁରାକ ପାଇ ନ ଥିବା କହିଛି। ଜଣେ ଚାକରାଣୀକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଘରେ କାମ କରୁଥିବା ଆଉ ଦୁଇଜଣ ଫେରାର ଅଛନ୍ତି। ସେମାନଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାରେ ତଦନ୍ତ ଚଳାଇଛି। ଶବ ବ୍ୟବଚ୍ଛେଦ ଲାଗି ପଠାଯାଇଛି ଘଟଣାର ତଦନ୍ତ କରାଯାଉଥିବା କମିଶନରେଟ ପୋଲିସ କହିଛି। ହତ୍ୟା ବେଳେ ଅଭିଯୁକ୍ତଙ୍କ ସହ ଦମ୍ପତିଙ୍କର ହାତାହାତି ହୋଇଥିବାର ସୂଚନା ମିଳିଛି। ଏହି ହତ୍ୟାକାଣ୍ଡରେ ପରିଚିତ ଲୋକେ ସମ୍ପୃକ୍ତ ଥିବା କମିଶନରେଟ ପୋଲିସ କହିଛି।