ଭୁବନେଶ୍ୱରରୁ ଫେରାର ସନ୍ଦିଗ୍ଧ ବିଶାଖାପାଟଣାରେ ଅଟକ, ପଚରାଉଚରା ଲାଗି ଗଲା ଏସଟିଏଫ ଟିମ୍

TERROR
କମିଶନରେଟ ପୋଲିସ ପକ୍ଷରୁ ଜାରି କରାଯାଇଥିବା ସନ୍ଦିଗ୍ଧ ଆତଙ୍କବାଦୀର ସିସିଟିଭି ଫଟୋ

ଭୁବନେଶ୍ୱର: ଭୁବନେଶ୍ୱରରୁ ଫେରାର ହୋଇଯାଇଥିବା ସନ୍ଦିଗ୍ଧ ୪ ଆତଙ୍କବାଦୀଙ୍କ ସମେତ ଅନ୍ୟ ଜଣଙ୍କୁ ବିଶାଖାପାଟଣାରରେ ଅଟକ ରଖାଯାଇଛି। ଏ ନେଇ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ସ୍ପଷ୍ଟ କରିଛନ୍ତି। ଭୁବନେଶ୍ୱରରୁ ଏସଟିଏଫର ଏକ ଟିମ୍ ସେମାନଙ୍କୁ ପଚରାଉଚରା କରିବାକୁ ବିଶାଖାପାଟଣା ଗସ୍ତ କରିଛି। ଭୁବନେଶ୍ୱର ସିସିଟିଭି କ୍ୟାମେରା ଭିଜୁଆଲ ସହ ଅଟକଙ୍କ ସାମଞ୍ଜସ୍ୟ ରହିଥିବା ଆଇଜି କହିଛନ୍ତି। ତେବେ ସେମାନେ କାହିଁକି ଭୁବନେଶ୍ୱର ଆସିଥିଲେ ତାହା ଏବେ ବି ଅସ୍ପଷ୍ଟ ରହିଛି।

ସେ କହିଛନ୍ତି, ଆନ୍ଧ୍ରପ୍ରଦେଶ ନାକାପାଲି ଚେକ ପୋଷ୍ଟ ନିକଟରୁ ସେମାନଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରିବା ପରେ ସେମାନେ ଓଡ଼ିଶାରୁ ଫେରାର ସନ୍ଦିଗ୍ଧ ବୋଲି ଜଣାପଡିଛି। ଅଟକଙ୍କ ମଧ୍ୟରେ ୩ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି। ସେମାନଙ୍କ ପାଖରୁ ଇରାନୀ ପାର୍ସପୋର୍ଟ ଜବତ କରାଯାଇଛି। ଏହାସହ ସେମାନଙ୍କ ପାଖରୁ DL-6CJ-1520 ନମ୍ବରର ଏକ ଟୟୋଟା କାର ଜବତ କରାଯାଇଛି। ଉକ୍ତ ଗାଡିଟିକୁ ସେମାନେ ଦିଲ୍ଲୀର ଏକ ଟ୍ରାଭେଲ ଏଜେନ୍ସିରୁ ଭଡାରେ ଆଣିଥିବା କହିଛନ୍ତି। ଗାଡି ମାଲିକ କରୋଲବାଗର ଜଣେ ଜୁଏଲରୀ ଦୋକାନର ମାଲିକ ବୋଲି ଜଣାପଡିଛି।

କ୍ରାଇମବ୍ରାଞ୍ଚ ଆଇଜି ଆହୁରି କହିଛନ୍ତି, ଏହି ମାମଲାରେ ବହୁତ କମ ସୂଚନା ଥିଲା। ଯାହା ବି ଥିଲା ଭୁଲ ଥିଲା। ସେ ଗାଡି ନମ୍ବର ହେଉ କି ସନ୍ଦିଗ୍ଧଙ୍କ ସଂଖ୍ୟା ଠିକ ଭାବେ ଜଣା ନ ଥିଲା। ତଥାପି ଏହାକୁ ହାଲକା ଭାବେ ନିଆଯାଇ ନ ଥିଲା। ସନ୍ଦିଗ୍ଧମାନେ କିଏ, ସେମାନେ କୁଆଡେ ଗଲେ ଆଦି ବହୁ ପ୍ରଶ୍ନ ଉଠିଥିଲା। ଯାହାର ଅନ୍ତ ଘଟିଛି। ନୂଆ କରି ଗଠନ ହୋଇଥିବା ଏସଟିଏଫ୍ ପାଇଁ ଏହା ଏକ ବଡ଼ ସଫଳତା ବୋଲି କହିଲେ ଭୁଲ ହେବନାହିଁ। ଟିମ୍ ସେଠାକୁ ଯାଉଛି। ପଚରାଉଚରା ପରେ ଯଦି ସେମାନେ କୌଣସି ମନ୍ଦ ଉଦ୍ଦେଶ୍ୟ ନେଇ ଏଠାକୁ ଆସିଥିବା ସନ୍ଦେହ ହୁଏ ତେବେ ଓଡ଼ିଶା ଅଣାଯିବାକୁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

ସେହିପରି ବରଗଡ଼ରୁ ୩ଜଣ ସନ୍ଦିଗ୍ଧ ଇରାନୀ ନାଗରିକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ସେମାନଙ୍କ ପାଖରୁ ଦିଲ୍ଲୀ ନମ୍ବର ଥିବା ଏକ ସାଣ୍ଟ୍ରୋ କାର ଜବତ କରାଯାଇଛି। ଅପରାହ୍ନରେ ଏହି ୩ ଇରାନୀ ଉକ୍ତ କାରରେ ସମ୍ବଲପୁର ପଟୁ ବରଗଡ଼ ଆସୁଥିବା ବେଳେ ବାଟରେ କାରଟି ଖରାପ ହୋଇଯାଇଥିଲା। କାର ସଜାଡିବା ପାଇଁ ସେମାନେ ଗ୍ୟାରେଜ ଖୋଜୁଥିବା ବେଳେ ସେମାନଙ୍କ ଚାଲିଚଳଣରେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ସେମାନଙ୍କୁ ଅଟକ ରଖିବା ସହ ସେମାନଙ୍କ ଭିସା, ପାସପୋର୍ଟ ଜବତ କରିଛି।

ଅନ୍ୟପକ୍ଷରେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଦିଲ୍ଲୀ ନମ୍ବର ଥିବା ଫୋର୍ଡ ଆଇକନ୍ କାରଗୁଡ଼ିକୁ ଯାଞ୍ଚ କରାଯାଉଛି। ଭୁବନେଶ୍ୱରର ବଡ଼ଗଡ଼ ଥାନା ପୋଲିସ୍ ଏକ ଦିଲ୍ଲୀ ନମ୍ବର ବିଶିଷ୍ଟ କାର ଜବତ କରିଛି। ଏନେଇ ତଦନ୍ତ ଜାରି ରହିଛି।

TERRORIST
ଚେକପୋଷ୍ଟରେ ସନ୍ଦିଗ୍ଧମାନେ କାରରେ ପାର ହେଉଥିବାର ଦୃଶ୍ୟ

ଏହା ପୂର୍ବରୁ ଆଜି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା କି ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର ଆସିଥିବା ୪ ସନ୍ଦିଗ୍ଧ ଆତଙ୍କବାଦୀ ଓଡ଼ିଶାରୁ ଖସି ଚାଲି ଯାଇଛନ୍ତି। ସେମାନେ ଗଞ୍ଜାମ ଜିଲ୍ଲାର ଗିରିଶୋଳା ଗେଟ୍ ଦେଇ ଆନ୍ଧ୍ରପ୍ରଦେଶ ପଳାଇଛନ୍ତି। ସେମାନେ ଫୋର୍ଡ ଆଇକନ୍ କାରରେ ଖସି ଯାଇଛନ୍ତି।

ଏହି ମାମଲାରେ କ୍ରାଇମବ୍ରାଞ୍ଚର ଏସଟିଏଫ୍ ହୋଟେଲ୍ (ଆତଙ୍କବାଦୀ ରହିବାକୁ ଯାଇଥିବା ହୋଟେଲ୍) କର୍ମଚାରୀ ଓ ଖାରବେଳ ନଗର ଥାନାର ୩ କର୍ମଚାରୀଙ୍କୁ ପଚରାଉଚରା କରିଥିଲା। ସୋମବାର ରାତି ପ୍ରାୟ ୯ଟା ବେଳେ ସନ୍ଦିଗ୍ଧ ଆତଙ୍କୀମାନେ ମାଷ୍ଟରକ୍ୟାଣ୍ଟିନ୍ ନିକଟସ୍ଥ ଏକ ହୋଟେଲକୁ ଆସିଥିଲେ। ସେମାନେ ଏକ ଫୋର୍ଡ ଆଇକନ୍ କାରରେ ଆସିଥିଲେ। ସେଥିରେ ଦିଲ୍ଲୀର ଏକ ନମ୍ବର ଲାଗିଥିଲା ଯାହାକି ଫେକ୍ ନମ୍ବର ଥିଲା ବୋଲି ଜଣାପଡ଼ିଛି। ଚାରି ସନ୍ଦିଗ୍ଧ ଆତଙ୍କୀଙ୍କ ମଧ୍ୟରୁ ଜଣେ ହୋଟେଲକୁ ଆସି ରୁମ୍ ବୁକ୍ କରିବା ପାଇଁ କଥାବାର୍ତ୍ତା ହୋଇଥିଲେ। ୪ ଜଣ ରହିବା ପାଇଁ ସେ ୨ଟି ରୁମ୍ ବୁକ୍ କରିବାକୁ ଚାହୁଁଥିଲେ। ପଇସାପତ୍ର ଛିଣ୍ଡିବା ପରେ ହଟେଲ କର୍ତ୍ତୃପକ୍ଷ ତାଙ୍କୁ ପରିଚୟପତ୍ର ମାଗିଥିଲେ। ତେବେ ସେ ଆଣୁଛି କହି ଚାଲି ଯାଇଥିଲେ। ସେ ଇରାକରୁ ଆସିଛନ୍ତି ବୋଲି ବି କହିଥିଲେ। ସେତେବେଳେ ସେଠାରେ ଖାରବେଳେ ନଗରର ୩ ପୋଲିସ୍ କର୍ମଚାରୀ ମଧ୍ୟ ଥିଲେ। ସେଠାରୁ ଚାରି ଜଣ ପଳାଇ ଯାଇଥିଲା। ସୋମବାର ରାତିରୁ ସେମାନଙ୍କୁ ଠାବ କରିବାକୁ ତନାଘନା କରାଯାଇଥିଲା।