ଭୁବନେଶ୍ୱର: ‘ଅଲ ଦାଟ୍ ଜାଜ୍’ ଗାର୍ମେଣ୍ଟ ସୋରୁମରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ମହିର୍ଷି ଛକ ନିକଟ  ‘ଅଲ ଦାଟ୍ ଜାଜ୍’ ଗାର୍ମେଣ୍ଟ ସୋରୁମରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ରାତି ପ୍ରାୟ ସାଢ଼େ ୨ଟାରେ ଏଥିରେ ନିଆଁ ଲାଗିଥିଲା। ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଛି। ୫ଟି ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିବାରେ ନିୟୋଜିତ ହୋଇଥିଲା। ବିପର୍ଯ୍ୟୟ ପ୍ରଶମନ ଟିମ୍ ଘଟଣା ସ୍ଥଳରେ ଉପସ୍ଥିତ ଅଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ସୋରୁମରେ  ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ପ୍ରାଥମିକ ଆକଳନରୁ ୫୦ ଲକ୍ଷ ଟଙ୍କାର ସଂପତ୍ତି ପୋଡ଼ି ଥିବା ଜଣାପଡ଼ିଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।

ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ନିଆଁ ଲିଭାଇବାକୁ ପ୍ରାୟ ୬ ଘଣ୍ଟା ଲାଗି ଯାଇଥିଲା। ୭୫ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବା କାମରେ ନିୟୋଜିତ ହୋଇଥିଲେ। ସୋରୁମ୍ ଭିତରେ କପଡ଼ା ଜିନିଷ ଥିବାରୁ ନିଆଁ ଅଧିକ ଜୋରରେ ବ୍ୟାପି ଥିଲା। ପୁଣି ପାଖରେ ଏକ ପେଟ୍ରୋଲ ପମ୍ପ୍ ଥିବାରୁ ତାହା ଅଧିକ ଚିନ୍ତାର କାରଣ ହୋଇଥିଲା।