ବିମାନରେ ବୋମା ଗୁଜବ, ଅଭିଯୁକ୍ତ ପୁନେରେ ଗିରଫ

sanjib mishra
ଗୁଜବ ସୃଷ୍ଟିକାରୀ ସଂଜୀବ ମିଶ୍ର

ଭୁବନେଶ୍ୱର: ଭୁବନେଶ୍ୱରରୁ ମୁମ୍ୱାଇ ଯାଉଥିବା ଗୋ-ଏୟାରର ଏକ ବିମାନରେ ବୋମା ଖବର ଏକ ଗୁଜବ ବୋଲି ଜଣାପଡ଼ିଛି। ଏହା ସହିତ ଗୁଜବ ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ୍। ଏହି ଗୁଜବ ସୃଷ୍ଟିକାରୀଙ୍କ ନାମ ସଂଜୀବ ମିଶ୍ର। ତାଙ୍କୁ ପୁନେ ପୋଲିସ୍ ଗିରଫ କରିଛି। ସେ ଫୋନ୍ କରି ବିମାନରେ ବୋମା ଥିଲା ବୋଲି କହିଥିଲେ।

ଗିରଫ ସଂଜୀବଙ୍କୁ ପଚରାଉଚରା କରିବା ପାଇଁ କମିଶନରେଟ୍ ପୋଲିସର ଏକ ଟିମ୍ ପୁନେ ଯିବ। ଆବଶ୍ୟକ ହେଲେ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କମିଶନରେଟ୍ ପୋଲିସ୍ ପକ୍ଷରୁ କୁହାଯାଇଛି।

ପୋଲିସ୍ କମିଶନର ଆର୍.ପି ଶର୍ମା କହିଛନ୍ତି, ସଂଜୀବଙ୍କ ଘର ଭୁବନେଶ୍ୱରର ଶୈଳଶ୍ରୀ ବିହାର ଅଞ୍ଚଳରେ। ୨୦୧୫ ଜୁଲାଇ ମାସରୁ ସେ ପୁନେରେ ରହୁଛନ୍ତି।

ଆଜି ସକାଳ ୮ଟା ୨୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରୁ ଗୋ-ଏୟାରର ଜି ୮-୨୪୩  ବିମାନଟି ଯାତ୍ରା ଆରମ୍ଭ କରିଥିଲା। ବିମାନରେ ୧୫୫ ଯାତ୍ରୀ ଥିଲେ। ବିମାନରେ ବୋମା ଥିବା ନେଇ ଫୋନ୍ ପାଇବା ପରେ ନାଗପୁରରେ ବିମାନଟିର ଜରୁରୀ ଅବତରଣ କରାଯାଇଥିଲା। ଯାଞ୍ଚପରେ ବିମାନରେ ବୋମା ନ ଥିବା କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ତା’ପରେ ବିମାନଟି ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲା।  

ଆଜି ସଂଜୀବ ଫୋନ କରି ଭୁବନେଶ୍ୱରରୁ ଯାଉଥିବା ସବୁ ବିମାନରେ ବୋମା ଥିବା ନେଇ ସୂଚନା ଦେଇଥିଲେ। ଏହି ସୂଚନାକୁ ଆଧାର କରି ବିମାନ ବନ୍ଦର କର୍ତ୍ତୃପକ୍ଷ ଭୁବନେଶ୍ୱରରେ ଥିବା ସବୁ ବିମାନକୁ ଯାଞ୍ଚ କରିଥିଲେ। ଏପରିକି ଏକ ଇଣ୍ଡିଗୋ ବିମାନକୁ ମଧ୍ୟ ରନୱେରୁ ଅଣାଯାଇ ଯାଞ୍ଚ କରାଯାଇଥିଲା। ଇଣ୍ଡିଗୋ ବିମାନକୁ ଯାଞ୍ଚ କରିବା ପରେ ଏହା ଉଡ଼ାଣ କରିଥିଲା।

ବିମାନ କର୍ତ୍ତୃପକ୍ଷ କହିଛନ୍ତି, ଆଜି ସକାଳ ୮ଟା ୪୨ରୁ ୮ଟା୫୦ମିନିଟ ମଧ୍ୟରେ ୩ଟି ଫୋନ କଲ୍ ଆସିଥିଲା। ଏୟାରପୋର୍ଟ ମ୍ୟାନେଜରଙ୍କ ସହିତ ଅଶାଳୀନ ଭାଷାରେ ଉକ୍ତ ବ୍ୟକ୍ତି ଜଣଙ୍କ କଥା ହୋଇଥିଲେ।। ଫୋନ କଲ୍ ପରେ ଦିଲ୍ଲୀ ଓ ମୁମ୍ୱାଇ ଯାଉଥିବା ବିମାନକୁ ଯାଞ୍ଚ କରାଯାଇଥିଲେ ମଧ୍ୟ କିଛି ମିଳି ନ ଥିଲା।

ଭୁବନେଶ୍ୱର ଏୟାରପୋର୍ଟ ମ୍ୟାନେଜରଙ୍କୁ ପାଖକୁ ଯେଉଁ ନମ୍ୱର(9439654031)ରୁ କଲ୍ ଆସିଥିଲା ସେହି ନମ୍ୱରରୁ ଆଜି ଭୋର ପ୍ରାୟ ୩ଟାରୁ ସାଢ଼େ ୩ଟା ମଧ୍ୟରେ ଓଟିଭିକୁ ବି ଏକ କଲ୍ ଆସିଥିଲା।