ମୁଙ୍ଗେରରୁ ଚୋରା ବନ୍ଧୁକ ଆଣୁଥିଲେ ଡି’ ବ୍ରଦର୍ସ

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ଡି’ ବ୍ରଦର୍ସଙ୍କ ବନ୍ଧୁକ ଚାଲାଣ ଲିଙ୍କ୍‌ର ପର୍ଦ୍ଦାଫାସ କରିଛି ପୋଲିସ୍। ବିହାରର ମୁଙ୍ଗେରରୁ ଦୁଇ ଭାଇ ଆଣୁଥିଲେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର। ଏପରି ଏକ ତଥ୍ୟ ୪ର୍ଥ ଦିନର ଜେରା ବେଳେ ପୋଲିସ ବଡ ଭାଇ ସୁଶାନ୍ତ ପାଖରୁ ଆଦାୟ କରିଛି। ସୁଶାନ୍ତ ଦେଇଥିବା ତଥ୍ୟ ଅନୁଯାୟୀ ସେମାନେ ମୁଙ୍ଗେର ଯାଇ ସେଠାରୁ ବନ୍ଧୁକ ତିଆରି ହେଉଥିବା ଏକ ଗାଁକୁ ଯାଉଥିଲେ। ସେଠାରେ ବନ୍ଧୁକ ତିଆରି ପାଇଁ ବଇନା ଦିଆଯାଉଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କୁ କଟକରେ ବନ୍ଧୁକ ଯୋଗାଇ ଦିଆଯାଇଥିଲା। ଏସବୁ ବନ୍ଧୁକ ସେମାନେ ବ୍ୟବହାର କରିବା ସହ ବ୍ୟବସାୟୀ ବି କରୁଥିବା ପୋଲିସ କହିଛି।

ସେହିପରି ସିଏମସିରେ ନିୟୋଜିତ ରାଜମୀ ସଂସ୍ଥା ପାଇଁ ମଧ୍ୟ ଧଳସାମନ୍ତ ବ୍ରଦର୍ସ ଟେଣ୍ଡର ଫିକ୍ସିଂ କରିଥିବା ଜେରାରୁ ଜଣାପଡିଛି। ଏକ ସ୍ୱତନ୍ତ୍ର ଟିମ୍ ସର୍ଚ୍ଚ ୱାରେଣ୍ଟ ନେଇ ବିଶାଖାପାଟଣା ଗସ୍ତ କରିଛି। ଆସନ୍ତାକାଲି ସେଠାରେ ଡି’ ବ୍ରଦର୍ସଙ୍କ ଭଡ଼ା ଘରର ତଲାସୀ ନିଆଯିବ ବୋଲି ପୋଲିସ୍ କହିଛି। ସେଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସହ ଚୋରା ବନ୍ଧୁକ ମିଳିପାରେ ବୋଲି ପୋଲିସ ସନ୍ଦେହ କରୁଛି।

ଆଜି ଚତୁର୍ଥ ଦିନରେ ଡିସିପିଙ୍କ ସମେତ ୨ଜଣ ଏସିପି ଓ ୩ ଜଣ ଇନିସପେକ୍ଟର ଜେରା କରିଛନ୍ତି। ସେହିପରି ଆୟକର ବିଭାଗ ଅଧିକାରୀ ଡି’ ବ୍ରଦର୍ସଙ୍କ ବେନାମୀ ସମ୍ପତ୍ତିର ଲିଙ୍କ ପାଇବାକୁ ଉଦ୍ୟମ କରୁଛନ୍ତି। ଜେରାରୁ ମିଳିଥିବା ତଥ୍ୟକୁ ଆଧାର କରି ଭୁବନେଶ୍ୱର ଓ କଟକର ବିଭିନ୍ନ କମ୍ପାନୀର ନିର୍ଦ୍ଦେଶକଙ୍କୁ ଖୋଜୁଛି। ସେପଟେ ଏହି ଘଟଣାରେ ଖୁବ ଶୀଘ୍ର ବଡ ଧରଣର ଖୁଲାସା କରାଯିବ ବୋଲି ପୋଲିସ କମିଶନର ୱାଇ.ବି.ଖୁରାନିଆ କହିଛନ୍ତି।