ବିମୁଦ୍ରାକରଣ ତାତି, ଗୃହ ଅଚଳ

ଭୁବନେଶ୍ୱର: ବିମୁଦ୍ରାକରଣକୁ ନେଇ ଆଜି ବିଧାନସଭାରେ ହୋହାଲ୍ଲା ଦେଖିବାକୁ ମିଳିଥିଲା। କେନ୍ଦ୍ର ସରକାର ଏହି ପ୍ରସଙ୍ଗକୁ ଠିକ ଭାବେ ତୁଲାଇବାରେ ବିଫଳ ହୋଇଥିବା ଓ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତା ଉପରେ ଅର୍ଥମନ୍ତ୍ରୀ ବିବୃତ୍ତି ରଖିବା ଦାବିରେ ଉଭୟ କଂଗ୍ରେସ ଓ ବିଜେଡି ବିଧାୟକମାନେ ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବି କରି ଦେଇଥିଲେ। କଂଗ୍ରେସ ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଶୂନ୍ୟକାଳରେ ବିମୁଦ୍ରାକରଣ […]

assembly

assembly

Rakesh Mallick
  • Published: Friday, 09 December 2016
  • Updated: 09 December 2016, 03:25 PM IST

Sports

Latest News

assemblyଭୁବନେଶ୍ୱର: ବିମୁଦ୍ରାକରଣକୁ ନେଇ ଆଜି ବିଧାନସଭାରେ ହୋହାଲ୍ଲା ଦେଖିବାକୁ ମିଳିଥିଲା। କେନ୍ଦ୍ର ସରକାର ଏହି ପ୍ରସଙ୍ଗକୁ ଠିକ ଭାବେ ତୁଲାଇବାରେ ବିଫଳ ହୋଇଥିବା ଓ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତା ଉପରେ ଅର୍ଥମନ୍ତ୍ରୀ ବିବୃତ୍ତି ରଖିବା ଦାବିରେ ଉଭୟ କଂଗ୍ରେସ ଓ ବିଜେଡି ବିଧାୟକମାନେ ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବି କରି ଦେଇଥିଲେ।

କଂଗ୍ରେସ ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଶୂନ୍ୟକାଳରେ ବିମୁଦ୍ରାକରଣ ପ୍ରସଙ୍ଗ ଉଠାଇ ରାଜ୍ୟରେ ଚାଷୀମାନେ ଘୋର ସମସ୍ୟାର ସମ୍ମୁଖୀନ ହେଇଥିବା ଅଭିଯୋଗ କରିଥିଲେ। ସେ କହିଥିଲେ, ବିମୁଦ୍ରାକରଣ ଯୋଗୁଁ ରାଜ୍ୟରେ ପନିପରିବାର ଅଭାବୀ ବିକ୍ରି ହେଉଛି। ଟଙ୍କା ମିଳୁ ନ ଥିବାରୁ ଜରୁରିକାଳୀନ ଭଳି ପରିସ୍ଥିତି ଉପୁଜିଛି।

ସେ କହିଥିଲେ,“ଖୁଚୁରା ମିଳୁ ନ ଥିବାରୁ ବ୍ୟବସାୟ ଠପ୍‌ ହୋଇଗଲାଣି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହୁଛନ୍ତି, କାର୍ଡରେ ଟଙ୍କା ନେଣଦେଣ ହେବ। ସେ ଆଗ କୁହନ୍ତୁ କେତେଜଣ ଆଦିବାସୀ ଓ ଚାଷୀମୂଲିଆଙ୍କ ପାଖରେ କାର୍ଡ ଅଛି? ଯେଉଁ ଗରିବ ଆଦିବାସୀ ୨ ଟଙ୍କାରେ କିରୋସିନ କିଣୁଛି, ସେ କ’ଣ କାର୍ଡ ବ୍ୟବହାର କରିବ?”

ସେ ଆହୁରି କହିଛନ୍ତି,“ବିମୁଦ୍ରାକରଣ ସ୍ଥିତିକୁ ନେଇ ରାଜ୍ୟ ସରକାର କୌଣସି ଉତ୍ତର ଦେଉନାହାନ୍ତି। ଅର୍ଥମନ୍ତ୍ରୀ ଗୃହରେ ଉତ୍ତର ଦେବାକୁ ବାଚସ୍ପତି ନିର୍ଦ୍ଦେଶ ନ ଦେବା ପାର୍ଯ୍ୟନ୍ତ ଆମେ ଗୃହ ଚାଲିବାକୁ ଦେବୁ ନାହିଁ।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ବିମୁଦ୍ରାକରଣ ଘୋଷଣାର ମାସେ ହୋଇଗଲାଣି। ଦେଶବାସୀଙ୍କୁ ଏଥିରୁ କିଛି ସୁଫଳ ମିଳିନାହିଁ। ରାଜ୍ୟରେ ସ୍ଥିତି ବିଗିଡିବାରେ ଲାଗିଛି। ଚାଷୀ, ପରିବା ବେପାରୀ, ଶ୍ରମିକ, ଛୋଟ ବ୍ୟବସାୟୀ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଖୁଚୁରା ମିଳୁ ନ ଥିବାରୁ ପରିବା କିଣିବାକୁ ଲୋକେ ଆସୁନାହାନ୍ତି। ଏପରି ସ୍ଥିତିକୁ ସାମ୍ନା କରିବାକୁ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି?”

ସେ କହିଛନ୍ତି,“ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି କେନ୍ଦ୍ର ସମବାୟ ବ୍ୟାଙ୍କଙ୍କୁ ଖୁଚୁରା ଯୋଗାଇ ଦେବାକୁ ଚିଠି ଲେଖିଥିଲେ। ଏହାର ଉତ୍ତର କ’ଣ ପାଇଲେ ? ରାଜ୍ୟ ସରକାର ସବୁ ବେଳେ କହୁଛନ୍ତି କେନ୍ଦ୍ର ଅବହେଳା କରୁଛି, ଆମେ ବିକଳ୍ପ ବାହାର କରୁଛି। ଏହି ସ୍ଥିତିରୁ ମୁକୁଳିବାକୁ ରାଜ୍ୟ ସରକାର କ’ଣ ବିକଳ୍ପ ବାହାର କରିଛନ୍ତି ? ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତାହାର ଉତ୍ତର ନିଶ୍ଚିତ ଭାବେ ଅର୍ଥମନ୍ତ୍ରୀଙ୍କୁ ଗୃହରେ ରଖିବାକୁ ପଡିବ। ସେଥିପାଇଁ ଆମେ ଅର୍ଥମନ୍ତ୍ରୀ ବିବୃତ୍ତି ରଖିବାକୁ ଦାବି କରୁଛୁ।”

ବିମୁଦ୍ରାକରଣ ପ୍ରସଙ୍ଗରେ କେନ୍ଦ୍ର ସରକାର ବିଫଳ ହୋଇଥିବା ବିଜେଡି ଅଭିଯୋଗ କରିଥିଲା। ବିଜେଡି ବିଧାୟକ ସମୀର ଦାସ କହିଥିଲେ,“କଳା ଟଙ୍କା ରୋକିବାକୁ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ଆମେ ସମର୍ଥନ ଜଣାଇଥିଲୁ। ନୋଟ୍‌ବନ୍ଦୀକୁ ମାସେ ପୂରଣ ହେଲାଣି, ହେଲେ ସମସ୍ୟା ସୁଧୁରୁ ନାହିଁ। ସାରା ଦେଶର ଲୋକେ ହଇରାଣ ହେଉଛନ୍ତି। ବିଶେଷ କରି ଗ୍ରାମାଞ୍ଚଳ ହାଟରେ ପରିବା ବିକ୍ରି ହୋଇ ନ ପାରି ପଚୁଛି। ଲୋକେ ନିଜ ଟଙ୍କା ଉଠାଇ ପାରୁ ନାହାନ୍ତି। କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ନ ହୋଇ ଏପରି ପଦକ୍ଷେପ ନେବା ଯୋଗୁଁ ସାଧାରଣ ଲୋକେ ହଇରାଣ ହେଉଛନ୍ତି।”

ସେ କହିଛନ୍ତି,“ଆମେ କଳା ଟଙ୍କାକୁ ବିରୋଧ କରୁଛୁ। ସାଧାରଣ ଜନତା ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେଥିପାଇଁ କ୍ଷୋଭ ପ୍ରକାଶ କରିବା ସହ ଏହାକୁ ଗୃହରେ ଉପସ୍ଥାପନ କରିଛୁ। କେନ୍ଦ୍ର ସରକାର ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ଆମେ ଦାବି କରୁଛୁ।”

ବଜେଡି ବିଧାୟକ ଅମର ଶତପଥୀ କହିଛନ୍ତି,“ଚାଷୀମାନେ ଧାନ ବିକ୍ରି କରୁ ପାରିନାହାନ୍ତି। ସମବାୟ ବ୍ୟାଙ୍କରେ ଟଙ୍କା ଉଠାଣରେ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିଥିଲେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆରବିଆଇ କଟକଣାରୁ ମୁକ୍ତ କରିବାକୁ ମଧ୍ୟ ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ। ଏହାର ପ୍ରଭାବ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉପରେ ପଡିଛି। ଆମେ ଆଶା କରୁଛୁ ଅର୍ଥମନ୍ତ୍ରୀ ଏହା ଉପରେ ବିବୃତ୍ତି ରଖିବେ।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ୫୦ ଦିନର ସମୟ ମାଗିଛନ୍ତି। ସ୍ଥିତି ସୁଧୁରିବାରେ ନିଶ୍ଚିତ କିଛି ଦିନ ଲାଗିବ। ବିମୁଦ୍ରାକରଣକୁ ବିଜେଡି ସମର୍ଥନ କରିଥିଲା। ଗୃହରେ ଦଳର ଜଣେ ଦୁଇଜଣ ସଦସ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। କାରଣ ବିଜେଡି ସବୁବେଳେ କେନ୍ଦ୍ରକୁ ଦୋଷ ଦେଇଆସିଛି। ଏହି ପ୍ରସଙ୍ଗରେ କଂଗ୍ରେସ ସହ ବିଜେଡି ହାତ ମିଳାଇଛି। ସାଧାରଣ ଲୋକେ କିଛି ଅସୁବିଧାର ସମ୍ମୁଖୀନ ହେଉନାହାନ୍ତି। ହଇରାଣ ହେଉଥିଲେ ରାଜରାସ୍ତାରେ ହଜାର ହଜାର ଲୋକ ଧାରଣାରେ ବସୁଥାନ୍ତେ। ୫୦ ଦିନ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos