ଶାସକ ଦଳ ଅମଲାଙ୍କ ଉପରେ ନିର୍ଭରଶୀଳ ବୋଲି ପ୍ରମାଣିତ ହୋଇଛି: ବିଜେପି

ଭୁବନେଶ୍ୱର: ତୃତୀୟ ମହଲାର ୪ଜଣ ଅମଲା ଅଧିକାରୀ ବିଜେଡିର ନିର୍ବାଚନ ପରିଚାଳନା କରୁଥିବା କଥା ସତ ପ୍ରମାଣିତ ହୋଇଛି। ଏହି  ଅଭିଯୋଗକୁ ଶାସକ ଦଳର ମନ୍ତ୍ରୀ ଡକ୍ଟର ଦାମୋଦର ରାଉତ ସମର୍ଥନ କରିଛନ୍ତି। ଦଳ ଅମଲାଙ୍କ ଉପରେ ନିର୍ଭରଶୀଳ ବୋଲି  ଦାମ ବାବୁ  ପ୍ରମାଣିତ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ  ବିଜେପି ଉପସଭାପତି ସମୀର ମହାନ୍ତି  ଏହା କହିଛନ୍ତି।

ସେ କହିଛନ୍ତି,“କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାମ ବାବୁ ରାମଚନ୍ଦ୍ରଙ୍କ ସହ ତୁଳନା କରିଛନ୍ତି। ଏହାସହ ଶାସକ ବିଜେଡି ବିଭୀଷଣମାନେ ଅଛନ୍ତି ବୋଲି ଦାମ ବାବୁ  କହିଛନ୍ତି। ତେବେ ବିଜେଡି ଦଳର ବିଭୀଷଣ ଏବଂ ରାବଣ କିଏ ଦାମ ବାବୁ  ତାହା ସ୍ପଷ୍ଟ କରନ୍ତୁ। ଆମକୁ ସମର୍ଥନ କରିଥିବାରୁ ବିଜେପି ଦଳ ପକ୍ଷରୁ ତାଙ୍କୁ  ଧନ୍ୟବାଦ ଜଣାଉଛି।”

ସମୀର କହିଛନ୍ତି,“୪ଜଣ ଅମଲା ଯେଉଁଭଳି ଭାବେ  ନିର୍ବାଚନକୁ ପରିଚାଳନା କରୁଛନ୍ତି ସେଥିପାଇଁ ନିର୍ବାଚନରେ ବିପର୍ଯ୍ୟୟ ଦେଖାଯାଇଛି ଓ ହିଂସା ଘଟୁଛି।”

ସେ ଆହୁରି କହିଛନ୍ତି, “ଓଡ଼ିଶାବାସୀ  ବିଜେପି  ଦଳ ଉପରେ ଭରସା କରିଛନ୍ତି। ସେଥିପାଇଁ ଆମେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି। ଆଗାମୀ ଦିନରେ ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ୱାସକୁ ନେଇ ଆମ ଦଳ କାମ କରିବ।”

ଗତକାଲି  ଶାସକ ଦଳର ତୃତୀୟ ମହଲାର ୪ ଜଣ  ବରିଷ୍ଠ ଅମଲା କାର୍ତ୍ତିକେୟେନ ପାଣ୍ଡିଆନ୍‌,ପ୍ରଦୀପ ମହାପାତ୍ର,ଡକ୍ଟର ଗୋପବନ୍ଧୁ ଦାସ, ସୁରଞ୍ଜନ ଶତପଥୀ ବିଜେଡିର ନିର୍ବାଚନ ପରିଚାଳନା କରୁଥିବା କଥା ବିଜେପି ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିଥିଲା।