ବିଜେଡି ଓ ବିଜେପି ଉଭୟ କୌରବ, ଆମେ ପାଣ୍ଡବ: ଜୟଦେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଓ ବିଜେପି ଉଭୟ କୌରବର ଦଳ। ବିଜେଡି ପାଖରେ ବର୍ତ୍ତମାନ ୧୧୭ ଅଛି। କୌରବଙ୍କ ପରି ଏମାନେ (ବିଜେଡି) ପରସ୍ପର ଭିତରେ ଲଢ଼େଇ ଆରମ୍ଭ କରିଦେଲେଣି। କେନ୍ଦ୍ରରେ ବିଜେପି ୩୦୦ରୁ ଅଧିକ ସିଟ୍‌ ପାଇ ଏକଛତ୍ରବାଦ ଚଳାଇଛି। ମାତ୍ର ବରଗଡ଼ ଜିଲ୍ଲା ବିଜେପୁର ଉପନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ପ୍ରଭାବ ପଡିବ ନାହିଁ। ଏପରି ଢ଼ଙ୍ଗରେ ଆଜି ବିଜେପି ଓ ବିଜେଡିକୁ ସମାଲୋଚନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଜୟଦେବ ଜେନା।

ସେ କହିଛନ୍ତି-“କଂଗ୍ରେସ ଧର୍ମନିରପେକ୍ଷତାରେ ବିଶ୍ୱାସ କରେ। ଲୋକଙ୍କ ଉପରେ ଭରସା କରେ। ସବୁବେଳେ ଗରିବ ଲୋକଙ୍କ ପାଇଁ କାମ କରେ। ଲୋକଙ୍କ ସହିତ ରହିଛି ଓ ଆଗକୁ ରହିବ। ବିଜେପୁର ନିର୍ବାଚନରେ କଂଗ୍ରେସ ପାଣ୍ଡବ ହୋଇ ଲଢ଼ିବ। ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ରହିଛି କେବଳ କଂଗ୍ରେସ ଉପରେ।”

କଂଗ୍ରେସ କର୍ମୀମାନେ ବିଜେଡିରେ ମିଶିବାକୁ ନେଇ ଜୟଦେବ କହିଲେ-“ଯେତେବେଳେ ଯାହାର ବଳ ଥାଏ, ସିଏ ତା’ର ଶକ୍ତି ଓ ସାମର୍ଥ ନେଇ ଯାଏ। ମାତ୍ର ବର୍ତ୍ତମାନ ବିଜେଡି ଲୋକଙ୍କ ପାଖରେ ବହୁ ଦୁର୍ବଳ ହୋଇଯାଇଛି। ସେଥିପାଇଁ ବିଜେପୁର ଉପନିର୍ବାଚନ ଜିତିବା ପାଇଁ ମୁଖ୍ୟମନ୍ତ୍ରୀ ସବୁ କଳ ପ୍ରୟୋଗ କରୁଛନ୍ତି। ସେହିପରି ବିଜେପି ଯେଉଁ ଭଳି ପ୍ରଚାର କରୁଛି ସେମିତି କିଛି ପାଇବ ନାହିଁ। ଉପନିର୍ବାଚନ ଲଢ଼େଇ ପାଇଁ କଂଗ୍ରେସ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତକାଲି ବିଧାୟକ ନବ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଜେପୁରର ବରିଷ୍ଠ ନେତାମାନଙ୍କୁ ଭେଟି ବିଚାରା ବିମର୍ଶ କରିଛି। ଏଥର ଆଗରୁ କଂଗ୍ରେସ, ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ହେବ। ମାତ୍ର ପ୍ରକୃତ ଲଢ଼େଇ ବିଜେଡି ଓ କଂଗ୍ରେସ ଭିତରେ ହେବ, ବିଜେପି କିଛି ଭୋଟ୍‌ ପାଇବ। ଏଥିରେ ଆମେ ଜିତିବୁ।”

ସେ କହିଛନ୍ତି-“୧୩୦ ବର୍ଷର କଂଗ୍ରେସ ଘର। ଭାଙ୍ଗିବା କଷ୍ଟକର। ମାତ୍ର ବେଳେବେଳେ ଦଳ ଭିତରେ କାହାର ମନମାଳିନ୍ୟ ଓ ଅଶାନ୍ତି ଘଟୁଛି। ତାକୁ ସୁଧାରିବା ପାଇଁ ଦଳର ବରିଷ୍ଠ ନେତା ଅଣ୍ଟା ଭିଡ଼ିଛନ୍ତି।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।