ଅକ୍ଟୋବର ୨ରେ ବିଜେପିରେ ମିଶିବେ ପୂର୍ବତନ ବିଜେଡି ବିଧାୟକ ଅଶୋକ ପାଣିଗ୍ରାହୀ

ଭୁବନେଶ୍ୱର: ବିଜେପିରେ ମିଶିବେ ବିଜେପୁରର ପୂର୍ବତନ ବିଜେଡି ବିଧାୟକ ଅଶୋକ ପାଣିଗ୍ରାହୀ। ଏନେଇ ସେ ନିଜେ ‘ଓଟିଭି’କୁ ସୂଚନା ଦେଇଛନ୍ତି।

ଆସନ୍ତା ୨ତାରିଖରେ ବରଗଡ଼ ଜିଲ୍ଲା ବରପାଲିର ଜଗନ୍ନାଥ ନଗରରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅଶୋକ ପାଣିଗ୍ରାହୀ ବିଜେପିରେ ମିଶିବାର କାର୍ଯ୍ୟକ୍ରମ ରହିଛି। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲା ଚିଠି ଲେଖି ବିତର୍କ ସୃଷ୍ଟି କରିଥିବା ଅଶୋକ ପୂର୍ବରୁ ଏ ନେଇ ସଙ୍କେତ ଦେଇଥିଲେ।

ଅଶୋକ କହିଛନ୍ତି,“ବିଜେପିରେ ସାମିଲ ନିଷ୍ପତ୍ତି ପଛରେ ପ୍ରାର୍ଥୀ ହେବାର ସର୍ତ୍ତ ନାହିଁ। ମୋର ଅଞ୍ଚଳବାସୀ ଓ ସହକର୍ମୀଙ୍କ ନିର୍ଦ୍ଦେଶ ଅନୁସାରେ ମୁଁ ବିଜେପିରେ ମିଶିବି। ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ମିଶୁଛି।”

ସେ ଆହୁରି କହିଛନ୍ତି,“ପଞ୍ଚାୟତ ନିର୍ବାଚନର ପ୍ରଭାବ ବିଜେପୁର ଉପ ନିର୍ବାଚନରେ ପଡ଼ିବ।”

କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ତାଙ୍କ ପରିବାର ଲୋକେ ବିଜେଡିରେ ମିଶିଥିଲେ। ଏହାକୁ ନେଇ ବିଜେପୁର ବିଜେଡିରେ କନ୍ଦଳ ଆରମ୍ଭ ହୋଇଥିଲା। ବିଶେଷକରି ବିଜେପୁରର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଦଳର ଏ ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏଥିପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଖୋଲାଖୋଲି ଚିଠି ମଧ୍ୟ ଲେଖିଥିଲେ। ୧୩ ବର୍ଷ ଧରି ବିଜୁବାବୁଙ୍କ ନୀତି ଓ ଆଦର୍ଶ ବିରୋଧରେ କାମ କରୁଥିବା ପରିବାର ଲୋକଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ବିଜୁପ୍ରେମୀଙ୍କ ମନରେ କଷ୍ଟ ହୋଇଛି ବୋଲି ସେ ଚିଠିରେ ଲେଖିବା ସହ ଏହି କାରଣରୁ ସେ ଦଳ ସହ ସଂପର୍କ ତୁଟାଇଥିବା ଉଲ୍ଲେଖ କରିଥିଲେ। କ୍ଷୁଦ୍ର ରାଜନୈତିକ ସ୍ୱାର୍ଥ ପାଇଁ ବିଜେଡି ଏପରି ନିଷ୍ପତ୍ତି ନେଇଥିବାରୁ ଦଳ ସହ ସଂପର୍କ ଛିନ୍ନ କରି ସେ ନବୀନଙ୍କ ବିରୋଧରେ ଲଢିବା ପାଇଁ ‌ଆହ୍ୱାନ ଦେଇଥିଲେ।

ଏହି ଘଟଣାର ଦିନକ ପରେ ପୁଣି ବିଜେଡିରେ ବିସ୍ଫୋରଣ ଘଟାଇଥିଲେ ଅଶୋକ। ୨୦୧୪ ନିର୍ବାଚନରେ ବିଜେପୁର ଆସନରୁ ପ୍ରାର୍ଥୀ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ହରାଇବାକୁ ଦଳ ଭିତରେ ଷଡଯନ୍ତ୍ର ହୋଇଥିବା ନେଇ ଗୁମର ଖୋଲିଥିଲେ ସେ। ସ୍ୱର୍ଗତ କଳ୍ପତରୁ ଦାସଙ୍କ ପରାମର୍ଶରେ ସେ ବିଜେପୁର ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସମ୍ମତି ରହିଥିବା କଥା ଅଶୋକ କହିଥିଲେ। ହେଲେ ତାଙ୍କର ଏହି ଅଭିଯୋଗ ସଂପୂର୍ଣ ମିଛ ବୋଲି କହିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।