ସିସୋର ଚିଟଫଣ୍ଡ ଲିଙ୍କ୍: ପ୍ରଭାତ ବିଶ୍ୱାଳଙ୍କ ରିମାଣ୍ଡର ଆଜି ଦ୍ୱିତୀୟ ଦିନ
ଭୁବନେଶ୍ୱର: ସିସୋର ଚିଟଫଣ୍ଡ ଲିଙ୍କରେ ଗିରଫ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ରିମାଣ୍ଡର ଆଜି ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ସିବିଆଇ ପ୍ରଭାତଙ୍କୁ ବିଭିନ୍ନ ଦିଗ ନେଇ ପଚରାଉଚରା କରିବ। ବିଶେଷ କରି ସି ସୋର ସହ ଜମି କାରବାର ମାମଲାରେ ସିବିଆଇ ପଚରାଉଚରା କରିପାରେ।
ସି ସୋର ଚିଟଫଣ୍ଡ ଲିଙ୍କରେ ସୋମବାର ରାତିରେ ଗିରଫ ହେବା ପରେ ଗତକାଲି ପ୍ରଭାତଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେଇଛି ସିବିଆଇ। ସି ସୋର ସହ ଜମି କିଣାବିକା ମାମଲାରେ ପଚରାଉଚରା ପାଇଁ ଚୌଦ୍ୱାର-କଟକ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସୋମବାର ସିବିଆଇ ପକ୍ଷରୁ ଡାକରା ଆସିଥିଲା। ସେ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ପହଞ୍ଚିବା ପରେ ପ୍ରଭାତଙ୍କୁ ପଚରାଉଚରା କରାଯାଇଥିଲା। ପରେ ତାଙ୍କୁ ସେହିଠାରେ ହିଁ ଗିରଫ କରିଥିଲା ସିବିଆଇ।
ପ୍ରଭାତ ବିଶ୍ୱାଳଙ୍କୁ ଏହା ପୂର୍ବରୁ ସିସୋର ଲିଙ୍କ୍ ମାମଲାରେ ଏକାଧିକ ଥର ପଚରାଉଚରା କରିଥିଲା ସିବିଆଇ। ଏହି ମାମଲାରେ ପ୍ରଭାତ ବିଶ୍ୱାଳ ପତ୍ନୀ ଲକ୍ଷ୍ମୀ ବିଳାସିନୀଙ୍କୁ ମଧ୍ୟ ଜେରା କରାଯାଇଥିଲା।
ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରିବା ପରେ ସିବିଆଇ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଅଭିଯୁକ୍ତ ପ୍ରଭାତ ଓଡ଼ିଶାର ଘରୋଇ ଗ୍ରୁପ୍ ଅଫ୍ କମ୍ପାନୀର ସିଏମ୍ଡିଙ୍କ ଠାରୁ ବିପୁଳ ଅର୍ଥ ଆଣିଥିବା ତଦନ୍ତରୁ ଜଣାପଡ଼ିଛି। ସେ ତାଙ୍କ ପତ୍ନୀଙ୍କ ଆକାଉଣ୍ଟ ଜରିଆରେ ଏହି ଅର୍ଥ ପାଇଛନ୍ତି। କଟକ ଓ ଆଖପାଖ ଅଞ୍ଚଳରେ ସୁବିଧାରେ ବ୍ୟବସାୟ ପରିଚାଳନା ପାଇଁ ସେ କମ୍ପାନୀ ଠାରୁ ଏହି ଅର୍ଥ ନେଇଛନ୍ତି। ୨୦୧୪ ଜୁନରୁ ଏହି ମାମଲା ରୁଜୁ ହୋଇଛି ଏବଂ ଏହାର ଅଧିକ ତଦନ୍ତ ଚାଲିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।