ବିଜେଡିର ‘ମେରୀ ରାୟ’ ଶାସନକୁ କଟକବାସୀ ପ୍ରତ୍ୟାଖାନ କରିଛନ୍ତି: କଂଗ୍ରେସ

ctc-congress1କଟକ: କଟକ ମହାନଗର ନିଗମର ୨୧ ନମ୍ବର ୱାର୍ଡ ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଗୌରୀ ଦାସଙ୍କ ବିଜୟ ବିଜେଡିକୁ ଶକ୍ତ ଧକ୍କା ଦେଇଛି। ବିଜୟ ପରେ କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ କହିଛନ୍ତି, “ବିଜେଡିର ମେରୀ ରାୟ ଶାସନକୁ କଟକବାସୀ ପ୍ରତ୍ୟାଖାନ କରିଛନ୍ତି।”

ରାସନକାର୍ଡ ବିବାଦରେ ଛନ୍ଦି ହୋଇ ପଡିଥିବା ବିଜେଡିର ସିଏମ୍‌ସି ମେୟର ଅନିତା ବେହେରା ନିଜ କର୍ପୋରେଟର ଓ ମେୟର ପଦରୁ ଇସ୍ତଫା ଦେବା ପରେ ଏଠାରେ ଉପନିର୍ବାଚନ ହୋଇଥିଲା। ଏହି ଆସନକୁ ହାତେଇବାକୁ ବିଜେପି ଓ କଂଗ୍ରେସ ଦିନରାତି ଏକ କରିଦେଇଥିବା ବେଳେ ବିଜେଡି ପାଇଁ ଏହା ସମ୍ମାନର ପ୍ରଶ୍ନ ଥିଲା। ଭୁଲବଶତଃ ଅନିତାଙ୍କ ନାଁରେ ରାସନକାର୍ଡ ହୋଇଥିବା ଓ ଏହା ଜଣାପଡିବା ପରେ ଦଳ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବିଜେଡି ସଫେଇ ଦେଇଥିଲେ ମଧ୍ୟ ନିର୍ବାଚନ ଫଳାଫଳ ପ୍ରମାଣ କରିଛି ଯେ, ୨୧ ନମ୍ବର ୱାର୍ଡବାସୀ ଏହାକୁ ଗ୍ରହଣ କରିନାହାନ୍ତି।

ମୋକିମ୍ କହିଛନ୍ତି, “ଏହି ବିଜୟ ଆମ ମନୋବଳ ଦୃଢ କରିଛି। ଏହା ଆଗକୁ କଟକବାସୀଙ୍କ ପାଇଁ କାମ କରିବାକୁ ଆମକୁ ଉତ୍ସାହିତ କରିବ। କଟକବାସୀ ବିଜେଡି ଶାସନକୁ ପ୍ରତ୍ୟାଖାନ କରିଛନ୍ତି। ଲୋକମାନେ ବର୍ତ୍ତମାନ ପରିବର୍ତ୍ତନ ଚାହୁଁଥିବା ଏହା ପ୍ରମାଣିତ କରୁଛି। କଟକବାସୀ ଆମକୁ ଯେଉଁ ଦାୟିତ୍ୱ ଦେଇଛନ୍ତି ତାକୁ କମରେ କରି ଦେଖାଇବୁ। ଶାସକ ଦଳ ଭିତରର ଦୁର୍ନୀତି, ବିଧାୟକଙ୍କ ଘରେ ଚାଲିଥିବା ଅମାନବିକତା ପଦାକୁ ଆସିଛି। ବିଜେଡି ଶାସନ କାଳରେ କଟକରେ ବଢିଥିବା ଅପରାଧିକ କାର୍ଯ୍ୟ ଯୋଗୁଁ ଲୋକେ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି। ବିଜୟ ପାଇଁ କଟକବାସୀ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି। ରାଜ୍ୟରୁ କୁଶାସନ ଦୂର କରିବାକୁ ଏହା ଆୟମାରମ୍ଭ।”

ଗୌରୀ କହିଛନ୍ତି, “ମୁଁ ପ୍ରଥମେ କଟକବାସୀ ଓ ୨୧ ନମ୍ୱର ୱାର୍ଡବାସୀଙ୍କୁ ବିଜୟ ପାଇଁ ଧନ୍ୟବାଦ ଜଣାଉଛି। ଘରକୁ ଘର ଯାଇ ଲୋକଙ୍କ ସମସ୍ୟା ବୁଝିବି ଓ ତାହାର କିପରି ସମାଧାନ ହେବ ସେଥିପାଇଁ କାମ କରିବି। ମୋର ପ୍ରଥମ କାମ ହେଲା ଡ୍ରେନେଜ୍‌ ବ୍ୟବସ୍ଥା ସୁଧାରିବା। ଆଗକୁ ବର୍ଷା ଦିନ ଆସୁଛି, ଦିନେ ଦୁଇ ଦିନ ମଧ୍ୟରେ ଡ୍ରେନେଜ୍‌ ବ୍ୟବସ୍ଥା ସୁଧାରିବାକୁ କାମ ଆରମ୍ଭ କରିବି।”

ctc-congressବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର କହିଛନ୍ତି, “୨୧ ନମ୍ବର ୱାର୍ଡ ବାସିନ୍ଦା ଦୁର୍ନୀତି, ଭ୍ରଷ୍ଟାଚାରକୁ ପ୍ରତ୍ୟାଖାନ କରି ଆମ ଉପରେ ଭରଷା ଦେଖାଇଛନ୍ତି। ଏହି ପରିବର୍ତ୍ତନ ଆଗାମୀ ଦିନରେ ସାରା ଓଡ଼ିଶାରେ ଦେଖିବାକୁ ମିଳିବ।”

ବାରବାଟି ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି, “୨୧ ନମ୍ୱର ୱାର୍ଡବାସୀଙ୍କୁ ସେମାନଙ୍କ ମତ ପାଇଁ କୃତଜ୍ଞତା ଜଣାଉଛି। ପୂର୍ବତନ ମେୟରଙ୍କ କାର୍ଯ୍ୟକଳାପ ଯୋଗୁଁ ଜନମତ ସରକାରଙ୍କ ବିରୋଧରେ ଗଲା ଓ ଆମେ ପଛରେ ରହିଗଲୁ। ଆମ ଦଳ ଭିତରେ କିଛି ଅସନ୍ତୁଷ୍ଟ ଥିଲେ। ବିଜେପି ସମ୍ପୂର୍ଣ୍ଣ ଭାବେ କଂଗ୍ରେସରେ ବିକ୍ରି ହୋଇଯିବା ଯୋଗୁଁ ଆମେ ପରାଜିତ ହେଲୁ। ପରାଜୟର ସମୀକ୍ଷା କରାଯିବ।”

ସେ କହିଛନ୍ତି, “ଏହି ପରାଜୟର ପ୍ରଭାବ ପଞ୍ଚାୟତ ନିର୍ବାଚନରେ ପଡିବ ନାହିଁ। ଏଠାରେ କଂଗ୍ରେସ ୧୫୦୦ ଭୋଟ୍‌ ପାଇଛି। ଏହା ରାଜ୍ୟର ୪ କୋଟି ଲୋକଙ୍କ ଉପରେ ପ୍ରଭାବ ପକାଇବ ନାହିଁ। କଂଗ୍ରେସ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଲୋପ ପାଇଚାଲିଥିବା ବେଳେ ଏହି ଗୋଟିଏ ବିଜୟରେ ଏତେ ଉତ୍ସାହିତ ହୋଇପଡିଛନ୍ତି ଯେ, ରାଜ୍ୟକୁ ଜିତି ଯାଇଛନ୍ତି ବୋଲି ଭାବୁଛନ୍ତି।”

ବିଧାୟକ ସାମନ୍ତରାୟଙ୍କ ଭାଇବୋହୂ ଶିଖା ସାମନ୍ତରାୟ କହିଛନ୍ତି, କଂଗ୍ରେସ ପ୍ରାର୍ଥୀ ଗୌରୀ ମୋ’ ପାଖକୁ ଆସିଥିଲେ। ମୁଁ ତାଙ୍କୁ କେବଳ ସହଯୋଗ କରିଥିଲି। ଏହା ଗୌରୀଙ୍କ ବିଜୟ। ମୁଁ କୌଣସି ରାଜନୈତିକ ଦଳରେ ନାହିଁ। ଏହା ସଇତାନ ଉପରେ ସତ୍ୟର ବିଜୟ। ମୋ ସ୍ୱମୀ, ପିଲାଙ୍କ ଉପରେ ଯେଉଁ ଅନ୍ୟାୟ ହୋଇଛି, ଲୋକଙ୍କ ପାଖକୁ ଯାଇ କହିଥିଲି। ଲୋକମାନେ ଏହାକୁ ଗ୍ରହଣ କଲେ ଓ ଫଳାଫଳ ଆପଣମାନଙ୍କ ସମ୍ମୁଖରେ ଅଛି।”