ବିଜେଡି ବିଭାଜନ ପାଇଁ ବିଜେପି କରୁଛି ଚାଲ୍‌: ଝଡ଼ ସୃଷ୍ଟି କଲା ତଥାଗତଙ୍କ ଟୁଇଟ୍‌

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ଢେଙ୍କନାଳ ସାଂସଦ ତଥାଗତ ସତପଥୀଙ୍କ ଟୁଇଟ୍‌କୁ ନେଇ ଚର୍ଚ୍ଚା ଲାଗି ରହିଛି। ତଥାଗତ ତାଙ୍କ ଟୁଇଟର ପେଜରେ ଲେଖିଛନ୍ତି,“ରାଜ୍ୟରେ ବିଜେଡିକୁ ବିଭାଜନ କରିବା ପାଇଁ ବିଜେପି ଉଦ୍ୟମ କରୁଛି। ତାମିଲନାଡୁରେ ଏଆଇଏଡିଏମ୍‌କେରେ ବିଭାଜନ ପରି ବିଜେପି ସଂସଦରେ ବିଜେଡିରେ ବିଭାଜନ ପାଇଁ ଉଦ୍ୟମ କରୁଛି। ଏପରିକି ସେମାନେ ବିଜେଡିର ନାଁ ଓ ଚିହ୍ନ ମଧ୍ୟ ନେବାକୁ ଚାହୁଁଛନ୍ତି। ଏଥିପାଇଁ ବିଜେଡିର ଜଣେ ସାଂସଦ ସେମାନଙ୍କୁ ସାହାଯ୍ୟ କରୁଥିବା ଗୁଜବ ହେଉଛି। ଯଦି ଛୋଟ୍‌ ବିଭାଜନ ହୁଏ ତେବେ ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ସହ ଓଡ଼ିଶାରେ ଆଗୁଆ ନିର୍ବାଚନ କରିବାକୁ ବିଜେପି ଚେଷ୍ଟା କରିବ। ସେତେବେଳେ ନିର୍ବାଚନ କମିଶନଙ୍କର କଣ ଭୂମିକା ରହିବ ତାହା ଦେଖିବାର କଥା ରହିଛି।”

ସେ ଆହୁରି ଲେଖିଛନ୍ତି,“ଆସନ୍ତାମାସରେ ଓଡ଼ିଶାରେ ହେବ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ। ଏଥିରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ଚାପ ପ୍ରୟୋଗ କରି ଓଡ଼ିଶା ସରକାରକୁ ଅଚଳ କରିବାର ହେଉଛି ଏହାର ଉଦ୍ଦେଶ୍ୟ। ୨୦୧୯ ଲୋକସଭା ନିର୍ବାଚନ ସହ ହେବ ଓଡ଼ିଶା ବିଧାନସଭା ନିର୍ବାଚନ। ଓଡ଼ିଶାକୁ ଉତ୍ତର ଭାରତୀୟ ରାଜ୍ୟ ଭଳି ଭାବିବା ଉଚିତ ନୁହେଁ।”

ଜଣେ ଟୁଇଟ୍‌ ହୋଲ୍ଡରଙ୍କ ପ୍ରଶ୍ନର ଉତ୍ତର ଦେଇ ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି,“ସେ ଅଭିଜ୍ଞ ଭଳି କହିଛନ୍ତି। ସେ ବିଜେଡିରୁ ଥରେ ନିଲମ୍ୱିତ ହୋଇ ଅନ୍ୟ ଦଳରେ ଯୋଗଦେଇ ଥିଲେ। ମୋର ସେପରି ଅଭିଜ୍ଞତା ନାହିଁ। ମୁଁ ତାଙ୍କ ମତ ସହ ଏକମତ ନୁହେଁ।”

ତଥାଗତଙ୍କ ଏପରି ଟୁଇଟକୁ ନେଇ ବିଜେଡିର ଅନ୍ୟତମ ବରିଷ୍ଠ ନେତା ଦାମୋଦର ରାଉତ କହିଛନ୍ତି,“ସାଂସଦମାନେ ଦିଲ୍ଲୀରେ ରହୁଛନ୍ତି ତେଣୁ ଦିଲ୍ଲୀ ଇତିହାସର ପ୍ରଭାବ ପକାଉଥିବ। ଅଜାତଶତ୍ରୁ ଓ ପୃଥ୍ୱୀରାଜ କେମିତି କ୍ଷମତା ହାତେଇଥିଲେ ଦେଖିଥିବେ। ଦିଲ୍ଲୀରେ କଣ ହେଉଛି ଜାଣିନୁ। ଆମେ ଓଡ଼ିଶାରେ ଠିକ୍‌ ଅଛୁ। ବିଜେଡିକୁ ଭାଙ୍ଗିବାକୁ ବିଜେପି କାହିଁ ଚେଷ୍ଟା କରିବ?”

ସେ କହିଛନ୍ତି,“ବିଜେଡିରେ ବିଭୀଷଣ ଅଛନ୍ତି। ବିଭୀଷଣ ଦଳ ଭାଙ୍ଗନ୍ତିନି ବରଂ ରାବଣର କଥା ରାମଙ୍କୁ ଜଣାନ୍ତି। ବିଜୁଙ୍କ ନାଁ ଯେପର୍ଯ୍ୟନ୍ତ ରହିଛି ଆମ ଦଳ ଭାଙ୍ଗିବନି।”

ତଥାଗତଙ୍କ ଟ୍ୱିଟ୍‌ ଉପରେ ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ କହିଛନ୍ତି,“ଅନ୍ୟଘର ଭାଙ୍ଗି ନିଜ ଘର ଗଢ଼ିବା ବିଜେପି ଇତିହାସରେ ନାହିଁ। ବିଜେପି ନିଜ ଘର ନିଜେ ତିଆରି କରିବ। ଏନ୍‌ଡିଏରେ ଥିବା ବେଳେ ବିଜେଡି ବିଭାଜନ ସ୍ଥିତିରେ ଥିଲା। ସେତେବେଳେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ବିଭାଜନକୁ ରୋକିଥିଲା। ଯେଉଁ ଦଳ ବ୍ୟକ୍ତି ଆଧାରିତ ସେଠାରେ ବିଚାରଧାରା କ୍ଷଣସ୍ଥାୟୀ। ନିଜ ଓଜନରେ ବିଜେଡି ଦିନେ ତଳକୁ ଖସି ପଡ଼ିବ।”

କଂଗ୍ରେସ ବିଧାୟକ ନବକିଶୋର ଦାସ କହିଛନ୍ତି,“ପଞ୍ଚାୟତ ନିର୍ବାଚନ ପରେ ବିଜେଡି ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ଅଳ୍ପ ଦିନ ଭିତରେ ବିଜେଡି ବିଭାଜିତ ହେବା ଅବସ୍ଥାରେ ରହିଛି। ଲୋକେ ମଧ୍ୟ ସେମାନଙ୍କୁ ପ୍ରତ୍ୟାକ୍ଷାନ କରିବାକୁ ଆରମ୍ଭ କଲେଣି।”