‘ଦାମବାବୁ ପାଗଳ ହୋଇଗଲେଣି, ତାଙ୍କୁ ମେଣ୍ଟାଲ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରାଯାଉ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ଉପସଭାପତି ଦାମୋଦର ରାଉତ ପାଗଳ ହୋଇଗଲେଣି। ତାଙ୍କୁ ମେଣ୍ଟାଲ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରାଯାଉ। ଜଣେ ପାଗଳ ମନ୍ତ୍ରୀ ବେଶୀ ଦିନ ଓଡ଼ିଶାରେ ରହିବା କଥା ନୁହେଁ। ଯଦି ସେ ସୁସ୍ଥ ମାନସିକତାରେ ଅଙ୍ଗନୱାଡ଼ି ଦିଦିଙ୍କୁ ‘ସ୍ୱାମୀଛଡ଼ା’ ବୋଲି କହିଥାନ୍ତି, ତାହାହେଲେ ୨୪ ଘଣ୍ଟା ମଧ୍ୟରେ ସମସ୍ତଙ୍କ ସମ୍ମୁଖରେ କ୍ଷମା ମାଗନ୍ତୁ। ନହେଲେ ସ୍ୱାମୀ ନଥିବା ଅଙ୍ଗନୱାଡ଼ି ଦିଦିଙ୍କ ସପକ୍ଷରେ ସମଗ୍ର ରାଜ୍ୟରେ ବିଜେପି ମହିଳା ମୋର୍ଚ୍ଚା ବିକ୍ଷୋଭ କରିବ ବୋଲି ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

ଗତକାଲି ଯାଜପୁରରେ ଏକ କାର୍ଯ୍ୟକ୍ରମରେ ଦାମୋଦର ରାଉତ ଅଙ୍ଗନୱାଡ଼ି ଦିଦିଙ୍କୁ ‘ସ୍ୱାମୀଛଡ଼ା’ ବୋଲି କହିଥିଲେ। ଏହାକୁ ବିଜେପି ମହିଳା ମୋର୍ଚ୍ଚା ବିରୋଧ କରିଛି। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ପ୍ରଭାତୀ କହିଛନ୍ତି- “ବିଜେଡି ସବୁବେଳେ ମହିଳାଙ୍କ ସମ୍ମାନ କଥା କହୁଥିଲା। କିନ୍ତୁ ଗତକାଲି ଦାମବାବୁ ‘ସ୍ୱାମୀଛଡ଼ା’ ଅଙ୍ଗନବାଡ଼ି ଦିଦି କେମିତି କହିଲେ? ୨୦୦୦ ଟଙ୍କା ଦରମା ବଢ଼ାଇ ଦେଇ କ’ଣ ଅଙ୍ଗନବାଡ଼ି ଦିଦିଙ୍କ ଚରିତ୍ର ଉପରେ ଟିପ୍ପଣୀ କରିବାକୁ ଦାମବାବୁଙ୍କୁ ଅଧିକାର ମିଳିଗଲା? ଦାମବାବୁଙ୍କ ଏପରି ମନ୍ତବ୍ୟ ସ୍ୱାମୀ ନଥିବା ଅଙ୍ଗନବାଡ଼ି ଦିଦିଙ୍କ ମାନବାଧିକାର ଉଲ୍ଲଂଘନ କରୁଛି। ଖବର ଶିରୋନାମାରେ ରହିବା ପାଇଁ ଦାମବାବୁ ସବୁବେଳେ ଚେଷ୍ଟା କରୁଛନ୍ତି। ସେଥିରେ ଆମର କିଛି ଯାଏ ଆସେ ନାହିଁ। କିନ୍ତୁ ଓଡ଼ିଶାରେ ମହିଳାଙ୍କ ବ୍ୟକ୍ତିଗତ ଜୀବନ ଓ ସାମାଜିକ ଚରିତ୍ର ଉପରେ ଟିପ୍ପଣୀ ଦେବା ପାଇଁ ତାଙ୍କର ଅଧିକାର ନାହିଁ।”

ସେ କହିଛନ୍ତି- “ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଅଙ୍ଗନବାଡ଼ି ଦିଦି ରୂପେ ନିଯୁକ୍ତି ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏପରିସ୍ଥଳେ ଜଣେ ବରିଷ୍ଠମନ୍ତ୍ରୀ ଯଦି ସେମାନଙ୍କ ଚରିତ୍ରକୁ ନେଇ ତାତ୍ସଲ୍ୟ କରନ୍ତି, ତାହାହେଲେ ଜଣାପଡ଼ୁଛି ଦାମବାବୁ ପାଗଲ ହୋଇଗଲେଣି। ତାଙ୍କୁ ତୁରନ୍ତ ମେଣ୍ଟାଲ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରାଯାଉ। ତୁରନ୍ତ ସରକାରରୁ ଇସ୍ତଫା ଅଦିନ୍ତୁ।”