ଭୁବନେଶ୍ୱର: ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ବେଳେ ସମ୍ବଲପୁରରେ ବିଜେପି ଉପସଭାପତି ସମୀର ମହାନ୍ତିଙ୍କୁ ଆକ୍ରମଣ କରାଯିବା ଦଳର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କୁ ମହଙ୍ଗା ପଡିଛି। ଏପରି ଅଭାବନୀୟ ଘଟଣା ପାଇଁ ରାଜ୍ୟ ବିଜେପି ପକ୍ଷରୁ ଜୟନାରାୟଣଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବନ କରାଯାଇଛି। ଏନେଇ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି।
କେବଳ ଜୟନାରାୟଣ ନୁହନ୍ତି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନାଉରୀ ନାୟକ ଏବଂ ନବ ନର୍ବାଚିତ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ବିଜେପି ଜିଲ୍ଲା ପରିଷଦ ସଦସ୍ୟ ଉତ୍ପଳା ଧରୁଆ, ତିରୋଜ ହେଡେଙ୍ଗା, ବିପିନ ବିଷୋଇ ଖାଖା, ସୁଶାନ୍ତ ବିରିଆ, ମମତା ପଟେଲ, ଲିଲିମା କାଲୋ, ସରସ୍ୱତୀ ମିର୍ଦ୍ଧା ଏବଂ ସଂଯୁକ୍ତା ପ୍ରଧାନଙ୍କୁ ଦଳରୁ ନିଲମ୍ବନ କରାଯାଇଛି।
ରାଜ୍ୟ ସଭାପତି ପଣ୍ଡା କହିଛନ୍ତି,“ଦଳୀୟ ନିଷ୍ପତ୍ତି ଓ ଚିହ୍ନକୁ ଅବମାନନା ଏବଂ ରାଜ୍ୟ ସଭାପତିଙ୍କୁ ଅପମାନ ଘଟଣାରେ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।”
ଜୟନାରାୟଣ କହିଛନ୍ତି,“ମୁଁ ଟିଭିରୁ ଜାଣୁଛି ମୋତେ ନିଲମ୍ବନ କରାଯାଇଛି। ମୁଁ ବିଜେପିର ଜଣେ ନେଚ୍ୟୁରାଲ ମେମ୍ବର। ମୋତେ ବିଜେପିରୁ ବହିଷ୍କାର କରିବାର ଅଧିକାର କାହାର ନାହିଁ। ମୁଁ ବିଜେପିରେ ଅଛି ଓ ରହିଛି। ବହିଷ୍କାର ନେଇ ମୋ ପାଖରେ କିଛି ତଥ୍ୟ ନାହିଁ। ସେମାନେ ଚିଠି ଦିଅନ୍ତୁ, ଚିଠି ମିଳିବା ପରେ କେଉଁ ଅଭିଯୋଗରେ ଏପରି ପଦକ୍ଷେପ ନିଆଯାଇଛି ଜଣାପଡିବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।