ବିଜେପିରେ ଯୋଗ ଦେଲେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଇଥିବା ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ ଶନିବାର ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି।

ଜାନୁଆରୀ ୩ ତାରିଖରେ ସଦ୍ଧାର୍ଥ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ତାଙ୍କର ଇସ୍ତଫା ପତ୍ର ଦଳୀୟ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିଲେ। ଦଳରେ ତାଙ୍କୁ ଗୁରୁତ୍ୱ ଦିଆଯାଉ ନ ଥିବାରୁ ସେ ଦଳ ଛାଡ଼ି ଥିବା କହିଥିଲେ।

୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସିଦ୍ଧାର୍ଥ ଖଣ୍ଡପଡ଼ା ବିଧାୟକ ଥିଲେ। ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ୍ ଦେଇ ନ ଥିଲା। ୨୦୧୪ରେ ବିଜେଡି ସିଦ୍ଧାର୍ଥଙ୍କ ବଦଳରେ ଅନୁଭବ ପଟ୍ଟନାୟକଙ୍କୁ ଦଳ ଖଣ୍ଡପଡ଼ାରେ ବିଧାୟକ ପ୍ରାର୍ଥୀ କରିଥିଲା ଏବଂ ସେ ବିଜୟୀ ମଧ୍ୟ ହୋଇଥିଲେ।

ବିଜେଡିରୁ ଇସ୍ତଫା ଦେଲାବେଳେ ସିଦ୍ଧାର୍ଥ କହିଥିଲେ, ‘୨୦୧୪ରେ ଦଳ ମତେ ଟିକେଟ୍ ଦେଇ ନ ଥିଲା। ତଥାପି ମୁଁ ଦଳ ସପକ୍ଷରେ ରହିଥିଲି। ନିର୍ବାଚନରେ ପ୍ରାର୍ଥୀ ହୋଇ ନ ଥିଲି କି ଦଳ ବିରୋଧୀ କୌଣସି କାର୍ଯ୍ୟ କରି ନ ଥିଲି। ତା’ପରେ କନ୍ଧମାଳ ନିର୍ବାଚନ ହୋଇଥିଲା। ସେତେବେଳେ ମୋତେ ରାଇକିଆ ଯାଇ ନିର୍ବାଚନ କଥା ବୁଝିବାକୁ ଦାୟିତ୍ୱ ଦିଆଯାଇଥିଲା। ମୁଁ ରାଇକିଆ ଯାଇଥିଲି ଓ ଦାୟିତ୍ୱ ତୁଲାଇ ଥିଲି। କିନ୍ତୁ କନ୍ଧମାଳ ନିର୍ବାଚନ ପରେ ମୋତେ ଦଳର ଅନ୍ୟ କୌଣସି କାର୍ଯ୍ୟକ୍ରମକୁ ଡକା ଗଲା ନାହିଁ। ନିର୍ବାଚନ ମଣ୍ଡଳୀ ସ୍ତରୀୟ ହେଉ ଅବା ଜିଲ୍ଲା ସ୍ତାରୀୟ ହେଉ- କୌଣସି ଦଳୀୟ କାର୍ଯ୍ୟକ୍ରମକୁ ମୋତେ ଡକାଗଲା ନାହିଁ। ଦଳୀୟ ସଭାସମିତିରେ ଅଂଶଗ୍ରହଣ କରିବାକୁ କୁହାଗଲା ନାହିଁ। ତେଣୁ ଏ ୨ ବର୍ଷ ମଧ୍ୟରେ ମୁଁ ଅନୁଭବ କଲି ଯେ ଦଳକୁ ବୋଧହୁଏ ଆଉ ମୋର ଆବଶ୍ୟକତା ନାହିଁ। ତେଣୁ ସମ୍ମାନର ସହିତ ଦଳର ବାହାରି ଯିବା ଲାଗି ନିଷ୍ପତ୍ତି ନେଲି।’