ଅଶୋକଙ୍କୁ ସ୍ୱାଗତ ପାଇଁ ବିଜେପିର ବର୍ଣ୍ଣାଢ଼୍ୟ ଆୟୋଜନ, ଅସନ୍ତୋଷ ଚପାଇବାକୁ ଭିତିରି ଉଦ୍ୟମ

ବରଗଡ଼/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବିଜେପିରରୁ ପୂର୍ବତନ ବିଜେଡି ବିଧାୟକ ଅଶୋକ ପାଣିଗ୍ରାହୀ ମିଶିବେ। ଏଥିପାଇଁ ବିଜେପି ଜିଲ୍ଲା ସଂଗଠନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି। ତେବେ ଅଶୋକଙ୍କ ମିଶ୍ରଣକୁ ନେଇ ଏବେ ବି ଦଳରେ ଅସନ୍ତୋ ଥମି ନଥିବା ଜଣାପଡୁଛି। ଆଜି ବସିଥିବା ପ୍ରସ୍ତୁତି ବୈଠକରେ ଜିଲ୍ଲା ସଭାପତିଙ୍କ ଅନୁପସ୍ଥିତିକୁ ନେଇ ନାନା ପ୍ରଶ୍ନ ଉଠିବାରେ ଲାଗିଛି।

ବିଜେପୁର ଉପନିର୍ବାଚନକୁ ନେଇ ଦୁଇ ଦଳ ବିଜେଡି ଓ ବିଜେପି ମଧ୍ୟରେ ଲାଗିଛି ଛକାପଞ୍ଝା। ରୀତା ସାହୁଙ୍କ ବିଜେଡିରେ ମିଶ୍ରଣ ପରେ ଦଳର ପୂର୍ବତନ ବିଧାୟକ ବିଜେପିରେ ମିଶୁଛନ୍ତି। ଆସନ୍ତାକାଲି ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବେ। ଏଥିପାଇଁ ହୋଡିଂ, ପୋଷ୍ଟର ଓ ବ୍ୟାନରରେ ଛାଇଯାଇଛି ସହର। ବରପାଲିର ଜଗନ୍ନାଥ ନଗରରେ ସଭା ପାଇଁ ମଞ୍ଚ ବି ପ୍ରସ୍ତୁତ ହୋଇସାରିଛି। ଅଶୋକଙ୍କ ସମର୍ଥକ ଓ ବିଜେପି କର୍ମୀ ବି ଜୋରସୋର ଚଳାଇଛନ୍ତି ସଜବାଜ। ଦଳରେ ଅଶୋକଙ୍କ ମିଶ୍ରଣ ପର୍ବ ପାଇଁ ବିଜେପି କରିଛି ବ୍ୟାପକ ଆୟୋଜନ। ଏଥିପାଇଁ ଦଳର ହେବିୱେଟ୍‌ ନେତା ବି ବରପାଲି ଯିବେ। ଦଳ ଶକ୍ତି ପ୍ରଦର୍ଶନ କରିବା ସହ ଉପନିର୍ବାଚନ ପାଇଁ ରଣହୁଙ୍କାର ଦେବ।

ଅନ୍ୟପକ୍ଷରେ ଅଶୋକଙ୍କ ମିଶ୍ରଣ ପର୍ବ ପାଇଁ ଆଜି ବରଗଡ଼ରେ ବସିଥିଲା ପ୍ରସ୍ତୁତି ବୈଠକ। ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ, ବିଧାୟକ ପ୍ରଦୀପ ପୁରୋହିତ ଓ ଦଳୀୟ କର୍ମୀ ଏଥିରେ ସାମିଲ ହୋଇଥିଲେ। ତେବେ ଜିଲ୍ଲା ସଭାପତି ନାରାୟଣ ସାହୁ ଓ ତାଙ୍କ ସମର୍ଥକଙ୍କୁ ଦେଖିବାକୁ ମିଳି ନଥିଲା ଏହି ବଅଠକରେ। ଯାହାକି ଦଳରେ ଅସନ୍ତୋଷର ନିଆଁକୁ କହୁଳୁଥିବାକୁ ସଙ୍କେତ ଦେଉଛି। ତେବେ ନାରାୟଣ ଆସନ୍ତାକାଲିର କାର୍ଯ୍ୟକ୍ରମ ଆୟୋଜନ ଲାଗି ବ୍ୟସ୍ତ ଥିବାରୁ ବୈଠକକୁ ଆସିପାରି ନଥିବା ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି। ଅନ୍ୟପକ୍ଷରେ ନାରାୟଣଙ୍କୁ ବୁଝାଇ ଦିଆଯାଇଥିବା ଦଳର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନନ୍ଦନ କହିଛନ୍ତି।