ବଲାଙ୍ଗିର ଓ ଗଞ୍ଜାମରେ କୃଷିମନ୍ତ୍ରୀ ଓ କ୍ରୀଡ଼ାମନ୍ତ୍ରୀଙ୍କୁ ବିରୋଧ;ବିରୋଧୀ କହିଲେ ମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ପ୍ରହସନ

ବଲାଙ୍ଗିର/ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି କେତେକ ମନ୍ତ୍ରୀ ଓ ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରିଛନ୍ତି। କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ବଲାଙ୍ଗିର ଓ କ୍ରୀଡ଼ାମନ୍ତ୍ରୀ ସୁଦାମ ମାରାଣ୍ଡି ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି। ତେବେ ଏହି ଗସ୍ତ ବେଳେ ଦୁଇ ମନ୍ତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ତାଙ୍କ ସାଙ୍ଗରେ ଥିଲେ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂହଦେଓ, ସ୍ଥାନୀୟ ବିଧାୟକ ଓ ସରକାରୀ କର୍ମଚାରୀ। କୃଷିମନ୍ତ୍ରୀ ଭାଲୁଖାଇ ଗାଁକୁ ଯାଇ ମରୁଡି ସ୍ଥିତିର ଅନୁଧ୍ୟାନ କରିବା ସହ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ତେବେ ନୁନହାଡ ଗାଁରେ କୃଷିମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ କରିଥିଲେ ବିଜେପି କର୍ମୀ। କଳାପତାକା ବି ଦେଖାଇଥିଲେ। ତୁରେଇକେଲାରେ ମଧ୍ୟ କୃଷିମନ୍ତ୍ରୀଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବିରୋଧ ପ୍ରଦର୍ଶନ କରିଥିବା  ବିଜେପି କର୍ମୀଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ ବଲାଙ୍ଗିର ଜିଲ୍ଲାରେ ୬ ଚଣ ଚାଷୀ ଫସଲହାନି ଯୋଗୁଁ ଆତ୍ମହତ୍ୟା କରିସାରିଲେଣି। ଏବେ କୃଷିମନ୍ତ୍ରୀଙ୍କ ନିଦ ଭାଙ୍ଗିଲା। କେନ୍ଦ୍ରୀୟ ଟିମ୍ ମରୁଡି ଅଞ୍ଚଳ ବୁଲି ଦେଖି ସାରିବା ପରେ କୃଷିମନ୍ତ୍ରୀ ଆସୁଛନ୍ତି। ଏହାକୁ ବିରୋଧ କରି ଦଳ ପକ୍ଷରୁ ତାଙ୍କୁ କଳାପତାକା ଦେଖାଯାଇଥିଲା।ଏହାସହିତ ବଲାଙ୍ଗିର ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବାକୁ ଦାବି କରିଥିଲୁ।

ସେହିପରି କ୍ରୀଡାକ୍ଷେତ୍ରରେ ବିକାଶମୂଳକ କାମର ତଦାରଖ ପାଇଁ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ପାତ୍ରପୁର, ତପ୍ତପାଣିରେ ଆଦିବାସୀ ହେଷ୍ଟଲର ସ୍ଥିତି ଅନୁଧ୍ୟାନ କରିଥିଲେ କ୍ରୀଡାମନ୍ତ୍ରୀ ସୁଦାମ ମାରାଣ୍ଡି। ପରେ ବ୍ରହ୍ମପୁର ଷ୍ଟାଡିୟମ ଓ ଖଲିକୋଟ ଷ୍ଟାଡିୟମ ବୁଲି ଦେଖିଥିଲେ। ତେବେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ବହୁମୁଖୀ କଲ୍ୟାଣ ସଂଘ କ୍ରୀଡାମନ୍ତ୍ରୀଙ୍କୁ ବିରୋଧ କରିଥିଲା। ବ୍ରହ୍ମପୁରରେ କ୍ରୀଡାର ବିକାଶ ପାଇଁ ସରକାର କିଛି ପଦକ୍ଷେପ ନେଉ ନ ଥିବା ସଂଘ ଅଭିଯୋଗ କରିଛନ୍ତି।

ରାଜ୍ୟ ଶିଳ୍ପ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ କନ୍ଧମାଳ ଗସ୍ତରେ ଯାଇ ପୃଥକ ପୃଥକ ଭାବେ ଉନ୍ନୟନମୂଳକ କାମର ତଦାରଖ କରିଛନ୍ତି। ସମୀକ୍ଷା ପରେ ଦେବୀ ମିଶ୍ର କହିଥିଲେ ଯେ ଜିଲ୍ଲାର ୧୨ଟି ବ୍ଲକରୁ ୧୧ଟି ଶିକ୍ଷାକ୍ଷେତ୍ରରେ ପଛୁଆ ରହିଛି। ଶିକ୍ଷାର ଭିତ୍ତିଭୂମି ବିକାଶ ପାଇଁ ୧୧ ବ୍ଲକକୁ ସରକାର ଅର୍ଥ ଯୋଗାଇ ଦେଇଛନ୍ତି। କିନ୍ତୁ ସମୀକ୍ଷାରୁ ଦେଖାଗଲା କାର୍ଯ୍ୟକାରୀ ଏଜେନ୍ସୀ ଆରଡି ଓ ସେମାନଙ୍କ ଠିକାଦାରମାନେ ଠିକଣା ସମୟରେ କାର୍ଯ୍ୟ କରି ନାହାନ୍ତି।

ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସ ଓ ବିଜେପି ମନ୍ତ୍ରୀମାନଙ୍କ ଜିଲ୍ଲା ଗସ୍ତକୁ ପ୍ରହସନ ବୋଲି କହିଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ମନ୍ତ୍ରୀମାନେ ସ୍ୱୀକାର କରିସାରିଛନ୍ତି ଯେ ଜିଲ୍ଲାପାଳ ଓ ସଚିବ ମାନେ ସେମାନଙ୍କ କଥା ଶୁଣନ୍ତି ନାହିଁ। ଏଭଳି ସ୍ଥିତିରେ ମନ୍ତ୍ରୀମାନଙ୍କ ଜିଲ୍ଲାଗସ୍ତ ପ୍ରହସନ ଛଡା ଆଉ କିଛି ନୁହେଁ। ସେହିପରି ବିଜେପି ନେତା ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ ତାଙ୍କ ଦଳ ଓ କେନ୍ଦ୍ରସରକାରଙ୍କ ଏକ ପ୍ରତିନିଧି ଦଳ ମରୁଡି ଅଞ୍ଚଳ ଗସ୍ତ କରୁଥିବା ଦେଖି ଭୟ ପାଇଯାଇଛି ବିଜେଡି। ସେଥିପାଇଁ ମନ୍ତ୍ରୀମାନେ ଏବେ ଜିଲ୍ଲା ଗସ୍ତ କରୁଛନ୍ତି। କେବଳ ଭୋଟରଙ୍କୁ ଦୃଷ୍ଟିରେ ରଖି ମନ୍ତ୍ରୀମାନେ ଜିଲ୍ଲା ଗସ୍ତ କରିଛନ୍ତି।

ସୂଚନାଯୋଗ୍ୟ, ସରକାରୀ ଯୋଜନା ଓ ଉନ୍ନୟନମୂଳକ କାମର ସମୀକ୍ଷା ପାଇଁ ମନ୍ତ୍ରୀ ଓ ସଚିବମାନେ ବିଭିନ୍ନ ଜିଲ୍ଲା ଗସ୍ତ କରିବାକୁ ଗତମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ମାସର ପ୍ରଥମ ସପ୍ତାହର ୪ ଦିନ ମନ୍ତ୍ରୀ ଓ ସଚିବମାନେ ବଭିନ୍ନ ଜିଲ୍ଲା ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ। ତେବେ ମନ୍ତ୍ରୀମାନେ ନିଜ ଜିଲ୍ଲାକୁ ନ ଯାଇ ଅଲଗା ଅଲଗା ଜିଲ୍ଲାକୁ ଯାଇ କାର୍ଯ୍ୟର ତଦାରଖ କରିବେ। ଗତକାଲି କେତେକ ମନ୍ତ୍ରୀ ଜିଲ୍ଲା ଗସ୍ତ କରିଥିବାବେଳେ ଆଜି ଆଉ କେତେକ ମନ୍ତ୍ରୀ ଜିଲ୍ଲା ଗସ୍ତ କରିଛନ୍ତି।